କମଳାକାନ୍ତ ପତି

ଏଲ୍‌ଜେପି ନେତା ଚିରାଗ ପାଶ୍ୱାନଙ୍କ ସହ ବିଜେପି ନେତୃତ୍ୱରେ ଘନିଷ୍ଠତା, ଆରଜେଡି ନେତା ତେଜସ୍ୱୀଙ୍କ ପ୍ରଚାର ସମାବେଶରେ ବିପୁଳ ଜନସମାଗମ, ଜେଡିୟୁ ଜନସଭାରେ ଲାଲୁ ପ୍ରସାଦ ଯାଦବଙ୍କ ଜିନ୍ଦାବାଦ ଧ୍ୱନି। ଏସବୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଲାଣି। ନୀତିଶ ପୁନର୍ବାର କ୍ଷମତାସୀନ ହେବେ ବୋଲି ପ୍ରାଥମିକ ଭାବେ କେତୋଟି ସର୍ଭେ ପୂର୍ବାନୁମାନ କରିଥିଲେ ମଧ୍ୟ ବିଚଳିତବୋଧ କଲେଣି ମୁଖ୍ୟମନ୍ତ୍ରୀ ନୀତୀଶ। ତାଙ୍କର ଆଶଙ୍କା- ବିହାରୀ ଭୋଟର ଏଥର ନିର୍ବାଚନରେ ବଦଳାଇ ଦେବେ କି ସମୀକରଣ ?

ବିହାରରେ କ’ଣ ସରକାର ବିରୋଧୀ ସ୍ରୋତ!

ମଝିରେ ମାତ୍ର କେତେ ମାସକୁ ଛାଡ଼ିଦେଲେ ବିହାରରେ ଦୀର୍ଘ ୧୫ ବର୍ଷ ହେବ (୨୦୦୫-୨୦୨୦) ଧରି ଶାସନ କ୍ଷମତାରେ ରହିଛନ୍ତି ଜନତା ଦଳ ୟୁନାଇଟେଡ୍‌ (ଜେଡିୟୁ) ନେତା ନୀତୀଶ କୁମାର। ପୂର୍ବ ୧୫ ବର୍ଷର ଲାଲୁ – ରାବ୍ରି ଶାସନରେ ଅତିଷ୍ଠ ବିହାରବାସୀ ନୀତୀଶଙ୍କ ଉପରେ ଆସ୍ଥା ରଖି ତାଙ୍କୁ ତିନି ମିଆଦ ଶାସନ କରିବାର ସୁଯୋଗ ଦେଲେଣି। ଗୋଟିଏ କଥା ନିଶ୍ଚିତ ଯେ, ନୀତୀଶଙ୍କ ଶାସନ କାଳରେ ରାଜ୍ୟର ଅନେକ ପରିବର୍ତ୍ତନ ଘଟିଛି। ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆସିଛି। ବିକାଶର ଗାଡ଼ି କିଛିଟା ବେଗବାନ ହୋଇଛି। ତଥାପି କେତୋଟି ପ୍ରସଙ୍ଗକୁ ନେଇ ବିହାରବାସୀ ନୀତୀଶଙ୍କ ଶାସନରେ ଅସନ୍ତୁଷ୍ଟ।

ସେହି ପ୍ରସଙ୍ଗଗୁଡ଼ିକ ମଧ୍ୟରେ ରହିଛି ପ୍ରବାସୀ ଶ୍ରମିକ, ବେକାରୀ, ଶିକ୍ଷା, ସ୍ୱାସ୍ଥ୍ୟ ସମେତ ଆହୁରି କିଛି। ଏହି ପ୍ରସଙ୍ଗଗୁଡ଼ିକୁ ଆରଜେଡି ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ଲାଲୁ ପ୍ରସାଦଙ୍କ ପୁତ୍ର ତେଜସ୍ୱୀ ପ୍ରସାଦ ସାମ୍ନାକୁ ଆଣୁଥିବାରୁ ତାଙ୍କ ଜନସଭାରେ ବିହାରୀ ଜନତାଙ୍କ ଅସମ୍ଭବ ଉଚ୍ଛ୍ୱାସ। ଏହାକୁ ଦେଖି ରାଜନୈତିକ ମହଲର ପ୍ରଶ୍ନ, ତେବେ କ’ଣ ଚାପରେ ପଡ଼ିଯାଇଛନ୍ତି ନୀତୀଶ ? ବିହାର ନିର୍ବାଚନରେ କ’ଣ ପ୍ରବାହିତ ହେଉଛି ସରକାର ବିରୋଧୀ ଅନୁସ୍ରୋତ ?

ଚିରାଗଙ୍କୁ ନେଇ ମୋଦୀଙ୍କ ନିରବତା

ବିହାରର ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ଅକ୍ଟୋବର ୨୬ ସନ୍ଧ୍ୟାରେ ଶେଷ ହୋଇଛି ପ୍ରଚାର। ଅକ୍ଟୋବର ୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ତିନୋଟି ସ୍ଥାନ ସାସାରାମ, ଗୟା ଏବଂ ଭାଗଲପୁରଠାରେ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିଥିଲେ। ସମସ୍ତଙ୍କର ଅପେକ୍ଷା ଥିଲା ଏଥର ଯେହେତୁ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ଏନ୍‌ଡିଏ ସହ ନ ରହି ରାଜ୍ୟରେ ଏକାକୀ ନିର୍ବାଚନ ଲଢୁଛି, ତେଣୁ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଏହି ଦଳର ନେତା ଚିରାଗ ପାଶ୍ୱାନକୁ ନେଇ କିଛି କହିବେ। ମାତ୍ର ଆଶ୍ଚର୍ଯ୍ୟର ବିଷୟ ହେଉଛି ମୋଦୀ ତାଙ୍କର ଭାଷଣରେ ଚିରାଗ କିମ୍ବା ଏଲ୍‌ଜେପିର ନାମ ମଧ୍ୟ ଉଚ୍ଚାରଣ କଲେ ନାହିଁ। ତେବେ ସେ ଇଙ୍ଗିତରେ ଏକଥା କହିଥିଲେ, କୌଣସି ଭ୍ରମ ରହିବା ଉଚିତ୍ ନୁହେଁ। ପ୍ରଧାନମନ୍ତ୍ରୀଙ୍କର ଏହି କଥା (କୌଣସି ଭ୍ରମ ରହିବା ଉଚିତ୍ ନୁହେଁ) ର ଉଦ୍ଦେଶ୍ୟ କ’ଣ ତାହା ଏବେ ଖୋଜୁଛି ରାଜନୈତିକ ମହଲ।

ଅନେକଙ୍କ ମନରେ ପ୍ରଶ୍ନ ଚିରାଗଙ୍କୁ ଉପଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ବିହାରବାସୀଙ୍କୁ ଏହି ବାର୍ତ୍ତା ଦେଇନାହାନ୍ତି ତ? ମୋଦୀଙ୍କର ଏହି କଥାକୁ ନେଇ ନୀତୀଶ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି। ଉଲ୍ଲେଖ କରାଯାଇପାରେ ଯେ, ଚିରାଗ କେନ୍ଦ୍ରରେ ବିଜେପି ନେତା ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଉତ୍ତମ ସମ୍ପର୍କ ରଖିଛନ୍ତି। ବିହାରରେ ତାଙ୍କର ଟାର୍ଗେଟ କେବଳ ନୀତୀଶ ଏବଂ ତାଙ୍କ ଦଳ ଜେଡିୟୁ। ତେଣୁ ଚିରାଗଙ୍କ ଏଲ୍‌ଜେପି ଏକାକୀ ନିର୍ବାଚନ ଲଢୁଥିଲେ ମଧ୍ୟ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ପ୍ରାର୍ଥୀ ଛିଡ଼ା କରାଇନାହାନ୍ତି। ବିହାରରେ ଏଥର ଜେଡିୟୁ – ବିଜେପି ମେଣ୍ଟ ସମାନ ଆସନ ଭାଗ କରି ନିର୍ବାଚନ ଲଢୁଛନ୍ତି।

ନୀତୀଶଙ୍କ ଦ୍ୱନ୍ଦ୍ୱ ଦୂର କରିବାକୁ ପ୍ରୟାସ

ବିହାର ଜନସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଲ୍‌ଜେପି ନେତା ଚିରାଗଙ୍କ ସମ୍ପର୍କରେ ନିରବତା ଅବଲମ୍ବନ କରିବା କାରଣରୁ ଦ୍ୱନ୍ଦ୍ୱରେ ପଡ଼ିଥିବା ନୀତୀଶ କୁମାରଙ୍କୁ ସାନ୍ତ୍ୱନା ପ୍ରଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ। ଏହି ବିହାରୀ ନେତା ସୋମବାର ପୁଣିଥରେ ସ୍ପଷ୍ଟ କରିଛନ୍ତି ଯେ, ନିର୍ବାଚନରେ ବିଜେପି ଏବଂ ଜେଡିୟୁ ସମାନ ସଂଖ୍ୟକ ଆସନରେ ଲଢୁଥିଲେ ମଧ୍ୟ କିଏ କେତେ ଆସନରେ ଜିତିବେ, ତାହାର କୌଣସି ଫରକ ପଡ଼ିବ ନାହିଁ। ନୀତୀଶ କୁମାର ହିଁ ଏନ୍‌ଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ଏନ୍‌ଡିଏ କ୍ଷମତାକୁ ଆସିଲେ ନୀତୀଶ ମୁଖ୍ୟମନ୍ତ୍ରୀ ହେବେ।

ଚିରାଗଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୁହଁ ନ ଖୋଲିବା ନେଇ ରାଜନୈତିକ ମହଲରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଉଥିବା ପରିପ୍ରେକ୍ଷୀରେ ରବିଶଙ୍କର ପ୍ରସାଦ ଏକ ଘରୋଇ ଟେଲିଭିଜନ୍ ଚାନେଲକୁ ସାକ୍ଷାତକାର ଦେଇ ଏହା କହିଛନ୍ତି। କିନ୍ତୁ ବିଜେପିର କେନ୍ଦ୍ରୀୟ ନେତାଙ୍କ ମନରେ କ’ଣ ସମୀକରଣ ଚାଲିଛି, ତାହା କେବଳ ସେହିମାନଙ୍କୁ ଜଣା। ଆଲୋଚନା ହେଉଛି ଯେ, ଏଥର ନିର୍ବାଚନରେ ବିଜେପି ଯଦି ଅଧିକ ଆସନରେ ଜିତେ, ତେବେ ଦଳର ରାଜ୍ୟସ୍ତରୀୟ ନେତାମାନେ ମୁଖ୍ୟମନ୍ତ୍ରୀ ପଦ ସକାଶେ ଅଡ଼ି ବସିପାରନ୍ତି। ସେ ପରିସ୍ଥିତିରେ ଚିରାଗଙ୍କ ଏଲ୍‌ଜେପି ସମର୍ଥନ ନେଇ ବିଜେପି ରାଜ୍ୟରେ ସରକାର ଗଢ଼ିବାର ସମ୍ଭାବନାକୁ ଏଡ଼ାଇଦେଇ ହେବନାହିଁ।

ଏନ୍‌ଡିଏ ସପକ୍ଷରେ ସର୍ଭେ ଫଳ

ବିହାର ନିର୍ବାଚନ ଫଳାଫଳ କ’ଣ ହେବ ସେ ନେଇ ଇତିମଧ୍ୟରେ ଯେତେଗୋଟି ଓପିନିୟନ୍ ପୋଲ ହୋଇଗଲାଣି – ସମସ୍ତ ସର୍ଭେର ଫଳ ଏନ୍‌ଡିଏ ପୁନର୍ବାର ସରକାର ଗଢ଼ିବା ସପକ୍ଷରେ ଯାଇଛି। ଟାଇମସ୍ ନାଓ ପ୍ରିଭୋଟ୍‌ର କରିଥିବା ସର୍ଭେ ଅନୁଯାୟୀ ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଏନ୍‌ଡିଏକୁ ୧୪୭ ଆସନ ମିଳିପାରେ ବୋଲି ଆକଳନ ପ୍ରକାଶ ପାଇଛି। ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟକୁ ଅତିବେଶୀରେ ୧୭ ଆସନ ମିଳିପାରେ। ପିତା ରାମବିଳାସ ପାଶ୍ୱାନଙ୍କ ଅକାଳ ମୃତ୍ୟୁକୁ ନେଇ ଅନୁକମ୍ପା ସତ୍ତ୍ୱେ ପୁତ୍ର ଚିରାଗଙ୍କ ନେତୃତ୍ୱାଧୀନ ଏଲ୍‌ଜେପିକୁ ୯ଟି ଆସନ ମିଳିବ ବୋଲି ଓପିନିୟନ୍ ପୋଲ୍‌ରେ ପୂର୍ବାନୁମାନ କରାଯାଇଛି।

ଏବିପି-ପ୍ରି-ଭୋଟର ଓପିନିୟନ୍ ପୋଲ ପୂର୍ବାନୁମାନ ମଧ୍ୟ ଏନ୍‌ଡିଏ ସପକ୍ଷରେ ରହିଛି। ଏହି ସର୍ଭେରେ କୁହାଯାଇଛି ଯେ, ଏନ୍‌ଡିଏକୁ ୧୩୫-୧୩୯, ଆରଜେଡି ମେଣ୍ଟକୁ ୭୭-୯୮ ଏବଂ ଏଲ୍‌ଜେପିକୁ ୧-୫ ଆସନ ମିଳିପାରେ। ଏହି ସର୍ଭେ ପୂର୍ବାନୁମାନ ନେଇ ଯଦି ଆକଳନ କରାଯାଏ ତେବେ ତେଜସ୍ୱୀ କିମ୍ବା ଚିରାଗଙ୍କ ଯାଦୁ କିଛି କାମ ଦେବ ନାହିଁ ବୋଲି ଧରି ନିଆଯିବ। ଏହା ସତ୍ତ୍ୱେ ନୀତୀଶ କାହିଁକି ଦ୍ୱନ୍ଦ୍ୱରେ ରହିଛନ୍ତି, ତାହା ବୁଝିବା କଷ୍ଟକର।

ମୌକା- ମନ୍ତ୍ରୀ, ଧୋକା-ମନ୍ତ୍ରୀ

ନୀତୀଶଙ୍କ ଆଶଙ୍କାର କାରଣ – ସରକାର ବିରୋଧୀ ଅନ୍ତଃସ୍ରୋତ ନିର୍ବାଚନରେ ଏନ୍‌ଡିଏ ଭୋଟ୍‌କୁ ପ୍ରଭାବିତ କରିବ କି? ତେଜସ୍ୱୀଙ୍କ ଜନସଭାରେ ଲୋକଙ୍କ ଭିଡ଼ ନୀତୀଶଙ୍କୁ ବିଚଳିତ କରୁଛି କି? ୨୦୧୫ ନିର୍ବାଚନ ପୂର୍ବରୁ ଆରଜେଡି ମହାମେଣ୍ଟରେ ସାମିଲ ହୋଇଥିଲା ଜେଡିୟୁ। ନୀତୀଶ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ। ଆରଜେଡି ଅଧିକ ସଂଖ୍ୟକ ଆସନ ଜିତିଥିଲେ ମଧ୍ୟ ଜେଡିୟୁ ମୁଖ୍ୟଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଉପ ମୁଖ୍ୟମନ୍ତ୍ରୀ ପଦରେ ସନ୍ତୁଷ୍ଟ ହୋଇଥିଲା।

ଅବଶ୍ୟ ପରେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀଙ୍କ ସହ ମତଭେଦ କାରଣରୁ ନୀତୀଶ ଇସ୍ତଫା ଦେଇ ବିଜେପି ସମର୍ଥନରେ ସରକାର ଗଢ଼ିଲେ। ଉପମୁଖ୍ୟମନ୍ତ୍ରୀ ହେଲେ ବିଜେପି ନେତା ସୁଶୀଲ ମୋଦୀ। ନୀତୀଶଙ୍କର ସେହି ଆଚରଣ ପ୍ରସଙ୍ଗକୁ ସିଧାସଳଖ ଭାବେ ନ ହେଲେ ମଧ୍ୟ ପରୋକ୍ଷରେ ସମାଲୋଚନା କରିଛନ୍ତି ଲାଲୁପ୍ରସାଦ ଯାଦବ। ଜେଲ୍‌ରେ ଥାଇ ଲାଲୁ ଟୁଇଟ୍ କରିଛନ୍ତି ଯେ, ମୁଖ୍ୟ ମୌକା (ସୁଯୋଗ) ମନ୍ତ୍ରୀଜୀ ଓ ଉପମୁଖ୍ୟ ଧୋକା (ପ୍ରତାରଣା) ମନ୍ତ୍ରୀଜୀ, ବିହାର ଜନତା ଆପଣଙ୍କୁ ଅନେକ ସୁଯୋଗ ଦେଇଛନ୍ତି। ଆପଣମାନେ କିନ୍ତୁ ବିହାରବାସୀଙ୍କୁ ବାରମ୍ବାର ଧୋକା ଦେଇଛନ୍ତି।

ବିତର୍କ ଯୋଡ଼ିଦେଲେ ତେଜସ୍ୱୀ

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଅନ୍ତିମ ଦିନରେ ଏକ ନୂଆ ବିତର୍କ ଯୋଡ଼ିଦେଲେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ। ସିଧାସଳଖ ଭାବେ ନ ହେଲେ ମଧ୍ୟ ସେ ଖେଳିଛନ୍ତି ଜାତିବାଦର କାର୍ଡ। ଏକ ନିର୍ବାଚନୀ ସଭାରେ ତେଜସ୍ୱୀ କହିଛନ୍ତି ଯେ, ଲାଲୁ ଯାଦବଙ୍କ ଶାସନ କାଳରେ ଗରିବ ଲୋକମାନେ ବାବୁସାହେବଙ୍କ ଆଗରେ ଛାତି ଫୁଲାଇ ଚାଲିବାର ସାହାସ ରଖି ପାରୁଥିଲେ।

ଯଦିଓ ତେଜସ୍ୱୀଙ୍କର ଏହି ଇସାରା ରାଜପୁତଙ୍କ ଆଡ଼କୁ ଥିଲା, ମାତ୍ର ସେ କୌଣସି ଜାତିର ପ୍ରସଙ୍ଗ ଉଠାଇ ନ ଥିଲେ। ବରଂ ସେ ସ୍ପଷ୍ଟ କରି ଦେଇଥିଲେ ଯେ, ବିହାରରେ ଯଦି ଆରଜେଡି ମେଣ୍ଟ ସରକାର ପ୍ରତିଷ୍ଠା ହୁଏ, ତେବେ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବ। ତେଜସ୍ୱୀଙ୍କର ଏଭଳି ମନ୍ତବ୍ୟକୁ ନେଇ ଜେଡିୟୁ ପକ୍ଷରୁ କୁହାଯାଇଛି ଯେ ଲାଲୁଙ୍କ ପୁତ୍ର ଏବେ ଜାତିଆଣ ରାଜନୀତି କରିବାକୁ ଆସିଗଲେଣି। ପ୍ରଶ୍ନ ଉଠୁଛି ତେବେ କ’ଣ ତେଜସ୍ୱୀ ରାଜନୈତିକ ଧ୍ରୁବୀକରଣ ପାଇଁ ଆଗ୍ରହୀ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ନିଜସ୍ୱ।)

Comment