ସନ୍ତୋଷ କୁମାର

ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବ, ପାୱାର କରିଡରରେ ଚାଲିଛି ଚର୍ଚ୍ଚା।

ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ କାର୍ଯ୍ୟକାଳ ଆଉ କିଛି ମାସ ପରେ ଶେଷ ହୋଇପାରେ। ତାଙ୍କ ଅବସର ପରେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବ, ତାହାକୁ ନେଇ ଏବେଠାରୁ ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହେଲାଣି।

୧୯୮୬ ମସିହା ବ୍ୟାଚ୍‌ର ଆଇଏଏସ୍‌ ଅଫିସର ଅସିତ ତ୍ରିପାଠୀ ଗତ ବର୍ଷ ଅଗଷ୍ଟ ମାସରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିଲେ। ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟ ଭିତରେ ୧୨ତମ ମୁଖ୍ୟ ଶାସନ ସଚିବ ଭାବେ ଅବସ୍ଥାପିତ ହୋଇଥିଲେ ଅସିତ ତ୍ରିପାଠୀ।

କିଏ ହେବ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ

ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବ, ସେ ନେଇ ଅନେକ ବରିଷ୍ଠ ଆଇଏଏସ୍‌ ଅଫିସରଙ୍କ ନାମ ଶୁଣିବାକୁ ମିଳୁଛି। ଅସିତ ତ୍ରିପାଠୀଙ୍କ ବ୍ୟାଚ୍‌ର (୧୯୮୬)ର ୩ ଜଣ ଆଇଏଏସ୍‌ ଅଫିସର ରହିଛନ୍ତି, ଯେଉଁମାନଙ୍କ ନାଁ ଚର୍ଚ୍ଚା ତାଲିକାରେ ରହିଛି। ସେମାନେ ହେଲେ ଜି.ଭି. ଭେନୁଗୋପାଲ ଶର୍ମା, ସୁରେଶ ଚନ୍ଦ୍ର ମହାପାତ୍ର ଓ ସୁଦର୍ଶନ ପାଲ ଠାକୁର। ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଥିବା ଜି.ଭି.ଭି. ଶର୍ମା ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍‌ଡିଏମ୍‌ଏ)ର ସଦସ୍ୟ ସଚିବ ଅଛନ୍ତି। ସେହିପରି ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ଉନ୍ନୟନ କମିଶନର ଦାୟିତ୍ୱ ସମ୍ଭାଳୁଛନ୍ତି। ଗୋପବନ୍ଧୁ ପ୍ରଶାସନ ଏକାଡେମୀର ମହାନିର୍ଦ୍ଦେଶକ (ଡିଜି) ପଦବୀରେ ଅବସ୍ଥାପିତ ଅଛନ୍ତି ସୁଦର୍ଶନ ପାଲ ଠାକୁର। ଏହାସହ ସେ କେବିକେ ମୁଖ୍ୟ ପ୍ରଶାସକ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି।

ଆଶାୟୀ ତାଲିକାରେ ଅନ୍ୟ ବ୍ୟାଚ୍‌ର ଅଫିସର

ମୁଖ୍ୟ ଶାସନ ସଚିବ ପଦବୀ ପାଇଁ ୧୯୮୭ ବ୍ୟାଚ୍‌ର ୪ ଜଣ ଅଫିସରଙ୍କ ନାମ ମଧ୍ୟ ଶୁଣାଯାଉଛି। ସେମାନେ ହେଲେ ତୁହିନକାନ୍ତ ପାଣ୍ଡେ, ନିକୁଞ୍ଜ କିଶୋର ସୁନ୍ଦରାୟ, ରାଜେଶ ବର୍ମା ଓ ରାଜ କୁମାର ଶର୍ମା। ଏମାନଙ୍କ ମଧ୍ୟରୁ ତିନି ଜଣ କେନ୍ଦ୍ରୀୟ ଡେପୁଟେସନରେ ରହି କାର୍ଯ୍ୟ କରୁଛନ୍ତି। ତୁହିନକାନ୍ତ ପାଣ୍ଡେ ଅର୍ଥ ମନ୍ତ୍ରଣାଳୟର ନିବେଶ ଓ ଲୋକ ସମ୍ପଦ ପରିଚାଳନା ବିଭାଗର ସଚିବ ଦାୟିତ୍ୱ ତୁଲାଉଛନ୍ତି। ଅନ୍ୟପକ୍ଷରେ ନିକୁଞ୍ଜ କିଶୋର ସୁନ୍ଦରାୟ ନ୍ୟାସନାଲ ଟ୍ରଷ୍ଟ ଫର ଦ ୱେଲଫେୟାର ଅଫ୍ ପର୍ସନସ ୱିଥ୍‌ ଅଟିଜମ୍, ସେରେବ୍ରାଲ ପାଲ୍‌ସି, ମେଣ୍ଟାଲ ରିଟାର୍ଡେସନ ଆଣ୍ଡ ମଲ୍ଟିପୁଲ ଡିଜାବିଲିଟିଜ୍‌ର ଯୁଗ୍ମ ସଚିବ ତଥା ସିଇଓ ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ରାଜେଶ ବର୍ମା କେନ୍ଦ୍ରରେ କୃଷି, ସମବାୟ ଓ କୃଷକ କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି। କେବଳ ରାଜ କୁମାର ଶର୍ମା କୃଷି ଉତ୍ପାଦନ କମିଶନର (ଏପିସି) ଭାବେ ଓଡ଼ିଶାରେ କାର୍ଯ୍ୟରତ ଅଛନ୍ତି।

ଅନ୍ୟପକ୍ଷରେ ୧୯୮୮ ବ୍ୟାଚ୍‌ର ସି.ଜେ. ବେଣୁଗୋପାଲ ଓ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ନାମକୁ ନେଇ ମଧ୍ୟ ପାଓ୍ୱାର କରିଡର ଚର୍ଚ୍ଚା କରୁଛି। ବେଣୁଗୋପାଲ ରାଜସ୍ୱ ପର୍ଷଦ (ବୋର୍ଡ ଅଫ୍ ରେଭିନ୍ୟୁ)ର ସଦସ୍ୟ ଥିବା ସହ ଦିଲ୍ଲୀରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଆବାସିକ କମିଶନର ଭାବେ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି। ପ୍ରଦୀପ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ରହିଛନ୍ତି।

ସୁରେଶ ମହାପାତ୍ର ହୋଇପାରନ୍ତି ଚିଫ୍ ସେକ୍ରେଟାରୀ

ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବା ପାଇଁ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ନାମ ବେଶୀ ଆଲୋଚନା ହେଉଛି। କରୋନା ଭଳି ବିପର୍ଯ୍ୟୟର ଉଚିତ୍ ପରିଚାଳନା ପାଇଁ ଏହି ଦୁଇଜଣଙ୍କ ଉଲ୍ଲେଖନୀୟ ଭୂମିକା ରହିଛି। ଆଗକୁ ମହାମାରୀର ସେକେଣ୍ଡ ଓ୍ୱେଭ ପ୍ରସଙ୍ଗ ଜୋର୍‌ ଧରିଲାଣି। କରୋନାର ସଫଳ ପରିଚାଳନାର ଶ୍ରେୟ ନେଉଥିବା ରାଜ୍ୟ ସରକାର ଏ ପରିସ୍ଥିତିରେ ପ୍ରଦୀପ୍ତଙ୍କୁ ସ୍ୱାସ୍ଥ୍ୟ ବିଭାଗରୁ ଅପସାରଣ କରିବାକୁ ଚାହିଁ ନ ପାରନ୍ତି। ତେଣୁ ବରିଷ୍ଠତା, କାର୍ଯ୍ୟ ଦକ୍ଷତା ଓ ସମୟର ଆବଶ୍ୟକତା ଦୃଷ୍ଟିରୁ ସୁରେଶ ମହାପାତ୍ର ହିଁ ମୁଖ୍ୟ ଶାସନ ସଚିବ ପଦବୀ ପାଇଁ ନବୀନଙ୍କ ପ୍ରଥମ ପସନ୍ଦ ହୋଇପାରନ୍ତି ବୋଲି ଆଲୋଚନା ଚାଲିଛି।

ଉନ୍ନୟନ କମିଶନରଙ୍କୁ ମିଳିପାରେ ପଦବୀ

ଉନ୍ନୟନ କମିଶନର ପଦବୀରେ ଅବସ୍ଥାପିତ ଥିବା ଆଇଏଏସ୍‌ ଅଫିସରଙ୍କୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଦିଆଯିବ ବୋଲି ଗୋଟିଏ ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚାର ହେତୁ ହେଉଛି ପୂର୍ବ ବର୍ଷର ନିଯୁକ୍ତି। ଅସିତ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ହେବା ପୂର୍ବରୁ ଉନ୍ନୟନ କମିଶନର ଥିଲେ। ତେଣୁ ସୁରେଶ ମହାପାତ୍ରଙ୍କୁ ମଧ୍ୟ ଉନ୍ନୟନ କମିଶନର ପଦବୀରୁ ପଦୋନ୍ନତି ଦେଇ ମୁଖ୍ୟ ଶାସନ ସଚିବ ପଦବୀକୁ ନେଇପାରନ୍ତି ରାଜ୍ୟ ସରକାର। ତାଙ୍କର ଜନ୍ମ ମସିହା ୧୯୬୨ ଥିବାରୁ ଅବସର କାର୍ଯ୍ୟକାଳ ୨୦୨୨ ପର୍ଯ୍ୟନ୍ତ ରହିବ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଅନେକ ସମୟରେ ଚର୍ଚ୍ଚାଠାରୁ ଭିନ୍ନ ମଧ୍ୟ ହୁଏ। ଆବଶ୍ୟକ ପଡ଼ିଲେ ସେ କେନ୍ଦ୍ରୀୟ ଡେପୁଟେସନରେ ଥିବା ଅଫିସରଙ୍କୁ ମଧ୍ୟ ଏହି ପଦବୀରେ ଆସୀନ କରାଇପାରନ୍ତି। ତେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ପଦବୀ କେଉଁ ଅଫିସରଙ୍କୁ ମିଳୁଛି, ତାହା ସମୟ କହିବ।

Comment