ଓଡ଼ିଶାଲାଇଭ୍ ବ୍ୟୁରୋ

ବିବାହ ଦିନ ସୁନ୍ଦର ପୋଷାକ ପିନ୍ଧିବାକୁ ସବୁ ଝିଅଙ୍କ ସ୍ୱପ୍ନ ଥାଏ। କିନ୍ତୁ ଅର୍ଥାଭାବରୁ କିଛି ଝିଅଙ୍କ ଏହି ସ୍ଵପ୍ନ ପୂରା ହୋଇପାରେନା। ତେବେ ସେମିତି କିଛି ଗରିବ ଝିଅଙ୍କ ସ୍ୱପ୍ନ ପୂରା କରିବାରେ ଲାଗି ପଡ଼ିଛନ୍ତି କେରଳର କନ୍ନୁର ନିବାସୀ ସବିତା ଏକେ। ଗରିବ ଝିଅଙ୍କୁ ମାଗଣାରେ ବିବାହ ପୋଷାକ ପ୍ରଦାନ କରି ସେ ଚର୍ଚ୍ଚାକୁ ଆସିଛନ୍ତି। ଖାଲି ସେତିକି ନୁହେଁ ଝିଅମାନଙ୍କୁ ବିବାହ ଦିନ ମେକ୍ଅପ୍ କରିବା ଲାଗି ସେ ଏକ ଟିମ୍‌ର ମଧ୍ୟ ବ୍ୟବସ୍ଥା କରିଛନ୍ତି।

ସବିତା ୮ ବର୍ଷ ହେଲା ରେନ୍‌ବୋ ଓ୍ଵିମେନ୍ସ ଆଉଟଫିଟ୍ ନାମକ ଏକ ବୁଟିକ୍ ଚଳାଉଛନ୍ତି। ପ୍ରାୟ ଦୁଇ ମାସ ତଳେ ସବିତାଙ୍କ ପାଖକୁ ଜଣେ ଯୁବତୀ ଫୋନ୍ କରିଥିଲେ। ସମ୍ପୃକ୍ତ ଯୁବତୀଙ୍କ ବିବାହକୁ ଆଉ ଅଳ୍ପ ଦିନ ବାକି ଥିଲା। କିନ୍ତୁ ସେ ନିଜ ପାଇଁ ବିବାହ ପୋଷାକଟିଏ କିଣିବାକୁ ଅସମର୍ଥ ଥିଲେ। ଯୁବତୀଜଣକ ସବିତା ବୁଟିକ୍ ଚଳାଉଥିବା ଜାଣିଥିଲେ। ତେଣୁ ସେ ବିବାହ ପୋଷାକ ଆଶାରେ ସବିତାଙ୍କୁ ଫୋନ୍ କରିଥିଲେ।ଏହି ଫୋନ୍ କଲ୍ ପାଇବା ପରେ ସବିତା ତାଙ୍କୁ ନିରାଶ କଲେ ନାହିଁ। ଯୁବତୀଙ୍କ ବିବାହ ପୂର୍ବରୁ ତାଙ୍କ ପାଖକୁ ଏକ ସୁନ୍ଦର ବିବାହ ପୋଷାକ ପଠାଇ ଦେଇଥିଲେ। ଏହା ପରେ ସେ ଗରିବ ଝିଅମାନଙ୍କୁ ସେମାନଙ୍କ ମନମୁତାବକ ବିବାହ ପୋଷାକ ମାଗଣାରେ ଯୋଗାଇ ଦେବାକୁ ଚିନ୍ତା କଲେ।

ଏଥିପାଇଁ ଲୋକମାନଙ୍କୁ ନିଜ ବିବାହ ପୋଷାକ ଦାନ କରିବାକୁ ଅନୁରୋଧ କରି ସବିତା ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କଲେ। ଚାହୁଁ ଚାହୁଁ ଦିନ କେଇଟାରେ ଭିଡିଓଟି ଭାଇରାଲ ହୋଇଗଲା। ଭିଡିଓ ଦେଖିବା ପରେ ମୁମ୍ବାଇ, କୋଚି, ଦୁବାଇ, ବ୍ରିଟେନ୍ ଆଦି ସ୍ଥାନରୁ ଲୋକମାନେ ସେମାନଙ୍କ ବିବାହ ପୋଷାକ ପଠାଇଛନ୍ତି। ସେଥିମଧ୍ୟରେ ଲକ୍ଷାଧିକ ଟଙ୍କାର ପୋଷାକ ମଧ୍ୟ ରହିଛି।ବିବାହ ପୋଷାକ ବ୍ୟତୀତ ପର୍ସ, ଗହଣା, ବେଡ୍‌ସିଟ୍, ଜୋତା ଏପରିକି ମେକ୍ଅପ୍ ସେଟ୍ ମଧ୍ୟ ଦାନ କରୁଛନ୍ତି ଲୋକେ। ଲୋକଙ୍କଠାରୁ ଏଭଳି ସକାରାତ୍ମକ ପ୍ରତିକ୍ରିୟା ମିଳିବା ପରେ ସବିତା କନ୍ନୁର ବ୍ୟତୀତ ଥିରୁଅନନ୍ତପୁରମ୍, ଏର୍ଣ୍ଣାକୁଲମ୍, କୋଲାମ, ପଟ୍ଟାମ୍ବି, କାସରଗୋଡ୍, କୋଝିକୋଡ୍ ଓ ମାଙ୍ଗାଳୁରୁରେ ନିଜର ଆଉଟ୍‌ଲେଟ୍ ଖୋଲିଛନ୍ତି।

ଗରିବ ଯୁବତୀମାନେ ଏହି ସବୁ ଆଉଟ୍‌ଲେଟ୍‌ରୁ ବିବାହ ପୋଷାକ ନେଇଥାନ୍ତି। ଏମିତିକି ଜଣେ ଯୁବତୀ ଗୋଟିଏ ଥରରେ ୩ରୁ ୪ଟି ଆଉଟ୍‌ଫିଟ୍ ମଧ୍ୟ ନେଇଥାନ୍ତି। ବିବାହ ସରିବା ପରେ ଯୁବତୀମାନେ ସେହି ପୋଷାକକୁ ଇଚ୍ଛା ହେଲେ ଫେରାଇ ଦିଅନ୍ତି ନହେଲେ ନିଜ ପାଖରେ ରଖନ୍ତି। ଗତ ଦୁଇ ମାସ ଭିତରେ ସବିତା ୩୦ରୁ ଅଧିକ ଗରିବ କନ୍ୟାଙ୍କୁ ମାଗଣାରେ ବିବାହ ପୋଷାକ ଦାନ କରିସାରିଲେଣି।

Comment