ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ଯେ କୌଣସି ଲୋକ ଏଣିକି ଜମ୍ମୁ-କଶ୍ମୀରରେ ଜାଗା କିଣିପାରିବେ ଏବଂ ସେଠାରେ ବସବାସ କରିପାରିବେ। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ଜାରି ହୋଇଛି। ତେବେ ଚାଷ ଜମି ଉପରେ ପ୍ରତିବନ୍ଧକ ବଳବତ୍ତର ରହିଛି।

ଜମ୍ମୁ-କଶ୍ମୀର ପୁନର୍ଗଠନ ଅଧିନିୟମ ଅନୁସାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏଭଳି ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁସାରେ ଭାରତର ଯେ କୌଣସି ରାଜ୍ୟର ଲୋକ ଜମ୍ମୁ-କଶ୍ମୀରରେ ଫ୍ୟାକ୍ଟ୍ରି, ଘର କିମ୍ବା ଦୋକାନ ପାଇଁ ଜାଗା କିଣିପାରିବେ। ଏଥିପାଇଁ ସ୍ଥାନୀୟ ନିବାସୀ ହେବାର କୌଣସି ପ୍ରମାଣ ଦେବାକୁ ପଡ଼ିବ ନାହିଁ।ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ଯେ, ବାହାର ରାଜ୍ୟର ଉଦ୍ୟୋଗଗୁଡ଼ିକ ଜମ୍ମୁ-କଶ୍ମୀରରେ ସ୍ଥାପନ ହେଉ ବୋଲି ଆମେ ଚାହୁଁଛୁ। ଏହି ଶିଳ୍ପସଂସ୍ଥା ସ୍ଥାପନ ପାଇଁ ଜମି ବିନିଯୋଗ ଆବଶ୍ୟକ। କିନ୍ତୁ ଚାଷ ଜମିଗୁଡ଼ିକ କେବଳ ରାଜ୍ୟବାସୀଙ୍କ ପାଇଁ ରହିବ ବୋଲି ଉପରାଜ୍ୟପାଳ କହିଛନ୍ତି।

ଗତବର୍ଷ ଜମ୍ମୁ-କଶ୍ମୀରରେ ୩୭୦ ଧାରା ଉଚ୍ଛେଦ ହୋଇଥିଲା। ଏହାପରେ ୨୦୧୯ ଅକ୍ଟୋବର ୩୧ ତାରିଖରେ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ପ୍ରଦେଶରେ ପରିଣତ ହୋଇଥିଲା। ତେବେ ପୂର୍ବରୁ କେବଳ ଜମ୍ମୁ-କଶ୍ମୀରର ଅଧିବାସୀ ହିଁ ପରସ୍ପର ମଧ୍ୟରେ ଜମି କିଣାବିକା କରିପାରୁଥିଲେ। ଅନ୍ୟ ରାଜ୍ୟର ଲୋକ ଏଠାରେ ଜମି କିଣିବା ପାଇଁ ଅନୁମତି ନଥିଲା। କିନ୍ତୁ କେନ୍ଦ୍ର ସରକାରଙ୍କ ନୂଆ ନିଷ୍ପତ୍ତି ଅନୁସାରେ ଏଣିକି ଦେଶର ଯେ କୌଣସି ରାଜ୍ୟର ଲୋକ ଏଠାରେ ଜାଗା କିଣିପାରିବେ।

Comment