ଓଡ଼ିଶାଲାଇଭ୍ ବ୍ୟୁରୋ

ସେ ଥିଲେ ବିହାରର ଲେଡି ସିଂଘମ। କିନ୍ତୁ ମୁଙ୍ଗେର ଗୁଳିକାଣ୍ଡ ଘଟଣାରେ ଲୋକେ ତାଙ୍କୁ ‘ଜେନେରାଲ ଡାୟାର’ ଆଖ୍ୟା ଦେଲେଣି।

ବିହାର ବିଧାନସଭା ନିର୍ବାଚନର ଦିନକ ପୂର୍ବରୁ ମୁଙ୍ଗେରରେ ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ହୋଇଥିବା ହିଂସାକାଣ୍ଡ ପାଇଁ ବିରୋଧୀମାନେ ନୀତୀଶ ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି। ଅନ୍ୟପଟେ ମୂର୍ତ୍ତି ବିସର୍ଜନ ସମୟରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠୁଛି। ଏହି ଘଟଣାରେ ‘ଲେଡି ସିଙ୍ଘମ୍’ ଭାବେ ପରିଚିତ ମୁଙ୍ଗେରର ଏସ୍‌ପି ଲିପି ସିଂଙ୍କୁ ପ୍ରବଳ ବିରୋଧ ସହ ଏବେ ବ୍ରିଟିଶ ଅମଳର ‘ଜେନେରାଲ ଡାୟାର’ଙ୍କ ସହ ତୁଳନା କରାଯାଉଛି। ଏପରିକି ଲିପିଙ୍କୁ ନିଲମ୍ବନ କରିବା ସହ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକମାନେ ଦାବି କରୁଛନ୍ତି। ତେବେ କିଏ ଏହି ଲିପି ସିଂ ଜାଣନ୍ତୁ…ଲିପି ସିଂ କିଏ?

ଆଇପିଏସ୍ ଲିପି ସିଂ ବର୍ତ୍ତମାନ ମୁଙ୍ଗେରର ଏସ୍‌ପି ଭାବେ କାର୍ଯ୍ୟ କରୁଛନ୍ତି। ପୂରା ଜିଲ୍ଲାର ଆଇନ କାନୁନ ବ୍ୟବସ୍ଥା ତାଙ୍କ ଉପରେ ନ୍ୟସ୍ତ ରହିଛି।

ଏହା ପୂର୍ବରୁ ଲିପି ସିଂ ମୋକାମାର ବାହୁବଳୀ ବିଧାୟକ ଅନନ୍ତ ସିଂଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରି ଚର୍ଚ୍ଚାକୁ ଆସିଥିଲେ। ସେ ବିଧାୟକଙ୍କ ଘରେ ଚଢ଼ାଉ କରି ବୋମା, ଏକେ ୪୭ ବନ୍ଧୁକ ଆଦି ଜବତ କରିଥିଲେ। ଏହି ଘଟଣାରେ ଅନନ୍ତ ସିଂଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା। ଏହା ପରଠାରୁ ଲିପି ସିଂଙ୍କୁ ‘ଲେଡି ସିଙ୍ଘମ୍’ କୁହାଯାଉଛି।ରାଜନୀତି ସହ ସମ୍ପର୍କ

ଲିପି ସିଂ ଏକ ରାଜନୈତିକ ପରିବାରରୁ ଆସିଛନ୍ତି। ତାଙ୍କ ବାପା ରାମଚନ୍ଦ୍ର ପ୍ରସାଦ ସିଂ ଜେଡିୟୁର ରାଜ୍ୟସଭା ସାଂସଦ ଅଛନ୍ତି। ରାମଚନ୍ଦ୍ରଙ୍କୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଘନିଷ୍ଠ ସହଯୋଗୀ ବୋଲି କୁହାଯାଏ।

ଯେତେବେଳେ ଲିପି ସିଂ ବିଧାୟକ ଅନନ୍ତ ସିଂଙ୍କ ଘରେ ଚଢ଼ାଉ କରିଥିଲେ ସେତେବେଳେ ଅନନ୍ତ ଅଭିଯୋଗ କରିଥିଲେ ଯେ, ଲିପି ପିତା ରାମଚନ୍ଦ୍ରଙ୍କ ନିର୍ଦ୍ଦେଶ କ୍ରମେ ବିରୋଧୀଙ୍କ ପରି କାମ କରୁଛନ୍ତି। କିନ୍ତୁ ଅନନ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଲିପିଙ୍କ ପ୍ରମୋସନ କରି ତାଙ୍କୁ ମୁଙ୍ଗେର ଜିଲ୍ଲାର ଏସ୍‌ପି ଭାବେ ନିଯୁକ୍ତି ଦେଇଥିଲେ।

ପିତା ମଧ୍ୟ ପ୍ରଶାସନିକ ଅଧିକାରୀ ଥିଲେ

ଆଇପିଏସ୍ ଲିପି ସିଂଙ୍କ ପିତା ରାମଚନ୍ଦ୍ର ପ୍ରସାଦ ସିଂ ମଧ୍ୟ ଜଣେ ପ୍ରଶାସନିକ ଅଧିକାରୀ ଥିଲେ। ସେ ରାଜନୀତିକୁ ଆସିବା ପୂର୍ବରୁ ଆଇଏଏସ୍ ଅଫିସର ଭାବେ କାମ କରିଛନ୍ତି। ଏହା ଛଡ଼ା ଲିପିଙ୍କ ସ୍ଵାମୀ ସୁହର୍ଷ ଭଗତ ମଧ୍ୟ ଜଣେ ଆଇଏଏସ୍ ଅଧିକାରୀ। ସୁହର୍ଷ ବର୍ତ୍ତମାନ ବାଙ୍କା ଜିଲ୍ଲାଧିକାରୀ ଭାବେ କାର୍ଯ୍ୟରତ।ଲିପି ସିଂ ଓ ବିବାଦ

ପୂର୍ବରୁ ମଧ୍ୟ ଲିପି ସିଂ ଅନେକ ବିବାଦ ଘେରକୁ ଆସିଛନ୍ତି। କୁହାଯାଏ ଯେ, ସେ ଆଇପିଏସ୍ ଟ୍ରେନିଂଠାରୁ ଆରମ୍ଭ କରି ପୋଷ୍ଟିଂ ପର୍ଯ୍ୟନ୍ତ ନିଜ ପିତାଙ୍କ ଆଖପାଖରେ ହିଁ ରହିଛନ୍ତି।

ବର୍ତ୍ତମାନ ଲିପିଙ୍କୁ ନେଇ ଆଉ ଏକ ବିବାଦ ଦେଖାଦେଇଛି। ଯେ କୌଣସି ନିର୍ବାଚନ ସମୟରେ, କୌଣସି ସରକାରୀ ଅଧିକାରୀ ଯଦି ନିର୍ବାଚନ ପ୍ରକ୍ରିୟା ସହ ଜଡ଼ିତ ଥାଆନ୍ତି କିମ୍ବା ନେତା, ମନ୍ତ୍ରୀଙ୍କ ସମ୍ପର୍କୀୟ ହୋଇଥାନ୍ତି ତେବେ ତାଙ୍କୁ ନିର୍ବାଚନ ଦାୟିତ୍ଵରୁ ହଟାଇ ଦିଆଯାଏ। କିନ୍ତୁ ଜେଡିୟୁ ସାଂସଦ ରାମଚନ୍ଦ୍ର ପ୍ରସାଦ ସିଂଙ୍କ ଝିଅ ଲିପି ସିଂ ଓ ଜ୍ଵାଇଁ ସୁହର୍ଷ ଭଗତ ବିହାର ବିଧାନସଭା ନିର୍ବାଚନ କାମରେ ନିୟୋଜିତ ଅଛନ୍ତି। ଏହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comment