ଓଡ଼ିଶାଲାଇଭ୍ ବ୍ୟୁରୋ

ଉପ ନିର୍ବାଚନ ପାଇଁ ଡିଜିଟାଲ ପ୍ରଚାର କଲେ ନବୀନ।

“ତିର୍ତ୍ତୋଲ ଅଞ୍ଚଳର ବିକାଶ ପାଇଁ ଆପଣମାନେ ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ। ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ”, ଉପ ନିର୍ବାଚନ ପାଇଁ ଡିଜିଟାଲ ପ୍ରଚାର କରି ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ତିର୍ତ୍ତୋଲବାସୀଙ୍କୁ ଏଭଳି ଭାବେ ଭୋଟ୍ ମାଗିଛନ୍ତି।

ବାଲେଶ୍ୱର,ତିର୍ତ୍ତୋଲ ଉପ ନିର୍ବାଚନକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ। ପ୍ରତ୍ୟେକ ଦଳର ତୁଙ୍ଗ ନେତାମାନେ ଏହି ଦୁଇ ନିର୍ବାଚନମଣ୍ଡଳୀରେ ପ୍ରଚାର ଅଭିଯାନ ଜୋରଦାର କରିଛନ୍ତି। ଏହି କ୍ରମରେ ବିଜେଡି ସଭାପତି ଆଜି ତିର୍ତ୍ତୋଲର ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ପ୍ରଚାର କରିଛନ୍ତି।

ନବୀନ ଏହି ଅବସରରେ କହିଛନ୍ତି ଯେ, ବିଷ୍ଣୁ ଦାସଙ୍କ ବିୟୋଗ ଏକ ଦୁଃଖଦ ଘଟଣା। ସେ ତିର୍ତ୍ତୋଲ ଅଞ୍ଚଳର ବିକାଶ ପାଇଁ ସବୁବେଳେ ଚେଷ୍ଟା କରୁଥିଲେ। ତାଙ୍କର ପରଲୋକ ପରେ ସେଠାରେ ଉପ ନିର୍ବାଚନ ହେଉଛି। ତେଣୁ ତିର୍ତ୍ତୋଲର ବିକାଶ ପାଇଁ ତିର୍ତ୍ତୋଲର ଭାଇ ଭଉଣୀମାନେ ବିଜେଡିକୁ ସହଯୋଗ କରିବାକୁ ନବୀନ କହିଛନ୍ତି।ଏଥିସହ ରାଜ୍ୟ ସରକାର ତିର୍ତ୍ତୋଲର ବିକାଶ ପାଇଁ ନାନାଦି ଯୋଜନା ଆରମ୍ଭ କରିଛନ୍ତି। ଯୋଗାଯୋଗ ସହଜ ହେବା ପରେ ମହାନଦୀ ଉପରେ ଦୁଇଟି ସେତୁ ନିର୍ମାଣ କରିବାକୁ ମଞ୍ଜୁରି ଦିଆଯାଇଛି। ଏଥିସହ ବନ୍ୟା ମୁକାବିଲା ପାଇଁ ତିର୍ତ୍ତୋଲ ଅଞ୍ଚଳରେ ବ୍ୟାପକ ପଦକ୍ଷେପ ନିଆଯାଇଛି ବୋଲି ନବୀନ କହିଛନ୍ତି।

ଶେଷରେ ସମସ୍ତ ଭୋଟରମାନେ ସୁରକ୍ଷିତ ସହକାରେ କୋଭିଡ୍ ଗାଇଡଲାଇନ୍ ପାଳନ କରି ଭୋଟ ଦେବାକୁ ନବୀନ ଅନୁରୋଧ କରିବା ସହିତ ସେମାନଙ୍କ ପ୍ରତିଟି ଭୋଟ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି।

ବିଜେଡି ନେତା ବିଷ୍ଣୁ ଦାସଙ୍କ ବିୟୋଗ ପରେ ତିର୍ତ୍ତୋଲରେ ଉପ ନିର୍ବାଚନ ହେଉଛି। ନଭେମ୍ବର ୩ରେ ଏଥିଲାଗି ଭୋଟ୍ ଗ୍ରହଣ ହେବ। ଏହାପୂର୍ବରୁ ନବୀନ ଆଜି ଡିଜିଟାଲ୍ ପ୍ରଚାର କରିଛନ୍ତି। ଆସନ୍ତାକାଲି ନବୀନ ବାଲେଶ୍ୱର ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ ଡିଜିଟାଲ ପ୍ରଚାର କରିବେ ବୋଲି ସୂଚନା ରହିଛି।

Comment