ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱର ପ୍ରାୟ ସବୁ ଦେଶରେ କରୋନା ପ୍ରଭାବ ପଡ଼ିଛି। ଏଥରୁ ରକ୍ଷା ପାଇବା ପାଇଁ ସବୁଦେଶରେ କଟକଣା ଜାରି ହୋଇଛି। ମାସ୍କ, ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଥିଲା ବେଳେ ଜନ ସମାବେଶକୁ ବାରଣ କରାଯାଇଛି। ଏପରିସ୍ଥଳେ ଆମେରିକାରେ ଏକ ମ୍ୟୁଜିକ୍‌ କନସର୍ଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। କାରଣ ଏହି କନସର୍ଟରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା। କନସର୍ଟରେ ଉଭୟ ଗାୟକ ଓ ଦର୍ଶକଙ୍କୁ ବେଲୁନରେ ଭିତରେ ପଶିଥିବା ଦେଖିବାକୁ ମିଳିଥିଲା।

ନିକଟରେ ‘ଦି ଫ୍ଲେମିଂ ଲିପ୍ସ’ ପକ୍ଷରୁ ଏକ ନିଆରା ମ୍ୟୁଜିକ୍ କନସର୍ଟ ଆମେରିକାର ଓକ୍ଲାହୋମାଠାରେ ଅନୁଷ୍ଠିତ ହୋଇଥିଲା। ଏହି କନସର୍ଟରେ ଗାୟକ ପ୍ଲାଷ୍ଟିକର ବେଲୁନ ଭିତରେ ରହି ଗୀତ ଗାଇଥିବା ବେଳେ ଦର୍ଶକ ମଧ୍ୟ ବେଲୁନରେ ରହି ଗୀତର ତାଳେ ତାଳେ ଝୁମିଥିଲେ। ଏହାର ଫଟୋ ଓ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ଏହା ପ୍ରଥମ ଥର ନୁହେଁ। ଏହାପୂର୍ବରୁ ମଧ୍ୟ ‘ଦି ଫ୍ଲେମିଂ ଲିପ୍ସ’ ଜୁନ୍ ମାସରେ ଏହିଭଳି ଏକ କନସର୍ଟର ଆୟୋଜନ କରିଥିଲା। ଏହାପରଠାରୁ ବିଭିନ୍ନ ସ୍ଥାନରେ ସେମାନେ ଏହିପରି କନସର୍ଟ କରୁଛନ୍ତି। ତେବେ କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ଏଭଳି କରାଯାଉଛି ବୋଲି କୁହାଯାଉଛି।

ବେଲୁନରେ ପଶିବା ଦ୍ୱାରା ସାମାଜିକ ଦୂରତା ଅବଲମ୍ବନ ହେବା ସହିତ ସଂକ୍ରମଣ ଆଶଙ୍କା ମଧ୍ୟ କମ୍‌ ବୋଲି କୁହାଯାଉଛି।

Comment