ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶରେ ଘଟିଛି ଏକ ଅମାନୁଷିକ ଘଟଣା। ୪ ବର୍ଷର କୁନି ଝିଅଟିଏ ମାଆକୁ ନ ପାଇ କାନ୍ଦିବାରୁ ତାର ତଣ୍ଟିକୁ ଚିପି ହତ୍ୟା କରିଛି ତା ବାପା। କେବଳ ଏତିକିରେ ବାପାର ରାଗ ଶାନ୍ତ ହୋଇନଥିଲା। ହତ୍ୟା ପରେ ଝିଅର ଶବକୁ ଅଟୋରିକ୍ସାରେ ଧରି ପୁରା ସହରରେ ତା ମାଆକୁ ଖୋଜିବାରେ ଲାଗି ପଡ଼ିଥିଲା ନୃଶଂସ ବାପା।

ଘଟଣାଟି ହେଉଛି ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲା ସୁଲତାନପୁର ଅଞ୍ଚଳର। ସୁଲତାନପୁରର ଖୋଡ଼ା କଲୋନୀରେ ୨୮ ବର୍ଷୀୟ ବାସୁଦେବ ଗୁପ୍ତା ତାଙ୍କ ସ୍ତ୍ରୀ, ଗୋଟିଏ ୩ବର୍ଷର ପୁଅ ଏବଂ ୪ବର୍ଷର ଝିଅକୁ ନେଇ ରହୁଥିଲେ। ବାସୁଦେବଙ୍କ ପେଶା ଥିଲା ଅଟୋରିକ୍ସା ଚଲାଇବା। ତାଙ୍କ ପତ୍ନୀ ମଧ୍ୟ ପାଖ ଏକ ବିୟୁଟି ପାର୍ଲରରେ କାମ କରୁଥିଲେ। କିଛିଦିନ ତଳେ ଏକ କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ଏହାପରେ ବାସୁଦେବଙ୍କ ପତ୍ନୀ ରାଗିଯାଇ ତାଙ୍କ କୁନି ଝିଅକୁ ସ୍ଵାମୀଙ୍କ ପାଖରେ ଛାଡ଼ି ୩ବର୍ଷର ପୁଅକୁ ନେଇ କେଉଁଆଡ଼େ ଚାଲିଯାଇଥିଲେ। କିଛିଦିନ ପରେ ମାଆକୁ ଖୋଜି କୁନି ଝିଅ ବହୁତ କାନ୍ଦିଥିଲା। ବାସୁଦେବ ଝିଅକୁ ଯେତେ ବୁଝାଇବାକୁ ଚେଷ୍ଟା କରୁଥିଲେ ସୁଦ୍ଧା ତା କାନ୍ଦ ବନ୍ଦ କରିବାରେ ବିଫଳ ହୋଇଥିଲେ। ଶେଷରେ ରାଗିଯାଇ ତାର ତଣ୍ଟିକୁ ଚିପି ହତ୍ୟା କରିଦେଇତିଲେ। ଏହାପରେ ତା ଶବକୁ ଗାଡ଼ିରେ ନେଇ ପତ୍ନୀକୁ ଖୋଜିବାରେ ଲାଗିପଡ଼ିଲେ।

ଏହାପରେ ତାଙ୍କ ସାନ ଭାଇଙ୍କଠାରୁ ଖବର ପାଇ ପୋଲିସ ତାଙ୍କୁ ଗିରଫ କରିଛି। ହତ୍ୟା ଅଭିଯୋଗରେ ତାଙ୍କ ନାଁରେ ଆଇପିସିର ଧାରା ୩୦୨ ଲଗାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

Comment