ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରର ମହେଶ କାପସେ ଚିତ୍ର କରି ଏବେ ମାସକୁ ୮୦ ହଜାର ଆୟ କରୁଛନ୍ତି।

ଲକଡାଉନ୍ ଯୋଗୁଁ ଚାକିରି ହରେଇ ଘରେ ବସିଥିବା ଏବଂ କଷ୍ଟରେ ଜୀବନ ବଞ୍ଚୁଥିବା ଅନେକ ଲୋକଙ୍କ କାହାଣୀ ଆପଣ ଏହି କିଛି ଦିନ ଭିତରେ ଶୁଣିଥିବେ। ହେଲେ ମାସକୁ ୧୦ ହଜାର ଆୟ କରୁଥିବା ଜଣେ ବ୍ୟକ୍ତି ଲକଡାଉନରେ ଚାକିରି ହରେଇବା ପରେ ଏବେ ମାସକୁ ୮୦ ହଜାର ଟଙ୍କା ଆୟ କରୁଛନ୍ତି। କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ ମଧ୍ୟ ଏହା ସତ।

ମହାରାଷ୍ଟ୍ରର ଔରଙ୍ଗବାଦରେ ମହେଶ କାପସେ ଜଣେ ଡ୍ରଇଁ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ଦରମା ବାବଦକୁ ତାଙ୍କୁ ମାସକୁ ୧୦ ହଜାର ଟଙ୍କା ମିଳୁଥିଲା। ହେଲେ କରୋନା କାରଣରୁ ଜାରି ହୋଇଥିବା ଲକଡାଉନ୍ ତାଙ୍କ ଜୀବନର ମୋଡ଼ ବଦଳାଇଦେଲା। ସେ ଚାକିରି ହରାଇବା ପରେ ନିଜ ଗାଁ ବୁଲଢ଼ାଣାକୁ ଚାଲିଆସିଥିଲେ।ଏହାପରେ ମହେଶ କିଛି ଦିନ ପାଇଁ ଘରେ ବେରୋଜଗାର ହୋଇ ବସିରହିଥିଲେ। କିଛି କାମ କରିବାକୁ ବି ନଥିଲା,ଶେଷରେ ନିଜ ଖାଲି ସମୟର ବ୍ୟବହାର କରି ମହେଶ ଘରେ ହିଁ ଚିତ୍ର କରିବାକୁ ଲାଗିଲେ। ଚିତ୍ର କରୁଥିବା ସମୟର ଭିଡିଓ କରି ସେ ଏହାକୁ ବିଭିନ୍ନ ସୋସିଆଲ୍ ମିଡିଆରେ ସେଆର୍ କରିଥିଲେ। ମହେଶଙ୍କ ଡ୍ରଇଁଙ୍କୁ ଲୋକମାନେ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମହେଶ ଅତି ନିଖୁଣତାର ସହ ଚିତ୍ର କରିପାରୁଥିଲେ।

ମହେଶଙ୍କ ସୋସିଆଲ୍ ମିଡିଆରୁ ତାଙ୍କ ଚିତ୍ରର ବିଭିନ୍ନ ଭିଡିଓକୁ ବଲିଉଡ୍ ଷ୍ଟାରଙ୍କ ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ କ୍ରିକେଟର ଡେଭିଡ୍ ୱାର୍ନର, କେଭିନ୍ ପିଟରସନ ମଧ୍ୟ ସେଆର୍ କରିଥିଲେ। ଏହାପରେ ଖୁବ କମ ଦିନରେ ମହେଶ ସୋସିଆଲ୍ ମିଡିଆରେ ସୁପରଷ୍ଟାର ହୋଇଯାଇଥିଲେ।

ଏହାପରେ ମହେଶଙ୍କ ପାଖକୁ ଚିତ୍ର କରିବାକୁ ଅନେକ ଅର୍ଡର ଆସିଥିଲା। ସେ ଏହାକୁ କରିବା ପରେ ତାଙ୍କ ଆର୍ଥିକ ଅବସ୍ଥା ସୁଧୁରିବା ସହିତ ସେ ନିଜ କାମକୁ ଜାରି ରଖିପାରିଛନ୍ତି। ଏବେ ଦିନକୁ ମହେଶଙ୍କ ପାଖକୁ ୨ରୁ ୩ଟି ଚିତ୍ର କରିବାକୁ ଅର୍ଡର ଆସୁଛି । ଗୋଟିଏ ଚିତ୍ର କରିବାକୁ ମହେଶ ୨ ହଜାର ଟଙ୍କା ନେଇଥାନ୍ତି। ଏହିଭଳି ଭାବେ ମାସକୁ ୪୦ଟି ଚିତ୍ର କଲେ ମହେଶଙ୍କୁ ମାସକୁ ପାଖାପାଖି ୮୦ ହଜାର ଟଙ୍କା ମିଳିଯାଉଛି। ଯାହାକୁ ନେଇ ସେ ବେଶ ଖୁସି ଥିବା କହିଛନ୍ତି।

Comment