ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟ ଏବଂ କଲେଜର ଛାତ୍ରଛାତ୍ରୀଙ୍କୁ ମିଳିବ ନକଲ ସ୍କୁଲ ଓ କଲେଜ ଲିଭିଙ୍ଗ ପ୍ରମାଣପତ୍ର। ଯଦି କୌଣସି କାରଣରୁ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ ହଜିଯାଇଥାଏ କିମ୍ଵା ନଷ୍ଟ ହୋଇଯାଇଥାଏ ସେ କ୍ଷେତ୍ରରେ ସଂପୃକ୍ତ ଶିକ୍ଷାନୁଷ୍ଠାନରେ ସେମାନେ ଆବଶ୍ୟକୀୟ ସତ୍ୟପାଠ ବା ଆଫିଡେଭିଟ ଦାଖଲ କରି ସିଏଲ୍‌ସି ଏବଂ ଏସ୍‌ଏଲ୍‌ସିର ନକଲ ପାଇପାରିବେ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନିର୍ଦ୍ଦେଶ ପରେ ଗୁରୁବାର ଗଣଶିକ୍ଷା ଏହି ନିଷ୍ପତ୍ତି ନେଇଛି। ଏହି ନିୟମ ପାଳନ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟଙ୍କ ଜରିଆରେ ସମସ୍ତ ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ନକଲ ସାର୍ଟିଫିକେଟ ପାଇବାକୁ ଚାହୁଁଥିଲେ ଛାତ୍ରଛାତ୍ରୀମାନଙ୍କୁ ପ୍ରଥମେ ସାର୍ଟିଫିକେଟ ହଜିବାର ନିର୍ଦ୍ଧିଷ୍ଟ କାରଣ ଦର୍ଶାଇବାକୁ ପଡ଼ିବ। ଏହାପରେ ସଂପୃକ୍ତ ଶିକ୍ଷାନୁଷ୍ଠାନରେ ଏକ ସତ୍ୟପାଠ(ଆଫିଡେଭିଟ) ଦାଖଲ କରିବା ପରେ ସେମାନଙ୍କୁ ସିଏଲ୍‌ସି ଏବଂ ଏସ୍‌ଏଲ୍‌ସିର ନକଲ ମିଳିବ।

ଯଦି କୌଣସି ଛାତ୍ରଛାତ୍ରୀ ନକଲ ସାର୍ଟଫିକେଟ ନେଇ ଏହାକୁ ଦୁଇଟି ପାଠ୍ୟକ୍ରମରେ ବ୍ୟବହାର କରିବେ ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ନିଆଯିବ। ଏପରିକି ଅପରାଧିକ ମାମଲା ନିଆଯିବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ସିଏଲ୍‌ସି ଏବଂ ଏସ୍‌ଏଲ୍‌ସି ହଜିବା ଫଳରେ ଛାତ୍ରଛାତ୍ରୀମାନେ ଅନେକ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା। ତେଣୁ ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

Comment