ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ନଭେମ୍ବରରେ ସ୍କୁଲ ଖୋଲିବନି। ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି ସରକାର। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତିରେ ଏଭଳି ପରିବର୍ତ୍ତନ କରାଯାଇଥିବା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

‘‘ଡିସେମ୍ବରରେ କରୋନା ସଂକ୍ରମଣ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବା ଆଶଙ୍କା ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ତେଣୁ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି। କରୋନା ସ୍ଥିତିକୁ ଦେଖି କେବେ ସ୍କୁଲ ଖୋଲିବ ପରେ ନିଷ୍ପତ୍ତି ନିଆଯିବ’’, କହିଛନ୍ତି ସମୀର ରଞ୍ଜନ ଦାଶ।

ସେ ଆହୁରି କହିଛନ୍ତି,‘‘ସ୍ୱାସ୍ଥ୍ୟ ବିଭାଗର ପରବର୍ତ୍ତୀ ଗାଇଡଲାଇନକୁ ଅପେକ୍ଷା କରିଛୁ। ଗାଇଡଲାଇନ୍‌ ଆସିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ’’।

ରାଜ୍ୟରେ କରୋନା ଗ୍ରାଫ୍‌ ତଳମୁହାଁ ହେବା ଦେଖି ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ଖୋଲିବା ପାଇଁ ଦୁଇ ଦିନ ତଳେ ନିଷ୍ପତ୍ତି ନିଆଯାଇଥିଲା। ନବର ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ସ୍କୁଲ ଆସି ପାଠ ପଢ଼ିବେ ବୋଲି କୁହାଯାଇଥିଲା। କିନ୍ତୁ ଗୁରୁବାର ଆନ୍ଧ୍ରପ୍ରଦେଶରେ ଛାତ୍ରଛାତ୍ରୀ ଓ ଶିକ୍ଷକ ସଂକ୍ରମିତ ହୋଇଥିବା ଖବର ଆସିବା ପରେ ରାଜ୍ୟ ସରକାର ମଧ୍ୟ ତାଙ୍କ ନିଷ୍ପତ୍ତି ବଦଳାଇ ଦେଇଥିବା କୁହାଯାଉଛି।

Comment