ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭା ନିର୍ବାଚନବେଳେ ଦୂର୍ଗାପୂଜା ମୂର୍ତ୍ତି ଭସାଣିକୁ ନେଇ ବିହାରର ମୁଙ୍ଗେରରେ ତେଜିଲା ହିଂସା। 

ଦୁର୍ଗାପୂଜା ମୂର୍ତ୍ତି ବିସର୍ଜନକୁ ନେଇ ବିହାରର ମୁଙ୍ଗେରରେ ଦେଖାଯାଇଥିବା ହିଂସା ଆଜି ଉଗ୍ରରୂପ ଧାରଣ କରିଛି। ବିକ୍ଷୋଭକାରୀମାନେ ପୋଲିସର ବିଭିନ୍ନ ଗାଡ଼ିରେ ନିଆଁ ଲଗାଇଦେବା ସହିତ ସେଠାକାର ଏସପି ଲିପି ସିଂହଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି।

ପୋଲିସ ଓ ଜନତାଙ୍କ ଭିତରେ ହୋଇଥିବା ଏହି ବିବାଦ ଏବେ ଆହୁରି ଜଟିଳ ହେବାରେ ଲାଗିଛି। ଲୋକମାନେ ରାଜରାସ୍ତାରେ ବିକ୍ଷୋଭ କରିବା ସହିତ ହିଂସାତ୍ମକ ପନ୍ଥା ଆପଣାଇଛନ୍ତି। ଅନ୍ୟପଟେ ଏହି ଘଟଣା ପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପ୍ରଶାସନ ମୁଙ୍ଗେରର ଜିଲ୍ଲାପାଳ ଓ ଏସପିଙ୍କୁ ତାଙ୍କ କାର୍ଯ୍ୟରୁ ବଦଳି କରିଦେଇଛି। ତାଙ୍କ ସ୍ଥାନରେ ଖୁବଶୀଘ୍ର ନୂଆ ଜିଲ୍ଲାପାଳ ଓ ଏସପି ମୁଙ୍ଗେରର ଦାୟିତ୍ୱ ସମ୍ଭାଳିବେ ବୋଲି ଜଣାପଡ଼ିଛି।

ଏହି ଘଟଣାକୁ ନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯେୱାଲା କହିଛନ୍ତି, “ମୁଙ୍ଗେର ହିଂସା ଅତ୍ୟନ୍ତ ନିନ୍ଦନୀୟ। ଏଥିପାଇଁ ଦାୟୀ କିଏ? ଆଠ ଜଣ ଲୋକଙ୍କୁ ଗୁଳିମାରିବା ପଛରେ ଦାୟୀ କିଏ? ଏହା ସ୍ପଷ୍ଟ, ନିର୍ଦ୍ଦୟୀ କୁମାର ଏବଂ ନିର୍ମମ ମୋଦୀ!”

ସେହିପରି ଲୋକଜନ ଶକ୍ତି ପାର୍ଟିର ନେତା ଚିରାଗ ପାଶୱାନ ମଧ୍ୟ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ବିହାର ସରକାରଙ୍କୁ ମହିଷାସୁର ସରକାର ବୋଲି କହି ଚିରାଗ ନୀତୀଶଙ୍କୁ ଟାର୍ଗେଟ କରିଛନ୍ତି।କେମିତି ହୋଇଥିଲା ମୁଙ୍ଗେର ହିଂସା?

ନଭେମ୍ବର ୨୮ ତାରିଖରେ ବିହାର ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହୋଇଥିଲା। ଏହାର ଦିନକ ପୂର୍ବରୁ ମୂର୍ତ୍ତି ବିସର୍ଜନକୁ ନେଇ ମୁଙ୍ଗେରରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା।

ପୂଜା ସମିତିମାନଙ୍କୁ ୨୬ ତାରିଖରେ ମୂର୍ତ୍ତି ବିସର୍ଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ୨୭ ତାରିଖ ସନ୍ଧ୍ୟାରେ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଛକରେ ମୂର୍ତ୍ତି ବିସର୍ଜନ ପାଇଁ ଗହଳି ଲାଗିଥିଲା। ଏହାପରେ ପୋଲିସ ତୁରନ୍ତ ଭସାଣି କାର୍ଯ୍ୟକ୍ରମ ସାରିବାକୁ କହିଥିଲା। ଯାହାକୁ ନେଇ ଜନତା ଓ ପୋଲିସ ମୁହାଁମୁହିଁ ହୋଇଥିଲେ।

ପରିସ୍ଥିତି ଏପରି ହୋଇଯାଇଥିଲା ଯେ, ପୋଲିସକୁ ଘଟଣା ସ୍ଥଳରେ ଗୁଳି ଚଳାଇବାକୁ ପଡ଼ିଥିଲା। ପୋଲିସ ଗୁଳିରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଥିଲାବେଳେ ଅନେକ ଆହତ ହୋଇଥିଲେ। ଏହାପରେ ଏହି ଘଟଣାକୁ ନେଇ ଲୋକଙ୍କ ମନରେ ଆକ୍ରୋଶ ଜମିବା ସହିତ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ସାଧାରଣ ଲୋକେ ପୋଲିସର ଅନେକ ଗାଡ଼ିକୁ ନିଆଁ ଲଗାଇଦେଇଥିବା ସୂଚନା ମିଳିଛି।

Comment