ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଭୁବନେଶ୍ୱର ଟ୍ରାଫିକ ଦାୟିତ୍ୱରେ ଥିବା ଡେପୁଟି ପୋଲିସ କମିସନର ସୌମ୍ୟା ମିଶ୍ରଙ୍କ କ୍ୟାଡର ପରିବର୍ତ୍ତନ ପାଇଁ କମିସନରେଟ ପୋଲିସ ସୁପାରିଶ କରିଛି। କମିସନର ସୁଧାଂଶୁ ଷଡଙ୍ଗୀ ଏନେଇ ବୁଧବାର ପୋଲିସ ଡିଜି ଓ ଆଇଜିଙ୍କୁ ଚିଠି ଲେଖିଛନ୍ତି।

ସୂଚନା ଅନୁଯାୟୀ ୨୦୧୫ରୁ ସୌମ୍ୟା କ୍ୟାଡ଼ର ପରିବର୍ତ୍ତନ ପାଇଁ ଆବେଦନ କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ଦରଖାସ୍ତକୁ ବିଚାରକୁ ନିଆ ଯାଇନଥିଲା। ଏଣୁ ନିକଟରେ ସେ ଉଭୟ ପୋଲିସ ଡ଼ିଜି ଅଭୟ ଓ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଏନେଇ ନିବେଦନ କରିଥିଲେ। ତେଣେ ପଞ୍ଜାବ ସରକାର ମଧ୍ୟ ସୌମ୍ୟାଙ୍କ କ୍ୟାଡ଼ର ପରିବର୍ତ୍ତନକୁ ଅନୁମୋଦନ କରିଛନ୍ତି।

ସର୍ବ ଭାରତୀୟ ଚାକିରୀ ନିୟମାବଳୀ ଅନୁଯାୟୀ ଯଦି କୌଣସି ଆଇଏଏସ କିମ୍ଵା ଆଇପିଏସ ଅଫିସର ସ୍ଵାମୀ ସ୍ତ୍ରୀ ହୋଇଥିବେ ସୋମାନେ ଅନ୍ୟ ରାଜ୍ୟ କ୍ୟାଡରକୁ ଯାଇପାରିବେ। ସୌମ୍ୟା ମିଶ୍ର ଉତ୍ତର ପ୍ରଦେଶର ନାଗରିକ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଦୀପକ ପାରିକ ରାଜସ୍ଥାନର ବାସିନ୍ଦା। ଉଭୟେ ୨୦୧୪ ବ୍ୟାଚର ଆଇପିଏସ ଅଫିସର। ଦୀପକ ପାରିକ ପଞ୍ଜାବ କ୍ୟାଡ଼ରର ଏବଂ ସୌମ୍ୟା ମିଶ୍ର ଓଡ଼ିଶା କ୍ୟାଡରର। ଦୀପକ ଏବେ ଲୁଧିଆନା ଡ଼ିସିପି ଅଛନ୍ତି। ୨୦୧୫ ମସିହାରେ ଉଭୟେ ବିବାହ କରିଥିଲେ।

Comment