ଓଡ଼ିଶାଲାଇଭ୍ ବ୍ୟୁରୋ

  • ଏ-୧ ଗ୍ରେଡ୍‌ରେ ଜଣେ କେହି ନାହାନ୍ତି
  • ଏସ୍ଓଏସ୍‌ସିରେ ୭୬% ପାସ୍, ଜଣେ ଏ-୧

ମାଟ୍ରିକ୍ ସପ୍ଲିମେଣ୍ଟାରି ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ (ଏସ୍ଓଏସ୍‌ସି) ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ମାଟ୍ରିକ୍ ସପ୍ଲିମେଣ୍ଟାରିରେ ୭୦.୯୪ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ, ଏସ୍ଓଏସ୍‌ସିରେ ୭୫.୬୭ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। କିନ୍ତୁ ସପ୍ଲିମେଣ୍ଟାରିରେ ଜଣେ ହେଲେ ଛାତ୍ରଛାତ୍ରୀ ଏ-୧ ଗ୍ରେଡ୍‌ରେ ସ୍ଥାନ ପାଇନଥିବା ବେଳେ, ଏସ୍ଓଏସ୍‌ସିରେ ଜଣେ ମାତ୍ର ପରୀକ୍ଷାର୍ଥୀ ଏ-୧ ଗ୍ରେଡ୍‌ରେ ପାସ୍ କରିଛନ୍ତି।

ଚଳିତବର୍ଷ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା ପାଇଁ ୨୨ ହଜାର ୬୬୧ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ରାଜ୍ୟର ୧୫୩ଟି ପରୀକ୍ଷା କେନ୍ଦ୍ରରେ ଗତ ସେପ୍ଟେମ୍ବର ୧୪ରୁ ପରୀକ୍ଷା ଆରମ୍ଭ ହୋଇ ୨୨ରେ ଶେଷ ହୋଇଥିଲା। ପରୀକ୍ଷାରେ ୧୧୭୪ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ବେଳେ ୨୧ ହଜାର ୪୮୭ ଜଣ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୧୫ ହଜାର ୨୪୪ ଜଣ ପାସ୍ କରିଛନ୍ତି।

ପାସ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏ-୧ ଗ୍ରେଡ୍‌ରେ କେହି ନଥିବା ବେଳେ ଏ-୨ ଗ୍ରେଡ୍‌ରେ ୧୦ ଜଣ ଅଛନ୍ତି। ସେହିପରି ବି-୧ ଗ୍ରେଡ୍‌ରେ ୧୯୫ ଜଣ, ବି-୨ ଗ୍ରେଡ୍‌ରେ ୯୩୦ ଜଣ, ସି ଗ୍ରେଡ୍‌ରେ ୧୯୦୨ ଜଣ, ଡି ଗ୍ରେଡ୍‌ରେ ୩୧୪୦ ଜଣ ଏବଂ ଇ ଗ୍ରେଡ୍‌ରେ ୯,୦୬୭ ଜଣ ଛାତଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ୬ ହଜାର ୨୧୮ ଜଣ ଫେଲ୍ ହୋଇଛନ୍ତି। ୨୫ ଜଣ ଛାତ୍ରଛାତ୍ରୀ କପି କରୁଥିବା ବେଳେ ସ୍କ୍ୱାଡ୍ ହାତରେ ଧରାପଡ଼ି ମାଲ୍‌ପ୍ରାକ୍ଟିସ୍(ଏମ୍‌ପି) ହୋଇ ପରୀକ୍ଷାରୁ ବାଦ୍ ପଡ଼ିଛନ୍ତି।

ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ (ଏସ୍ଓଏସ୍‌ସି) ପରୀକ୍ଷା ଗତମାସ ୧୪ରୁ ଆରମ୍ଭ ହୋଇ ୨୪ରେ ଶେଷ ହୋଇଥିଲା। ପରୀକ୍ଷା ପାଇଁ ୧୨ ହଜାର ୯୪୦ ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିଲେ। ସେଥିମଧ୍ୟରୁ ୧୨ ହଜାର ୫୩୮ ଜଣ ଛାତ୍ରଛାତ୍ରୀ ୮୮ଟି କେନ୍ଦ୍ରରେ ପରୀକ୍ଷା ଦେଇଥିବା ବେଳେ ୪୦୨ ଜଣ ଅନୁପସ୍ଥିତ ଥିଲେ। ଆଉ ୧୮୧ ଜଣ ଛାତ୍ରଛାତ୍ରୀ ଏସ୍ଓଏସସିର ୧୦ଟି ବିଷୟରୁ ମାତ୍ର ୫ଟି ବିଷୟ ପରୀକ୍ଷା ଦେଇ ପରୀକ୍ଷାରୁ ବାଦ୍ ପଡ଼ିଥିଲେ।

ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯ ହଜାର ୪୮୮ ଜଣ ପାସ୍ କରିଥିବା ବେଳେ ୬୩ ଜଣ କପି କରି ପରୀକ୍ଷାରୁ ବାଦ୍ ପଡ଼ିଥିଲେ। ପାସ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏ-୧ ଗ୍ରେଡ୍‌ରେ ଜଣେ ମାତ୍ର ଥିବା ବେଳେ ଏ-୨ ଗ୍ରେଡ୍‌ରେ ୨୮୨ ଜଣ, ବି-୧ ଗ୍ରେଡ୍‌ରେ ୧୫୬୯ ଜଣ, ବି-୨ ଗ୍ରେଡ୍‌ରେ ୨୪୨୨ ଜଣ, ସି ଗ୍ରେଡ୍‌ରେ ୨୨୬୧ ଜଣ, ଡି ଗ୍ରେଡ୍‌ରେ ୨୦୧୧ ଜଣ ଏବଂ ଇ ଗ୍ରେଡ୍‌ରେ ୯୪୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ୨ ହଜାର ୮୦୬ ଜଣ ଫେଲ୍ ହୋଇଛନ୍ତି ବୋଲି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି।

 

Comment