କମଳାକାନ୍ତ ପତି

କରୋନା ପରିସଂଖ୍ୟାନ ନେଇ ଭାରତକୁ ମିଛୁଆ ବୋଲି କହିଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥର ପରମ ବନ୍ଧୁ ନରେନ୍ଦ୍ର ମୋଦୀଙ୍କ ସ୍ୱଚ୍ଛ ଭାରତ ଉପରେ ପ୍ରଶ୍ନଚିହ୍ନ ଲଗାଇଛନ୍ତି ଭାରତକୁ ଏକ ଦୂଷିତ ବାୟୁର ରାଷ୍ଟ୍ର ଭାବେ ଚିତ୍ରଣ କରି ଟ୍ରମ୍ପ କଣ ମୋଦୀଙ୍କୁ ବନ୍ଧୁତ୍ୱର ଉପହାର ଦେଲେ କି ବୋଲି ପ୍ରଶ୍ନ ଉଠାଇଲେଣି ବିରୋଧୀ

ହାଓଡ଼ି ମୋଦି, ନମସ୍ତେ ଟ୍ରମ୍ପକୁ ଭୁଲିଗଲେ ଟ୍ରମ୍ପ

ଆମେରିକାର ହ୍ୟୁଷ୍ଟନଠାରେ ଗତ ବର୍ଷ ‘ହାଓଡ଼ି ମୋଦି’ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ୨୦୧୯ ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟି (ବିଜେପି) ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରିଥିବାରୁ ମୋଦୀଙ୍କୁ ସମ୍ବର୍ଦ୍ଧିତ କରିବା ଥିଲା ‘ହାଓଡ଼ି ମୋଦୀ’ ବା ‘ହାଓ ଡୁ ୟୁ ମୋଦୀ’ କାର୍ଯ୍ୟକ୍ରମ ଆୟୋଜନର ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମରେ ଅତ୍ୟନ୍ତ ଉଲ୍ଲସିତ ହୋଇ କୁଟନୈତିକ ପ୍ରୋଟୋକଲ୍ ଭାଙ୍ଗି ମୋଦି କହି ପକାଇଥିଲେ ‘ଅବ୍ କି ବାର୍, ଟ୍ରମ୍ପ ସରକାର’ । ସେତେବେଳେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଆହୁରି ଏକ ବର୍ଷ ବାକି ରହିଥିଲେ ମଧ୍ୟ ମୋଦୀ ଏଭଳି ଭବିଷ୍ୟବାଣୀ କରିଥିଲେ।

ପ୍ରାୟ ୫୦ ହଜାର ଭାରତୀୟ ବଂଶୋଦ୍ଭବ ଓ ପ୍ରବାସୀ ଭାରତୀୟଙ୍କ ଗହଣରେ ମୋଦୀଙ୍କର ଏହି ଭବିଷ୍ୟବାଣୀ ଆମେରିକା ଓ ଭାରତବାସୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା, ହାଓଡ଼ି ମୋଦୀ କାର୍ଯ୍ୟକ୍ରମରେ କୃତ୍ୟକୃତ୍ୟ ହୋଇଥିବା ମୋଦୀ ଚଳିତବର୍ଷ ଟ୍ରମ୍ପଙ୍କୁ ସମ୍ବର୍ଦ୍ଧିତ କରିବା ସକାଶେ ଗୁଜରାଟର ଅହମ୍ମଦାବାଦରେ ଆୟୋଜନ କରିଥିଲେ ‘ନମେସ୍ତ ଟ୍ରମ୍ପ’ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ବନ୍ଧୁ ଟ୍ରମ୍ପଙ୍କ ଦ୍ୱାରା ପ୍ରଦତ୍ତ ସମ୍ମାନକୁ ବନ୍ଧୁତ୍ୱ ଖାତିରରେ ପ୍ରତିଦାନ ଦେବା।

ମୋଦୀଙ୍କ ନିମନ୍ତ୍ରଣ ରକ୍ଷା କରି ଟ୍ରମ୍ପ ସପରିବାରେ ଆସିଥିଲେ ଭାରତ। ଦେଶର ରାଜକୋଷରୁ ଅଜସ୍ର ଅର୍ଥ ଖର୍ଚ୍ଚ କରି ମୋଦୀ ଏହି ବିଦେଶୀ ନେତାଙ୍କୁ ନିଜ ରାଜ୍ୟରେ ବୁଲାଇବାର ପରିକଳ୍ପନା ଚରିତାର୍ଥ କରିଥିଲେ। ଏଥିରେ ଅନ୍ୟ କୌଣସି କୁଟନୈତିକ ଉଦ୍ଦେଶ୍ୟ ହାସଲ ହେଉ କି ନ ହେଉ ଟ୍ରମ୍ପଙ୍କ ମୁହଁରୁ ‘ଉତ୍ତମ ବନ୍ଧୁ’ର ଉପହାର ପାଇବାରେ ସଫଳ ହୋଇଥିଲେ ମୋଦୀ। କିନ୍ତୁ ସେହି ପରମବନ୍ଧୁଙ୍କ ମନରେ ଯେ ମୋଦୀଙ୍କ ଭାରତ ପ୍ରତି ଏତେ ଘୃଣା ଭରି ରହିଛି ତାହାର ପ୍ରମାଣ ମିଳିଲା। ଆମେରିକାର ୨ଟି ପ୍ରେସିଡେନସିଆଲ୍ ଡିବେଟ୍‌ରୁ। ଏହାକୁ ନେଇ ପ୍ରଶ୍ନ – ଟ୍ରମ୍ପ କ’ଣ ଭୁଲିଗଲେ ‘ହାଓଡ଼ି ମୋଦୀ’ ଏବଂ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମକୁ?

ଭାରତ ମିଛୁଆ, ପ୍ରଦୂଷିତ ଦେଶ କହିଲେ ଟ୍ରମ୍ପ

ରାଷ୍ଟ୍ରପତି ଟ୍ରମ୍ପଙ୍କର ଏହା କି ପ୍ରକାର ଆଶ୍ଚର୍ଯ୍ୟଜନକ ଚିତ୍ରଣ। ଭାରତକୁ ବନ୍ଧୁ ରାଷ୍ଟ୍ର, ମୋଦୀଙ୍କୁ ପରମ ମିତ୍ର କହି ଆସୁଥିବା ଟ୍ରମ୍ପ ହଠାତ୍ ମନ ପରିବର୍ତ୍ତନ କରିନେଲେ କାହିଁକି? ଘଟଣାଚକ୍ରରେ ଦୁଇ ମାସ, ପୂର୍ବରୁ ପ୍ରେସିଡେଣ୍ଟ ନିର୍ବାଚନ ପ୍ରଚାର ଆରମ୍ଭ କରି ମୋଦୀଙ୍କ ସ୍ଳୋଗାନକୁ ଦୋହରାଇଥିଲେ ଟ୍ରମ୍ପ। ରାଷ୍ଟ୍ରପତି ନିର୍ବାଚନରେ ପୁନର୍ବାର ପ୍ରାର୍ଥୀ ହୋଇଥିବା ଟ୍ରମ୍ପ ‘ଭିଡିଓ କ୍ୟାମ୍ପେନିଂ’ର ଶୁଭାରମ୍ଭ କରିଥିଲେ ‘ଫୋର୍ ଇୟର ମୋର’ (ଆହୁରି ଚାରିବର୍ଷ) ସ୍ଲୋଗାନରୁ।

ଏହି ପ୍ରଚାରରେ ସେ ତୋଳି ଧରିଥିଲେ ଟ୍ରମ୍ପ-ମୋଦୀଙ୍କ ୨ଟି ମିଳିତ ସମ୍ବର୍ଦ୍ଧନା ସଭାର କିଛି ନିର୍ବାଚନ ସ୍ଳୋଗାନ। ‘ହାଓଡ଼ି ମୋଦୀ’ ସଭାରେ ମୋଦୀ ଦେଇଥିବା ଭାଷଣରେ ‘ଅବ୍ କି ବାର, ଟ୍ରମ୍ପ ସରକାର’ ବୋଲି କହିଥିବା କଥା, ‘ନମସ୍ତେ ଟ୍ରମ୍ପ’ ସଭାରେ ମୋଦୀ କହିଥିବା  ‘ସେ ଓ ଟ୍ରମ୍ପ’ ମିଳିତ ଭାବେ ନୂଆଦିଲ୍ଲୀ-ୱାଶିଂଟନ୍ ସମ୍ପର୍କକୁ ଏକ ନୂଆ ଉଚ୍ଚତାରେ ପହଞ୍ଚାଇବା ‘ପ୍ରସଙ୍ଗ’ ଅବତାରଣା କରିଥିଲେ। ସେହି ଟ୍ରମ୍ପ ହଠାତ୍ ଭାରତକୁ ମିଛୁଆ ଓ ପ୍ରଦୂଷିତ ବାତାବରଣର ଦେଶ ବୋଲି କହିଲେ କାହିଁକି?

ପ୍ରେସିଡେନ୍ସିଆଲ୍ ଡିବେଟ୍‌ରେ କ’ଣ କହିଲେ

ଚଳିତ ମାସ ଆରମ୍ଭରେ ପ୍ରେସିଡେଣ୍ଟ ଟ୍ରମ୍ପ ପ୍ରଥମ ପ୍ରେସିଡେନ୍ସିଆଲ୍ ଡିବେଟ୍‌ରେ ଡେମୋକ୍ରାଟ୍ ପ୍ରାର୍ଥୀ ଜୋ ବାଇଡେନଙ୍କ ସହ ସମ୍ମୁଖ ବିତର୍କରେ ସାମ୍ନାସାମ୍ନି ହୋଇଥିଲେ। କୋଭିଡ୍ ପରିଚାଳନାରେ ଟ୍ରମ୍ପ ପ୍ରଶାସନ ଚରମ ବିଫଳ ହୋଇଛି ବୋଲି କହିଥିଲେ ବାଇଡେନ୍। ଏହାର ପ୍ରତ୍ୟୁତ୍ତରରେ ଟ୍ରମ୍ପ ଟାଣି ଆଣିଥିଲେ ଚୀନ୍, ରୁଷ ଓ ଭାରତର କରୋନା ପରିଚାଳନା ବିଫଳତା ପ୍ରସଙ୍ଗ। ଏଥିରେ ସେ କହିଥିଲେ ଯେ, ଉପରୋକ୍ତ ତିନି ଦେଶ କରୋନା ମୃତ୍ୟୁ ସଂଖ୍ୟା ନେଇ ମିଥ୍ୟା ପରିସଂଖ୍ୟାନ ଦେଉଛନ୍ତି। ସେମାନେ ସଠିକ୍ ତଥ୍ୟ ଦେଉନାହାନ୍ତି ବୋଲି ବାଇଡେନ୍ ଜାଣି ରଖିବା ଉଚିତ୍। ପରୋକ୍ଷରେ ଟ୍ରମ୍ପ ଚୀନ୍ ଓ ରୁଷ ସହ ଭାରତକୁ ମଧ୍ୟ ମିଛୁଆ ରାଷ୍ଟ୍ର ଭାବେ ଚିତ୍ରଣ କରିଥିଲେ।

ସଦ୍ୟ ସମାପ୍ତ ଦ୍ୱିତୀୟ ପ୍ରେସିଡେନ୍ସିଆଲ୍ ବିତର୍କ ବେଳେ ଟ୍ରମ୍ପ ଭାରତକୁ ବାୟୁ ପ୍ରଦୂଷିତ ଦେଶ ବୋଲି କହିବାକୁ ପଛାଇ ନାହାନ୍ତି। ଟ୍ରମ୍ପଙ୍କ ଦାବି, ‘ମୁଁ ପ୍ୟାରିସ୍ ଚୁକ୍ତି ରକ୍ଷା କରିବାକୁ ଯାଇ ଲକ୍ଷ ଲକ୍ଷ ଚାକିରି, ହଜାର ହଜାର ସଂସ୍ଥାକୁ ଛାଡ଼ିପାରିବି ନାହିଁ’। ତାଙ୍କର ଅଭିଯୋଗ ‘ଭାରତ ଓ ଚୀନର କଳକାରଖାନାଗୁଡ଼ିକ ବାୟୁ ପ୍ରଦୂଷଣ କରୁଥିଲେ ମଧ୍ୟ ସେଗୁଡ଼ିକୁ ବନ୍ଦ କରିବା ସକାଶେ ଆନ୍ତର୍ଜାତିକ ତତ୍ପରତା ନାହିଁ। ପରିବେଶ ସୁରକ୍ଷାର ଆଳ ଦେଖାଇ ଆମେରିକାକୁ ଚାପରେ ରଖିବାକୁ ଚେଷ୍ଟା କରାଯାଉଛି।’ ଟ୍ରମ୍ପ ଭାରତର ବାୟୁ ପ୍ରଦୂଷଣ ପ୍ରସଙ୍ଗ ଉଠାଇ ସିଧାସଳଖ ଭାବେ ନ ହେଲେ ମଧ୍ୟ ମୋଦିଙ୍କ ‘ସ୍ୱଚ୍ଛ ଭାରତ’ କାର୍ଯ୍ୟକ୍ରମକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।

ମୋଦୀଙ୍କୁ ପ୍ରଚଣ୍ଡ ଆଘାତ ଦେଲେ ବନ୍ଧୁ

ଦ୍ୱିତୀୟ ଥର ସକାଶେ ନିର୍ବାଚନ ଲଢୁଥିବା ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କର ଭାରତ ବିରୋଧୀ ଟିପ୍ପଣୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଚଣ୍ଡ ଆଘାତ ଦେଇଛି। ଟ୍ରମ୍ପଙ୍କୁ ଭାରତର ଆବର୍ଜନୀ ଓ ମଳିମୁଣ୍ଡିଆ ଲୋକଙ୍କଠାରୁ ଦୂରେଇ ରଖିବା ସକାଶେ ମୋଦୀ ଅହମ୍ମଦାବାଦ ବିମାନ ବନ୍ଦରଠାରୁ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମସ୍ଥଳ ସର୍ଦ୍ଦାର ପଟେଲ୍ ଷ୍ଟାଡିୟମ୍ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱର ସୌନ୍ଦର୍ଯ୍ୟକରଣ କରାଇଥିଲେ। ଷ୍ଟାଡିୟମ୍ ପାର୍ଶ୍ୱରେ ଥିବା ବସ୍ତିକୁ ଅଦୃଶ୍ୟ କରିବା ପାଇଁ ବିଶାଳ ପ୍ରାଚୀର ଗଢ଼ିଥିଲେ। ଟ୍ରମ୍ପ ଯେଉଁ ରାସ୍ତାରେ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଯାଇଥିଲେ, ତାହା ବସ୍ତୁତଃ ଧୂଳିଶୂନ୍ୟ ଥିଲା।

ଏତେ ପରିଷ୍କାର ପରିଚ୍ଛନ୍ନତା ମଧ୍ୟରେ ଟ୍ରମ୍ପ ଅହମ୍ମଦାବାଦରେ ସମ୍ବର୍ଦ୍ଧିତ ହୋଇ ଯିବା ପରେ ଭାରତକୁ ବାୟୁ ପ୍ରଦୂଷିତ ଏବଂ ଆବର୍ଜନାମୟ ଦେଶ ବୋଲି ଉପଲବ୍ଧି କଲେ କିପରି? ପୁଣି ଏଭଳି ଏକ କାର୍ଯ୍ୟକ୍ରମରେ ସେ ଭାରତକୁ ଅପବାଦ ଦେଲେ, ଯେଉଁ କାର୍ଯ୍ୟକ୍ରମକୁ ଆମେରିକାର ସମସ୍ତ ଅଧିବାସୀ ଦେଖୁଥିଲେ ଓ ଟ୍ରମ୍ପଙ୍କ ଭାଷଣ ଶୁଣୁଥିଲେ। ଏହି ଟିପ୍ପଣୀ ଦେଇ ବନ୍ଧୁ ମୋଦୀଙ୍କ ମନରେ ପ୍ରଚଣ୍ଡ ଆଘାତ ଲଗାଇଛନ୍ତି ଟ୍ରମ୍ପ। ଭାରତରେ ବିରୋଧୀ ହାତରେ ସମାଲୋଚନାର ଅସ୍ତ୍ର ଧରାଇ ଦେଇଛନ୍ତି।

କାହିଁକି ଟ୍ରମ୍ପ ଭାରତ ଉପରେ ଅସନ୍ତୁଷ୍ଟ?

ଏବେ ରାଜନୈତିକ ଓ କୁଟନୈତିକ ମହଲର ପ୍ରଶ୍ନ – କାହିଁକି ହଠାତ୍ ଭାରତକୁ ନେଇ ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ କରୁଛନ୍ତି ରିପବ୍ଲିକାନ୍ ନେତା ଟ୍ରମ୍ପ। ଏହାର ଏକାଧିକ କାରଣ ଦେଖୁଛନ୍ତି କୁଟନୈତିକ ମହଲ। ପ୍ରଥମତଃ ଟ୍ରମ୍ପ ଅତିରିକ୍ତ ଆମଦାନୀ ଶୁଳ୍କକୁ ନେଇ କ୍ଷୁବ୍ଧ। ଭାରତରେ ଆମେରିକା ସାମଗ୍ରୀ ଉପରେ ମୋଦୀ ସରକାର ଯେଉଁଭଳି ଅତିରିକ୍ତ ଆମଦାନୀ ଶୁଳ୍କ ବସାଇଛନ୍ତି, ତାହା ଅନ୍ତର୍ଜାତୀୟ ମୁକ୍ତ ବାଣିଜ୍ୟର ପରିପନ୍ଥୀ। ଏହା ଟ୍ରମ୍ପ ବାରମ୍ବାର କହି ଆସୁଛନ୍ତି। ଦ୍ୱିତୀୟତଃ କରୋନା ଭାଇରସ୍ ତଥ୍ୟ ଗୋପନ କରିଥିବା କାରଣରୁ ଚୀନ୍ ଉପରେ ଚାପ ବୃଦ୍ଧି କରିବାକୁ ଭାରତକୁ ଅନୁରୋଧ କରି ଟ୍ରମ୍ପ ବିଫଳ। ତୃତୀୟତଃ କରୋନା ଚିକିତ୍ସା ପାଇଁ ଆମେରିକା ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ସରବରାହ ସକାଶେ ପ୍ରଥମେ ଭାରତ ମନା କରିଦେଇଥିଲା। ଅବଶ୍ୟ ପରେ ଟ୍ରମ୍ପଙ୍କ ଚେତାବନୀରେ ଭାରତ ଏହି ଔଷଧ ଆମେରିକାକୁ ପଠାଇଥିଲା।

ମାତ୍ର ଟ୍ରମ୍ପଙ୍କ ଏନେଇ ଭାରତ ଉପରେ ରାଗ ରହିଛି। ରାଜନୈତିକ ମହଲ କିନ୍ତୁ ଅନ୍ୟ ଏକ ଦୃଷ୍ଟିକୋଣରୁ ଟ୍ରମ୍ପଙ୍କ ଆଭିମୁଖ୍ୟ ପରିବର୍ତ୍ତନକୁ ବିବେଚନା କରୁଛନ୍ତି। ଏଥର ଆମେରିକାରେ ୨୦ ଲକ୍ଷ ପ୍ରବାସୀ ଭାରତୀୟ ଭୋଟ୍‌ରୁ ଏକ ବଡ଼ ଅଂଶ ଡେମୋକ୍ରାଟ୍ ପ୍ରାର୍ଥୀଙ୍କ ସପକ୍ଷରେ ଯିବ ବୋଲି ସ୍ପଷ୍ଟ ହୋଇଗଲାଣି। ପ୍ରବାସୀ ଭାରତୀୟଙ୍କୁ ନିଜ ପ୍ରତି ଆକର୍ଷିତ କରିବା ସକାଶେ ଗତ ବର୍ଷ ଟ୍ରମ୍ପ ‘ହାଓଡ଼ି ମୋଦି’ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ମାତ୍ର ଡେମୋକ୍ରାଟ୍ ପ୍ରାର୍ଥୀ ବାଇଡେନ୍ ରାଜନୈତିକ ଖେଳ ଖେଳି ତାଙ୍କର ‘ରନିଂ ମେଟ୍‌’ ଭାବରେ ଭାରତୀୟ ବଂଶୋଦ୍ଭବ କମଳା ହାରିସଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଛନ୍ତି। ବାଇଡେନଙ୍କର ଏହି ଚାଲାକି ବୁଝି କଠୋରପନ୍ଥୀ ଶ୍ୱେତାଙ୍ଗ ଭୋଟ୍ ହାତେଇବା ଲକ୍ଷ୍ୟରେ ଟ୍ରମ୍ପ ତାଙ୍କ ଆଭିମୁଖ୍ୟ ବଦଳାଇଥିବା ଆଲୋଚନା ହେଉଛି।

ଦେଶରେ ସମାଲୋଚିତ ମୋଦୀ

ପୂର୍ବରୁ ଟ୍ରମ୍ପ ବିଭିନ୍ନ ସମୟରେ ମୋଦୀଙ୍କୁ କଟାକ୍ଷ କରିଛନ୍ତି। କେତେବେଳେ ମୋଦୀଙ୍କ ପାଇଁ ଭଲ ପାତ୍ରୀ ଖୋଜା, ପୁଣି କେତେବେଳେ ମୋଦୀଙ୍କ ଇଂଲିଶ୍ କହିବାର ଭଙ୍ଗୀକୁ ନକଲ କରି ଏକପ୍ରକାର ତାତ୍ସଲ୍ୟ କରିଛନ୍ତି ଆମେରିକାର ରାଷ୍ଟ୍ରପତି। ଏହା ସତ୍ତ୍ୱେ ସେ ବାରମ୍ବାର କହିଛନ୍ତି ମୋଦୀ ମୋର ଭଲ ବନ୍ଧୁ। ଏବେ ଟ୍ରମ୍ପ ବ୍ୟକ୍ତିଗତ ସ୍ତରରୁ ଉଠି ଭାରତରେ ତାତ୍ସଲ୍ୟ କରୁଥିବା କାରଣରୁ ଦେଶରେ ବିରୋଧୀ ରାଜନେତାମାନେ ମୋଦୀଙ୍କୁ ସମାଲୋଚନା ପାଇଁ ପ୍ରସଙ୍ଗ ପାଇଯାଉଛନ୍ତି। କଂଗ୍ରେସ ନେତା କପିଲ ସିବଲ ତତ୍‌କ୍ଷଣାତ୍ ଟୁଇଟ୍ କରି- ଏହା କ’ଣ ବନ୍ଧୁତ୍ୱର ଫଳ? ଭାରତରେ କୋଭିଡ୍ ମୃତ୍ୟୁ ସଂଖ୍ୟା ନେଇ ପ୍ରଶ୍ନ। ଭାରତର ବାୟୁ ପ୍ରଦୂଷିତ, ଆବର୍ଜନାମୟ। ଭାରତକୁ ଟିକସ ବସାଇବାର ରାଜା କୁହାଯିବା କ’ଣ ‘ହାଓଡ଼ି ମୋଦି’ ‘ନମସ୍ତେ ଟ୍ରମ୍ପ’ର ପରିଣାମ ବୋଲି ପ୍ରଶ୍ନ ଉଠାଇଛନ୍ତି କପିଲ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ନିଜସ୍ୱ।)

Comment