ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ କରୋନା ମହାମାରୀର ସଙ୍କଟ ସମୟରେ ବଲିଉଡ ଅଭିନେତା ସୋନୁ ସୁଦ ହଜାର ହଜାର ଗରିବ ତଥା ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ପ୍ରଶଂସା ସାଉଁଟିଛନ୍ତି। କିନ୍ତୁ ସୋନୁଙ୍କର ଏହି ସାହାଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି କିଛି ଟ୍ରୋଲର। ଲୋକପ୍ରିୟତା ହାସଲ କରିବାକୁ ସୋନୁ ଏପରି ଲୋକଦେଖାଣିଆ ସାହାଯ୍ୟ କରୁଛନ୍ତି ବୋଲି ଟ୍ରୋଲରମାନେ କହିଛନ୍ତି। ଅନ୍ୟପଟେ ସୋନୁ ସମସ୍ତ ପ୍ରମାଣ ସହ ଏହି ଟ୍ରୋଲରମାନଙ୍କୁ କଡ଼ା ଜବାବ ଦେଇଛନ୍ତି।

ନିକଟରେ ଧୀରଜ କୁମାର ନାମକ ଜଣେ ଟୁଇଟର ୟୁଜର ବିହାରର ଏକ ଅସୁସ୍ଥ ଶିଶୁକୁ ସାହାଯ୍ୟ କରିବା ପାଇଁ ସୋନୁଙ୍କୁ ନିବେଦନ କରିଥିଲେ। ଶିଶୁଟିକୁ ସାହାଯ୍ୟ କରିବାକୁ ସୋନୁ ମଧ୍ୟ ଟୁଇଟ୍ କରି ଆଶ୍ଵାସନା ଦେଇଥିଲେ। ତେବେ ସୋନୁଙ୍କର ଏହି ଟୁଇଟ୍‌କୁ ନେଇ ଏବେ କିଛି ୟୁଜର ପ୍ରଶ୍ନ ଉଠାଇଛନ୍ତି।

ସେମାନଙ୍କ କହିବା ଅନୁସାରେ, ସାହାଯ୍ୟ ମାଗିଥିବା ବ୍ୟକ୍ତିଜଣକ ନିଜ ଟୁଇଟ୍‌ରେ ସୋନୁଙ୍କୁ ଟ୍ୟାଗ୍ କରିନାହାନ୍ତି। ସେ କିଛି ଦିନ ହେବ ଟୁଇଟର ଆକାଉଣ୍ଟ ଖୋଲିଛନ୍ତି। ତେଣୁ ଯେହେତୁ ସେ ସୋନୁଙ୍କୁ ଟ୍ୟାଗ୍ କରିନାହାନ୍ତି, ତେଣୁ ସୋନୁଙ୍କୁ ତାଙ୍କ ସାହାଯ୍ୟ ନିବେଦନ ବିଷୟରେ କେମିତି ଜଣାପଡ଼ିଲା ବୋଲି ପ୍ରଶ୍ନ କରିଛନ୍ତି ୟୁଜର। ଏଥିପାଇଁ ସୋନୁଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ମଧ୍ୟ କରାଯାଉଛି।

ଅନ୍ୟପଟେ ଏହି ଟ୍ରୋଲକୁ ନେଇ ମୁହଁ ଖୋଲିଛନ୍ତି ସୋନୁ। ସେ ଏକ ଏକ୍ସେଲ ସିଟ୍‌ ସେୟାର କରିଛନ୍ତି। ଏଥିସହ ସୋନୁ ଲେଖିଛନ୍ତି, “ଏହା ସବୁଠୁ ଭଲ କଥା। ମୁଁ ଜଣେ ଅସହାୟଙ୍କୁ ଖୋଜିଲି ଏବଂ କୌଣସି ପ୍ରକାରେ ସେ ମୋତେ ଖୋଜିଲେ। ବାଶ୍ ଏତିକି କଥା। କୌଣସି କାମ କରିବା ପାଇଁ ଖାଲି ଇଚ୍ଛାଶକ୍ତି ଥିବା ଦରକାର, କିନ୍ତୁ ଆପଣ ତାହା ବୁଝିପାରିବେନି।”

ସେ ଆହୁରି ଲେଖିଛନ୍ତି ଯେ, ଆସନ୍ତାକାଲି ରୋଗୀଜଣକ ଏସ୍‌ଆର୍‌ସିସି ହସ୍ପିଟାଲରେ ଭର୍ତ୍ତି ହେବେ। ତାଙ୍କ ପାଇଁ ଫଳ ପଠାଇଦିଅନ୍ତୁ। ଯାହାଙ୍କ ପାଖରେ ଦୁଇ-ତିନି ଜଣ ଫଲୋୟର ଅଛନ୍ତି, ସେ ଏତେଗୁଡ଼ିଏ ଫଲୋୟରଙ୍କଠାରୁ ଭଲପାଇବା ପାଇ ଖୁସି ହୋଇଯିବେ।

Comment