ଓଡ଼ିଶାଲାଇଭ୍ ବ୍ୟୁରୋ

  • ଛାତ୍ରଛାତ୍ରୀମାନଙ୍କର ବୃତ୍ତି ପାଇବା ପାଇଁ ଛାତ୍ରବୃତ୍ତି ପୋର୍ଟାଲ ଶୁଭାରମ୍ଭ
  • ଉପକୃତ ହେବେ ରାଜ୍ୟର ୧୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ
  • ସୁମଙ୍ଗଳ ପୋର୍ଟାଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
  • ଆନ୍ତଃ-ଜାତି ବିବାହ କରିଥିବା ହିତାଧିକାରୀ ପାଇବେ ପ୍ରୋତ୍ସାହନ ରାଶି

ଏଣିକି ସରକାରୀ ଛାତ୍ରବୃତ୍ତି ପାଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିଭାଗର ଭିନ୍ନ ଭିନ୍ନ ପୋର୍ଟାଲକୁ ବ୍ୟବହାର କରିବା ଦରକାର ପଡିବ ନାହିଁ। ମାତ୍ର ଗୋଟିଏ ପୋର୍ଟାଲ www.scholarship.odisha.gov.inରେ କ୍ଲିକ୍‌ କରି ପିଲାମାନେ ସେମାନଙ୍କ ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ। ଏନେଇ ମଙ୍ଗଳବାର ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହାଦ୍ୱାରା ରାଜ୍ୟର ପ୍ରାୟ ୧୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଜଣାପଡ଼ିଛି। ଏଥିସହ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ପାଇଁ ବୈଷୟିକ ବିଦ୍ୟାର ବ୍ୟାପକ ପ୍ରୟୋଗ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବୈଷୟିକ ବିଦ୍ୟାର ପ୍ରୟୋଗ ଦ୍ୱାରା ହିଁ ଆମେ ସାଧାରଣ ଲୋକଙ୍କୁ ଦକ୍ଷତା ଓ ସ୍ୱଚ୍ଛତାର ସହ ଠିକ୍‌ ସମୟରେ ସର୍ବୋତ୍କୃଷ୍ଟ ସେବା ଯୋଗାଇ ଦେଇପାରିବା। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନରେ ୨୦ରୁ ଅଧିକ ବୃତ୍ତି ପ୍ରଦାନ କରାଯାଉଛି। ଏହି ଏକକ ପୋର୍ଟାଲ ଦ୍ୱାରା  ବୃତ୍ତି ପ୍ରଦାନ କରୁଥିବା ସରକାରୀ ବିଭାଗ ଓ ଆଶାୟୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦୂରତ୍ୱ କମିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏଥିସହ ଏହାଦ୍ୱାରା ପିଲାମାନେ ସୁବିଧାରେ ଘରେ ବସି ଆବେଦନ କରିବା ସହିତ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ବୃତ୍ତି ପାଇପାରିବେ। ଅନୁସୂଚିତ ଜନଜାତି, ଜାତି, ଅନ୍ୟ ପଛୁଆବର୍ଗ, ସାମାଜିକ ଓ ଶିକ୍ଷାଗତଭାବେ ପଛୁଆବର୍ଗ ଆଦି ଅନଗ୍ରସର ଶ୍ରେଣୀର ଛାତ୍ରଛାତ୍ରୀମାନେ ଏହି ବୃତ୍ତିର ସୁବିଧା ପାଇପାରିବେ। ଦୁର୍ବଳଶ୍ରେଣୀର ପିଲାମାନଙ୍କ ଶିକ୍ଷା ସୁବିଧା ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଆସିଛି।  ଏହି ଏକକ ପୋର୍ଟାଲ ଦ୍ୱାରା ସେମାନେ ବିଶେଷ ଭାବରେ ଉପକାର ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

ରାଜ୍ୟର ଅନୁସୂଚିତ ଜନଜାତି ଓ ଜାତି ବିଭାଗ, ଉଚ୍ଚଶିକ୍ଷା ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଶ୍ରମ ଓ ଇ.ଏସ୍‌.ଆଇ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ କୃଷି ବିଭାଗର ସମସ୍ତ ବୃତ୍ତି କାର୍ଯ୍ୟକ୍ରମ ଏହି ଗୋଟିଏ ପୋର୍ଟାଲରେ ପରିଚାଳିତ ହେବ। ରାଜ୍ୟ ଟ୍ରେଜେରୀ ସହିତ ଏହି ପୋର୍ଟାଲ ଲିଙ୍କ୍‌ ହୋଇଥିବାରୁ ଛାତ୍ରଛାତ୍ରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବୃତ୍ତି ରାଶି ସିଧାସଳଖ ଜମା ହୋଇପାରିବ।ସେହିପରି ସୁମଙ୍ଗଲ ପୋର୍ଟାଲ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆନ୍ତଃ-ଜାତି ବିବାହ ଦ୍ୱାରା ସାମାଜିକ ଏକତା ବଢ଼ିବା ସହିତ ଏହା ଜାତିଗତ ବାଛବିଚାର ହ୍ରାସ କରେ ଏବଂ ସମାଜରେ ସମାନତା ଓ ଶାନ୍ତିପୂର୍ଣ୍ଣ ସହବସ୍ଥାନ ବୃଦ୍ଧି କରେ।  ସୁମଙ୍ଗଳ ପୋର୍ଟାଲ ଏହି ଦିଗରେ ବହୁ ପରିମାଣରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ସୁମଙ୍ଗଳ ପୋର୍ଟାଲ www.sumangal.odisha.gov.inରେ ଆବେଦନ କଲେ ଆନ୍ତଃ-ଜାତି ବିବାହ  କରିଥିବା ଯୋଗ୍ୟ ହିତାଧିକାରୀମାନେ ୬୦ ଦିନ ମଧ୍ୟରେ ପ୍ରୋତ୍ସାହନ ରାଶି ଆକାରରେ ଅଢେଇ ଲକ୍ଷ ଟଙ୍କା ପାଇପାରିବେ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅନୁସୁଚିତ ଜନଜାତି ଓ ଜାତି ବିକାଶ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା କହିଥିଲେ ଯେ, କେବଳ ଅନୁସୁଚିତ ଜନଜାତି ଓ ଜାତି ବିକାଶ ବିଭାଗ ଅଧିନରେ ୬ ଲକ୍ଷ ଛାତ୍ରଛାତ୍ରୀ ଏହି ବୃତ୍ତିର ସୁବିଧା ପାଉଛନ୍ତି। ୫-ଟି କାର୍ଯ୍ୟକ୍ରମ ଜରିଆରେ ବ୍ୟାପକ ପରିବର୍ତ୍ତନର ସୁଯୋଗ ଆଣିବାରେ ଓଡିଶା ଆଜି ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି।

କାର୍ଯ୍ୟକ୍ରମରେ ଅନୁସୁଚିତ ଜନଜାତି ଓ ଜାତି ବିକାଶ ବିଭାଗର ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସଂପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର୍‌. ବାଲକ୍ରିଷ୍ଣନ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିସନର ସୁରେଶ ମହାପାତ୍ର, କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ।

Comment