ଓଡ଼ିଶାଲାଇଭ୍ ବ୍ୟୁରୋ

ମୁମ୍ବାଇର ନାଗପଡ଼ା ସ୍ଥିତ ସିଟି ସେଣ୍ଟର ସପିଂ ମଲ୍‌ରେ ଗୁରୁବାର ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ତେବେ ଅଗ୍ନିକାଣ୍ଡକୁ ଦୀର୍ଘ ୧୬ ଘଣ୍ଟା ବିତି ଯାଇଥିଲେ ମଧ୍ୟ ନିଆଁକୁ ଆୟତ୍ତ କରାଯାଇପାରିନାହିଁ। ସ୍ଥିତି ଏପରି ହୋଇଛି ଯେ ମୁମ୍ବାଇ ଫାୟାର ବ୍ରିଗେଡ ଏହାକୁ ଲେଭଲ-୪ ଅଗ୍ନିକାଣ୍ଡ ବୋଲି ଘୋଷଣା କରିଛି। ନିଆଁ ଲିଭାଇବାକୁ ଚେଷ୍ଟା କରିବା ବେଳେ ଦୁଇ ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି।

ଗତକାଲି ରାତି ପ୍ରାୟ ୮ଟା ୪୦ ମିନିଟ୍‌ରେ ସପିଂ ମଲ୍‌ରେ ନିଆଁ ଲାଗିଥିବା କୁହାଯାଉଛି। ଏହି ସମୟରେ ମଲ୍‌ରେ ପାଖାପାଖି ୨୦୦ରୁ ୩୦୦ ଲୋକ ଥିଲେ। ସେମାନଙ୍କୁ ପୋଲିସ ଓ ଦମକଳ ବାହିନୀ ସହାୟତାରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଏଥିସହ ୨୦ରୁ ଅଧିକ ଦମକଳ ଗାଡ଼ି ଦୁର୍ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲା।

କିନ୍ତୁ ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଚାହୁଁ ଚାହୁଁ ସମ୍ପୂର୍ଣ୍ଣ ବିଲ୍ଡିଂକୁ ନିଆଁ ବ୍ୟାପିଯାଇଥିଲା। ବର୍ତ୍ତମାନ ମଲ୍ ପାଖାପାଖି ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ଖାଲି କରିଦିଆଯାଇଛି। ଏହି ଅଞ୍ଚଳରେ ରହୁଥିବା ପ୍ରାୟ ୩,୫୦୦ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ନିଆଁ ଲିଭାଇବା ପାଇଁ ୨୦୦ରୁ ଅଧିକ ଦମକଳ କର୍ମଚାରୀ ପରିଶ୍ରମ ଜାରି ରଖିଛନ୍ତି।

ନିଆଁ ଲିଭାଇବା ବେଳେ ଶମରାବ ଜଲାନ ବଞ୍ଜାରା ଓ ରମେଶ ପ୍ରଭାକର ନାମକ ଦୁଇ ଜଣ ଦମକଳ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ଜେଜେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।

Comment