ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା କଟକଣା ପାଇଁ ଏଥର ମହାପ୍ରଭୁଙ୍କ ନାଗାର୍ଜୁନ ବେଶକୁ ଦର୍ଶନ କରିପାରିବେନି ଭକ୍ତ। ଶ୍ରୀମନ୍ଦିର ନୀତି ସବକମିଟି ବୈଠକରେ ଆଜି ନାର୍ଗାଜୁନ ବେଶର ନୀତି ନିର୍ଘଣ୍ଟ ହେବା ସହିତ ଭକ୍ତଙ୍କ ଦର୍ଶନ ବାରଣ ହେବା ନେଇ ନିଷ୍ପତ୍ତି ନିଆଯାଇଛି।

ନଭେମ୍ବର ୨୭ ତାରିଖରେ ମହାପ୍ରଭୁଙ୍କ ଏହି ବିରଳ ନାଗାର୍ଜୁନ ବେଶ ହେବାକୁ ଯାଉଛି। ଦୀର୍ଘ ବର୍ଷ ପରେ ମହାପ୍ରଭୁଙ୍କ ଏହି ବେଶ ହେବାକୁ ଥିବାବେଳେ ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା। ହେଲେ ଚଳିତ ବର୍ଷ ଚାରିଆଡ଼େ କରୋନା ଭାଇରସ୍ ନିଜର କାୟା ବିସ୍ତାର କରିଥିବାରୁ ବିନା ଭକ୍ତରେ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ଛଅ ଦିନ ପଡ଼ିଥାଏ, ସେ ବର୍ଷ ମଳ ତିଥିରେ ମହାପ୍ରଭୁ ନାଗାର୍ଜୁନ ବେଶରେ ଦର୍ଶନ ଦେଇଥାନ୍ତି। ଏହି ବେଶକୁ ପର୍ଶୁରାମ ବେଶ ମଧ୍ୟ କୁହାଯାଇଥାଏ। ପୂର୍ବଥର ୧୯୯୪ ମସିହାରେ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ହୋଇଥିଲା। ଦୀର୍ଘ ୨୬ ବର୍ଷର ବ୍ୟବଧାନ ପରେ ୨୦୨୦ ନଭେମ୍ବର ୨୭ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହେବ।

Comment