ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ଭାରତର ପ୍ରାୟ ଷ୍ଟେସନରେ ବୁଲି ବୁଲି ଟଙ୍କା ମାଗୁଥିବା କିନ୍ନରମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖେ ଆମ ସମାଜ। କିନ୍ତୁ ସେହି କିନ୍ନର ସମାଜକୁ ବିଶେଷ ସମ୍ମାନ ଓ ନିଯୁକ୍ତି ଦେବା ପାଇଁ ଅଭିନବ ଉଦ୍ୟମ କରିଛି ଭାରତର ନୋଇଡ଼ା ମେଟ୍ରୋ ରେଳ ନିଗମ।

ନୋଇଡ଼ା ମେଟ୍ରୋ ରେଳ ନିଗମ (ଏନ୍‌ଏମ୍‌ଆର୍‌ସି) ମଙ୍ଗଳବାର ଉତ୍ତର ଭାରତର ପ୍ରଥମ ମେଟ୍ରୋ ରେଳ ସେବା ପ୍ରଦାନକାରୀ ଭାବେ କିନ୍ନରଙ୍କ ସମ୍ମାନ ଉଦ୍ଦେଶ୍ୟରେ ଗୋଟିଏ ଷ୍ଟେସନର ନାମକରଣ କରିଛି। ଏନ୍‌ଏମ୍‌ଆର୍‌ସି ଆନୁଷ୍ଠାନିକ ଭାବେ ଏହାର ସେକ୍ଟର-୫୦ ଷ୍ଟେସନକୁ ‘ପ୍ରାଇଡ୍‌ ଷ୍ଟେସନ’ ଭାବେ ନାମକରଣ କରିଛି। ଏହି ଅବସରରେ ସେଠାରେ ଗୌତମବୁଦ୍ଧ ନଗର ସାଂସଦ ମହେଶ ଶର୍ମା, ନୋଇଡ଼ା ବିଧାୟକ ପଙ୍କଜ ସିଂ, ଏନ୍‌ଏମ୍‌ଆର୍‌ସି ପରିଚାଳନା ନିର୍ଦ୍ଦେଶିକା ରିତୁ ମାହେଶ୍ୱରୀ ଉପସ୍ଥିତ ଥିଲେ।

ପୂର୍ବରୁ ୨୦୧୭ରେ କେରଳର କୋଚି ମେଟ୍ରୋ ରେଳ ଲିମିଟେଡ୍‌ ନିଜ ବିଭାଗରେ ୨୩ ଜଣ କିନ୍ନରଙ୍କୁ ନିଯୁକ୍ତି ଦେଇ ସେମାନଙ୍କ ପ୍ରତି ଅଭିନବ ସମ୍ମାନ ପ୍ରଦର୍ଶନ କରିଥିଲା। ଏବେ ନୋଇଡ଼ାର ପ୍ରାଇଡ୍ ଷ୍ଟେସନ ୬ ଜଣ କିନ୍ନରଙ୍କୁ ନିଯୁକ୍ତି ଦେବ। ଉଲ୍ଲେଖଯୋଗ୍ୟ, ନୋଇଡ଼ାରୁ ଗ୍ରେଟର ନୋଇଡ଼ାକୁ ସଂଯୋଗ କରୁଛି ପ୍ରାଇଡ୍‌ ଷ୍ଟେସନ।

୨୦୧୧ ଜଣଗଣନା ଅନୁଯାୟୀ, ଭାରତରେ ୪.୯ ଲକ୍ଷ କିନ୍ନର ରହିଛନ୍ତି। ସେମାନଙ୍କ ମଧ୍ୟରୁ ପାଖାପାଖି ୩୫ ହଜାର କିନ୍ନର ଦିଲ୍ଲୀ ଏନ୍‌ସିଆର୍‌ରେ ବସବାସ କରୁଛନ୍ତି। କିନ୍ନରଙ୍କ ଅଧିକାର ସୁରକ୍ଷା ଆଇନ ୨୦୧୯ ଅନୁସାରେ ସେମାନଙ୍କୁ ଏବେ ସମ୍ମାନର ସହ କାମ କରିବାରର ସୁଯୋଗ ଦିଆଯାଉଛି।

Comment