ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ସାରା ଦେଶରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ପାଳିତ ହେଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର କେଓ୍ଵଡ଼ିଆରେ ଥିବା ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ରେ ପହଞ୍ଚି ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଷ୍ଟ୍ରୀୟ ଏକତା ଦିବସ ପାଇଁ ଆୟୋଜିତ ପ୍ୟାରେଡ୍‌ରେ ଅଂଶଗ୍ରହଣ କରିବା ସହ ମୋଦୀ ଦେଶବାସୀଙ୍କୁ ଏକତା ଶପଥ ପାଠ କରାଇଛନ୍ତି।ଏହି ଅବସରରେ ମୋଦୀ କହିଛନ୍ତି ଯେ, ବିବିଧତାରେ ଏକତା ଆମର ପରିଚୟ। କିନ୍ତୁ ଏହି ଏକତାକୁ ଭାଙ୍ଗିବାକୁ କିଛି ଶକ୍ତି ଅହରହ ଉଦ୍ୟମ କରୁଛନ୍ତି। ଏହି ଏକତା ହିଁ ଆମକୁ ଅପରାଜେୟ, ଅସାଧାରଣ ଓ ଅଦ୍ଵିତୀୟ କରିଛି ବୋଲି ସେ କହିଛନ୍ତି।

ଚୀନର ନାଁ ନ ନେଇ ମୋଦୀ କହିଛନ୍ତି ଯେ, ସୀମାକୁ ନେଇ ଭାରତର ଦୃଷ୍ଟିକୋଣ ବଦଳିଛି। ବର୍ତ୍ତମାନ ସୀମାରେ ଶହ ଶହ କିଲୋମିଟର ପର୍ଯ୍ୟନ୍ତ ସଡ଼କ, ପୋଲ ନିର୍ମାଣ କରୁଛି ଭାରତ। ଶତ୍ରୁକୁ ମୁହଁତୋଡ଼ ଜବାବ ଦେବାର ଶକ୍ତି ଆମ ପାଖରେ ଅଛି। ଭାରତର ଭୂମି ଉପରେ ନଜର ପକାଇଲେ ଉଚିତ୍ ଜବାବ ମିଳିବ ବୋଲି ମୋଦୀ କହିଛନ୍ତି।

ମୋଦୀ ଆହୁରି କହିଛନ୍ତି ଯେ, ସମଗ୍ର ବିଶ୍ଵ ପାଇଁ ଆତଙ୍କବାଦ ଏବେ ବଡ଼ ଚିନ୍ତା ପାଲଟିଛି। ତେଣୁ ଆତଙ୍କବାଦ ବିରୋଧରେ ସାରା ବିଶ୍ଵକୁ ଏକଜୁଟ ହେବାକୁ ପଡ଼ିବ।କରୋନା ମୁକାବିଲାରେ ଦେଶବାସୀଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, କରୋନା ମହାମାରୀ ପୂରା ବିଶ୍ଵର ମାନବ ଜୀବନକୁ ପ୍ରଭାବିତ କରିଛି। କିନ୍ତୁ ଖୁସିର କଥା ଯେ କରୋନାକୁ ପ୍ରତିହତ କରିବା ପାଇଁ ସାରା ଦେଶ ଏକଜୁଟ ହୋଇଛି। କରୋନା ବିପକ୍ଷରେ ଦେଶର ୧୩୦ କୋଟି ଜନତା ଏକାଠି ହୋଇ ଲଢ଼ୁଛନ୍ତି। କରୋନା ଯୋଦ୍ଧାମାନଙ୍କ ବଳିଦାନକୁ ଦେଶ କେବେ ବି ଭୁଲିପାରିବ ନାହିଁ ବୋଲି ମୋଦୀ କହିଛନ୍ତି।

ଏହି ଅବସରରେ ମୋଦୀ ଗତବର୍ଷ ହୋଇଥିବା ପୁଲଓ୍ଵାମା ଆକ୍ରମଣ ପ୍ରସଙ୍ଗ ଉଠାଇଛନ୍ତି। ଏଥିପାଇଁ ସେ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ମୋଦୀ କହିଛନ୍ତି ଯେ, ଦେଶ କଦାପି ପୁଲଓ୍ଵାମା ଆକ୍ରମଣକୁ ଭୁଲିପାରିବ ନାହିଁ। ଏହି ଆକ୍ରମଣ ପାଇଁ ଯେତେବେଳେ ପୂରା ଦେଶ ଦୁଃଖୀ ଥିଲା ସେତେବେଳେ କିଛି ଲୋକ ଏହି ଦୁଃଖରେ ସାମିଲ ହୋଇନଥିଲେ। ସେମାନେ ଏଥିରେ ନିଜର ରାଜନୈତିକ ସ୍ଵାର୍ଥ ଦେଖୁଥିଲେ।ସହିଦ ବୀର ସନ୍ତାନମାନଙ୍କ ପାଇଁ ଦୁଃଖ ନ କରି ହୀନ ରାଜନୀତି କରୁଥିଲେ। ସେ ସମୟରେ ସ୍ଵାର୍ଥରେ ଭରା ରାଜନୀତି ତାଙ୍କ ପାଇଁ ଅଧିକ ଗୁରୁତ୍ଵପୂର୍ଣ୍ଣ ଥିଲା। ଏସବୁ ଶୁଣିବା ପରେ ବି ମୁହଁ ଖୋଲିନଥିଲି ବୋଲି ମୋଦୀ କହିଛନ୍ତି। ତେବେ ପଡ଼ୋଶୀ ଦେଶର ସଂସଦରେ ସତ ଉପରୁ ପରଦା ଉଠିଲା। ପଡ଼ୋଶୀ ଦେଶ ସତ ସ୍ଵୀକାର କରିବା ପରେ ବିରୋଧୀଙ୍କ ମୁଖା ଖୋଲିଛି ବୋଲି ମୋଦୀ କହିଛନ୍ତି।

Comment