ଓଡ଼ିଶାଲାଇଭ୍ ବ୍ୟୁରୋ

ହରିଆଣାର ଫରିଦାବାଦ ଜିଲ୍ଲାରେ ଘଟିଛି ଏକ ବର୍ବର ହତ୍ୟାକାଣ୍ଡ। ସ୍ପଷ୍ଟ ଦିବାଲୋକରେ ଜଣେ ୨୧ ବର୍ଷୀୟ ଛାତ୍ରୀକୁ ଗୁଳିକରି ହତ୍ୟା କରାଯାଇଛି। କଲେଜରୁ ପରୀକ୍ଷା ଦେଇ ଫେରୁଥିବା ବେଳେ ଜଣେ ଯୁବକ ଛାତ୍ରୀ ଜଣଙ୍କୁ ଜୋର ଜବରଦସ୍ତ କାର୍ ଭିତରେ ବସାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ନବସିବାରୁ ଉତ୍ତ୍ୟକ୍ତ ହୋଇ ଯୁବକଟି ସିଧା ତାଙ୍କ ମୁଣ୍ଡକୁ ଗୁଳି ମାରିଥିଲା। ଏହି ଘଟଣାର ପୁରା ଦୃଶ୍ୟ ସ୍ଥାନୀୟ ଏକ ସିସିଟିଭିରେ କଏଦ ହୋଇଯାଇଛି।

ସୋମବାର ଫରିଦାବାଦର ବଲ୍ଲଭଗଡ଼ର ଏକ କଲେଜରୁ ନିକିତା ତୋମାର ନାମକ ଜଣେ ଛାତ୍ରୀ ଏବଂ ତାଙ୍କ ଜଣେ ସାଙ୍ଗ ପରୀକ୍ଷା ଦେଇ ଫେରୁଥିଲେ। ଏହି ସମୟରେ ପୂର୍ବରୁ ତାଙ୍କୁ ଅପେକ୍ଷା କରିଥିବା ଦୁଇ ଯୁବକ ତୌସୀଫ ଏବଂ ରେହାନ୍ ତାଙ୍କୁ କାର୍‌ରେ ବସାଇବାକୁ ଜୋର ଜବରଦସ୍ତ କରିଥିଲେ। ନିକିତା ତାଙ୍କୁ ପ୍ରତିବାଦ କରିବାରୁ ତୌସୀଫ ରାଗିଯାଇ ସିଧା ନିକିତାର ମୁଣ୍ଡକୁ ଗୁଳି କରିଥିଲେ। ଏହାପରେ ରେହାନ୍ ତୌସୀଫଙ୍କୁ ନେଇ ସେଠାରୁ ଛୁ’ ମାରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ନିକିତାଙ୍କୁ ମେଡିକାଲ ନେଇଥିଲେ ତାଙ୍କ ସାଙ୍ଗ। ସେଠାରେ ନିକିତାଙ୍କର ମୃତ୍ୟୁ ହୋଇଥିଲା।

ନିକିତା ଏବଂ ତୌସୀଫ ପରସ୍ପରକୁ ପୂର୍ବରୁ ଜାଣିଥିଲେ। ତୌସୀଫ ନିକିତାକୁ ଭଲ ପାଉଥିଲା। ଏପରିକି ୨୦୧୮ରେ ସେ ନିକିତାକୁ ଅପହରଣ ମଧ୍ୟ କରିନେଇଥିଲା। ପରେ ସେମାନଙ୍କ ଭିତରେ ବୁଝାମଣା ହୋଇ ସବୁକିଛି ଠିକ୍ ହୋଇଯାଇଥିଲା। କିନ୍ତୁ ନିକିତାର ପିଛା ଛାଡ଼ିନଥିଲା ତୌସୀଫ।

ଏହି ଘଟଣାକୁ ବିରୋଧ କରି ଏବେ ନିକିତାଙ୍କ ପାଇଁ ନ୍ୟାୟ ଦାବିରେ ଶହଶହ ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏପରି କି ଫରିଦାବାଦ ଓ ମଥୁରା ରାସ୍ତାକୁ ଲୋକମାନେ ସୋମବାର ବନ୍ଦ କରିଦେଇଥିଲେ। ଏହାପରେ ପୋଲିସ ମୁଖ୍ୟ ଅଭିଯୁକ୍ତ ତୌସୀଫ ଓ ଏହାପରେ ରେହାନଙ୍କୁ ଗିରଫ କରିଛି।

ଘଟଣାକୁ ନେଇ ବିବାଦ ବଢ଼ିବାରୁ ହରିଆଣା ସରକାର ଏବେ ଘଟଣାର ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କ ପାଖରୁ ହତ୍ୟାରେ ବ୍ୟବହୃତ ବନ୍ଧୁକ ଜବତ କରିଛି ପୋଲିସ। ଅନ୍ୟପକ୍ଷରେ ଘଟଣା ସ୍ଥଳରେ ଉପସ୍ଥିତ ଥିବା ନିକିତାଙ୍କ ସାଙ୍ଗଙ୍କ ବୟାନ ରେକର୍ଡ କରିଛି ପୋଲିସ।

Comment