ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ୧୪ ମାସ ପରେ ଆଜି ଏନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି। ଯେ ପର୍ଯ୍ୟନ୍ତ ତାଙ୍କୁ ଜମ୍ମୁକଶ୍ମୀରର ପତାକା ଫେରାଇ ଦିଆନଯାଇଛି ସେପର୍ଯ୍ୟନ୍ତ ସେ ଭାରତୀୟ ତ୍ରିରଙ୍ଗା ମଧ୍ୟ ଧରିବେ ନାହିଁ ବୋଲି କହିଛନ୍ତି।

ଜମ୍ମୁ କଶ୍ମୀରର ଆଞ୍ଚଳିକ ଦଳ ପିଡିପିର ମୁଖ୍ୟ ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ତ୍ରିରଙ୍ଗା ଭଳି ଜମ୍ମୁ କଶ୍ମୀରର ପତାକା ସହ ମଧ୍ୟ ଆମେ ଜଡ଼ିତ। ଏହି ପତାକାକୁ ଆମକୁ ଫେରାଇ ଦିଆଯାଉ। ଯେ ପର୍ଯ୍ୟନ୍ତ ତାଙ୍କୁ ତାଙ୍କର ପତାକା ଫେରାଇ ଦିଆଯିବ ନାହିଁ ସେ ପର୍ଯ୍ୟନ୍ତ ସେ ଭାରତୀୟ ତ୍ରିରଙ୍ଗା ପତାକା ମଧ୍ୟ ହାତରେ ଧରିବେ ନାହିଁ ବୋଲି କହିଛନ୍ତି।ଏଥିସହ ମେହବୁବା ମୁଫତି ମୋଦୀ ସରକାର ଉପରେ ବର୍ଷିଛନ୍ତି। ସରକାର ପାଖରେ ଭୋଟ ମାଗିବାକୁ କୌଣସି ପ୍ରସଙ୍ଗ ନାହିଁ ବୋଲି ସେ କହିଛନ୍ତି। ଏଥିସହ ଚୀନ୍ ଭାରତର ଏକ ହଜାର ବର୍ଗ କିଲୋମିଟର ଅଞ୍ଚଳ କବଜା କରିନେଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ଗତବର୍ଷ ଅଗଷ୍ଟ ମାସରେ କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ କରିଥିଲେ। ଏଥିସହ ଜମ୍ମୁ କଶ୍ମୀରରୁ ଭାଗ ଭାଗ କରି କଶ୍ମୀର ଓ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ସୃଷ୍ଟି କରାଯାଇଥିଲା। ଯାହାକୁ ନେଇ ଆଜି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ମେହବୁବା ମୁଫତି।

Comment