କପିଳାସ ଭୂୟାଁ

ଚଳିତ ବର୍ଷ ଅତିବଡୀ ପୁରସ୍କାର, ଉପେନ୍ଦ୍ର ଭଞ୍ଜ ସମ୍ମାନ ଓ ଧର୍ମପଦ ପୁରସ୍କାର ରାଶିର ପରିମାଣକୁ ୧ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଗଲା। କିନ୍ତୁ ଜୟଦେବ ପୁରସ୍କାର ରାଶିକୁ ସରକାର ୨ ଲକ୍ଷ ଟଙ୍କାରେ ସୀମିତ ରଖିଲେ କାହିଁକି?

କଳା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ପ୍ରତି ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଚାରିଟି ସର୍ବୋଚ୍ଚ ପୁରସ୍କାର ଦିଆଯାଏ। ସେଗୁଡ଼ିକ ହେଲା ସାହିତ୍ୟ ଏକାଡେମି, ସଙ୍ଗୀତ ନାଟକ ଏକାଡେମି ଓ ଲଳିତ କଳା ଏକାଡେମି ପକ୍ଷରୁ ଦିଆ ଯାଉଥିବା ସର୍ବୋଚ୍ଚ ସମ୍ମାନ ଯଥାକ୍ରମେ ଅତିବଡୀ ପୁରସ୍କାର, ଉପେନ୍ଦ୍ର ଭଞ୍ଜ ସମ୍ମାନ ଓ ଧର୍ମପଦ ପୁରସ୍କାର ଏବଂ ଚଳଚ୍ଚିତ୍ର ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ସିଧାସଳଖ ଦିଆଯାଉଥିବା ଜୟଦେବ ପୁରସ୍କାର।

ପୂର୍ବରୁ ଏହି ସମସ୍ତ ସର୍ବୋଚ୍ଚ ସମ୍ମାନ ପାଇଁ ମାନପତ୍ର ସହ ପୁରସ୍କାର ରାଶି ରୂପେ ୧ ଲକ୍ଷ ଟଙ୍କା କରି ପ୍ରଦାନ କରାଯାଉଥିଲା। ଚଳିତ ବର୍ଷ ଅତିବଡୀ ପୁରସ୍କାର, ଉପେନ୍ଦ୍ର ଭଞ୍ଜ ସମ୍ମାନ ଓ ଧର୍ମପଦ ପୁରସ୍କାର ଆଦି ପାଇଁ ପୁରସ୍କାର ରାଶିର ପରିମାଣକୁ ୧ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା ବେଳେ ଜୟଦେବ ପୁରସ୍କାର ରାଶିକୁ ଆଦୌ ବୃଦ୍ଧି କରାଗଲା ନାହିଁ। ତେବେ କେତେକ ଅନୁଷ୍ଠାନ ପକ୍ଷରୁ ଏହାର ବିରୋଧ କରାଗଲା ପରେ ସରକାର ଏହି ପୁରସ୍କାର ରାଶିକୁ ବୃଦ୍ଧି କଲେ, କିନ୍ତୁ ୨ ଲକ୍ଷ ଟଙ୍କାରେ ସୀମିତ ରଖିଲେ। ଚଳଚ୍ଚିତ୍ର କ୍ଷେତ୍ର ସହ ସମ୍ପୃକ୍ତ କେତେକ ଅନୁଷ୍ଠାନ ସରକାରଙ୍କ ଏହି ପଦକ୍ଷେପକୁ ନେଇ ସେମାନଙ୍କ ଆନନ୍ଦ ମଧ୍ୟ ପ୍ରକାଶ କଲେ।

କିନ୍ତୁ ବାସ୍ତବ ଦୃଷ୍ଟିରୁ ବିଚାର କଲେ ଏଥିରେ ଆନନ୍ଦିତ ହେବାର କିଛି ଅଛି କି? କାରଣ ମନରେ ସ୍ଵତଃ ପ୍ରଶ୍ନ ଆସୁଛି କି ରାଜ୍ୟର ସାଂସ୍କୃତିକ କ୍ଷେତ୍ରରେ ଦିଆଯାଉଥିବା ସର୍ବୋଚ୍ଚ ପୁରସ୍କାରଗୁଡିକ ମଧ୍ୟରେ ଏ ତାରତମ୍ୟ କାହିଁକି? ଏହି ପୁରସ୍କାର ରାଶି ମଧ୍ୟରେ ସମାନତା ନରହିବା ଦ୍ଵାରା ତାହା ଅତିବଡୀ ପୁରସ୍କାର, ଉପେନ୍ଦ୍ର ଭଞ୍ଜ ସମ୍ମାନ ଓ ଧର୍ମପଦ ପୁରସ୍କାର ତୁଳନାରେ ଜୟଦେବ ପୁରସ୍କାର ଏକ ଗୌଣ ପୁରସ୍କାର ଭଳି ମନେ ହେବ ନାହିଁ କି?

ତେବେ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଏଭଳି ପଦକ୍ଷେପ କାହିଁକି ନିଆଗଲା? କାହିଁକି ସରକାର ଚଳଚ୍ଚିତ୍ରକୁ ଏକ ନ୍ୟୁନ ସାଂସ୍କୃତିକ ମାଧ୍ୟମ ବୋଲି ବିଚାର କଲେ?

ଉଲ୍ଲେଖନୀୟ କି ନାଟକ ପରି ଚଳଚ୍ଚିତ୍ର ମଧ୍ୟ ଏକ ଯୌଗିକ କଳା। ନାଟକ ପରି ଚଳଚ୍ଚିତ୍ରର ମଧ୍ୟ କାହାଣୀ, ସଙ୍ଗୀତ, ଅଭିନୟ ତଥା ଆଲୋକ ପ୍ରକ୍ଷେପଣ ଆଦି ଅବିଚ୍ଛେଦ୍ୟ ଅଙ୍ଗ। ତେବେ ଅଧିକନ୍ତୁ ଚଳଚ୍ଚିତ୍ର ପ୍ରସ୍ତୁତ କରିବା ପାଇଁ ଚିତ୍ରୋତ୍ତୋଳନ, ଶବ୍ଦ ସଂଯୋଜନା ଓ ସମ୍ପାଦନା ପରି ବୈଷୟିକ ସାଜ ସରଞ୍ଜାମ ଓ ଜ୍ଞାନ ପ୍ରୟୋଗ କରାଯାଇଥାଏ। ତେଣୁ ଚଳଚ୍ଚିତ୍ର ନିର୍ମାଣ ଏକ ଖର୍ଚ୍ଚବହୁଳ ମାଧ୍ୟମ। ଚଳଚ୍ଚିତ୍ର ସହ ସମ୍ପୃକ୍ତ ବ୍ୟକ୍ତିବିଶେଷମାନେ ସାରା ଜୀବନ ଏକ ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରି ଆସୁଛନ୍ତି।

ଗୋଟିଏ ପଟେ ଚଳଚ୍ଚିତ୍ର ସାରା ଦେଶରେ ଓ କେତେକ ସ୍ଥଳରେ ଦେଶ ବାହାରେ ଓଡିଆ ଆତ୍ମ ପରିଚୟକୁ ପ୍ରଚାର ପ୍ରସାର କରୁଥିବା ବେଳେ ଅନ୍ୟ ପଟେ ଓଡ଼ିଶାର କଳାକାରମାନଙ୍କୁ ରୋଜଗାରକ୍ଷମ କରିବା ସହ ସେମାନଙ୍କୁ ସାମାଜିକ ପ୍ରତିଷ୍ଠା ମଧ୍ୟ ଆଣିଦେଉଛି। ଏପରି ସ୍ଥଳେ ରାଜ୍ୟର ସାଂସ୍କୃତିକ କ୍ଷେତ୍ରରେ ଅନ୍ୟାନ୍ୟ ସର୍ବୋଚ୍ଚ ପୁରସ୍କାରଗୁଡିକ ତୁଳନାରେ ଜୟଦେବ ପୁରସ୍କାରକୁ କାହିଁକି ଏକ ଗୌଣ ପୁରସ୍କାର ରୂପେ ବିଚାର କରାଯାଉଛି? ପୁଣି ସରକାର ଓଡିଆ ଚଳଚ୍ଚିତ୍ର ନିର୍ମାଣ ଓ ପ୍ରସାର ପାଇଁ ନୂଆ ଚଳଚ୍ଚିତ୍ର ନୀତି ପ୍ରସ୍ତୁତ କରୁଥିବା ବେଳେ ଏହି କ୍ଷେତ୍ରର ସମ୍ମାନକୁ ଭୁଲୁଣ୍ଠିତ କରିବା ପାଇଁ ଆଦୌ ପଛଉନାହାନ୍ତି। ଏହାକୁ ସରକାରଙ୍କ ଦୋମୁହାଁ ନୀତି କହିବା ନାହିଁ ତ ଆଉ କଣ କହିବା?

ଆଉ ଗୋଟିଏ ଦୃଷ୍ଟିରୁ ବିଚାର କଲେ ଆମେ ଦେଖିବା ଯେ ୧୯୯୯ ମହାବାତ୍ୟାରେ ଆକ୍ରାନ୍ତ ହୋଇ ରାଜ୍ୟର ଅର୍ଦ୍ଧାଧିକ ସିନେମା ହଲ୍‌ ବନ୍ଦ ହୋଇଯାଇଥିବା ବେଳେ ଅବଶିଷ୍ଟ ହଲ୍‌ଗୁଡ଼ିକରେ ଓଡିଆ ଚଳଚ୍ଚିତ୍ର ପ୍ରଦର୍ଶନକୁ କୌଣସି ଗୁରୁତ୍ଵ ଦିଆଯାଉ ନଥିଲା। ତେଣୁ ଓଡିଆ ଚଳଚ୍ଚିତ୍ର ଦର୍ଶକମାନଙ୍କ ନିକଟରେ ସହଜରେ ପହଞ୍ଚି ନପାରି ଏକ ମୂମୁର୍ଷୁ ଅବସ୍ଥାରେ ରହିଥିଲା। ଏବେ କରୋନା ଭୂତାଣୁ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଲକ୍‌ଡାଉନ ହେବା ଦ୍ଵାରା ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ଓ ପ୍ରଦଶର୍ନ ଯେ ଏକ ସାଂଘାତିକ ଅବସ୍ଥାରେ ପହଞ୍ଚିଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ।

ରାଜ୍ୟର ତିନିଟି ଯାକ ଏକାଡେମି ପକ୍ଷରୁ ସର୍ବୋଚ୍ଚ ପୁରସ୍କାରଗୁଡ଼ିକର ପୁରସ୍କାର ରାଶି ବୃଦ୍ଧି କରାଯିବା ସହ ଦିଆଯାଉଥିବା ଅନ୍ୟାନ୍ୟ ପୁରସ୍କାରଗୁଡ଼ିକର ରାଶିକୁ ମଧ୍ୟ ବୃଦ୍ଧି କରାଯାଇଛି। କିନ୍ତୁ ଚଳଚ୍ଚିତ୍ର କ୍ଷେତ୍ର ପାଇଁ ସେଥିପ୍ରତି ଆଦୌ ଦୃଷ୍ଟି ଦିଆଯାଇନାହିଁ। ତେଣୁ ଚଳଚ୍ଚିତ୍ର ପ୍ରତି ଏହା ନିଶ୍ଚିତରେ ଏକ ବୈମାତୃକ ମନୋଭାବ ସମ୍ଭୁତ ଅନ୍ୟାୟ ବୋଲି କୁହାଯାଇପାରିବ।

ଓଡ଼ିଶାର ଚଳଚ୍ଚିତ୍ର କ୍ଷେତ୍ରରେ କାମ କରୁଥିବା କେହି ବି ଏଭଳି ଅନ୍ୟାୟର ବରଦାସ୍ତ କରିବା ଆଦୌ ଠିକ ନୁହେଁ। ନେଡ଼ି ଗୁଡ଼ କହୁଣିକୁ ବୋହିଯିବା ପୂର୍ବରୁ ସମସ୍ତେ ଏହାର ପ୍ରତିବାଦ କରିବା ଅତି ଜରୁରୀ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ)

Comment