ଓଡ଼ିଶାଲାଇଭ୍ ବ୍ୟୁରୋ

ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଥିବା ଅବପାତ ଖୁବଶୀଘ୍ର ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ। ଏହାପରେ ଗଭୀର ଅବପାତଟି ଉତ୍ତର- ଉତ୍ତରପୂର୍ବ ଦିଗରେ ଗତି କରି ଆଜି ଅପରାହ୍ଣ ସମୟରେ ସାଗର ଦ୍ୱୀପପୁଞ୍ଜ ଏବଂ ବାଂଲାଦେଶର ଖେପୁପାରାଠାରେ ଉପକୂଳ ଅତିକ୍ରମ କରିବ।

ଏହାର ପ୍ରଭାବରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହି ସମୟରେ ରାଜ୍ୟରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବା ସହିତ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଅନ୍ୟପଟେ ଅବପାତ ପାଇଁ ରାଜ୍ୟ ସମସ୍ତ ବନ୍ଦରଗୁଡ଼ିକୁ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।ଅବପାତ ପାଇଁ ଆଜି ରାଜ୍ୟର ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାମାନଙ୍କରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବାବେଳେ କିଛି ଅଞ୍ଚଳରେ ଜଳ ଜମିରହିବ ବୋଲି ଆଶଙ୍କା କରାଯାଉଛି। ସେହିପରି ଆଜିପାଇଁ ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଓ ମୟୂରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ୨୪ ତାରିଖ ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ତିନି ଦିନ ଲଗାଣ ବର୍ଷାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରିଛି।

Comment