ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରର ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ‘ସେନ୍ସିକେୟାର୍’ (SenCiCare) ନାମକ ଏକ ଷ୍ଟାର୍ଟ୍ଅପ୍‌ର ଶୁଭାରମ୍ଭ ହୋଇଛି।  ଆମେରିକାର ଜଣେ ସାମାଜିକ ଉଦ୍ୟୋକ୍ତା ପ୍ଲାବନ ମହାପାତ୍ର ଏହି ଷ୍ଟାର୍ଟ୍ଅପ୍‌ର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ଵରରେ ବରିଷ୍ଠ ନାଗରିକଙ୍କୁ ସ୍ୱାଧୀନ ଭାବେ ବିଭିନ୍ନ ସୁବିଧା ଯୋଗାଇଦେବା ପାଇଁ ଏହି ଷ୍ଟାର୍ଟ୍ଅପ୍‌କୁ ଆରମ୍ଭ କରାଯାଇଥିବା ଉଦ୍ୟୋକ୍ତା ପ୍ଲାବନ ମହାପାତ୍ର ସୂଚନା ଦେଇଛନ୍ତି।

ନୂଆକରି ଆରମ୍ଭ ହୋଇଥିବା ଏହି ଷ୍ଟାର୍ଟ୍ଅପ୍‌ରେ ଯୋଗ ଦେଇଥିବା ବରିଷ୍ଠ ନାଗରିକମାନଙ୍କ ନିକଟରେ ସଉଦାପତ୍ର, ନିରାମିଷ ଓ ଆମିଷ ଖାଦ୍ୟପଦାର୍ଥ, ଔଷଧ ଏବଂ ପାଥୋଲୋଜିକାଲ୍ ଟେଷ୍ଟ୍ ଆଦିର ସୁବିଧା ଯୋଗାଇଦେବା ପାଇଁ କମ୍ପାନି ସହିତ ଜଡ଼ିତ ଯୁବଗୋଷ୍ଠୀ ଏଥିରେ କାର୍ଯ୍ୟ କରିବେ।

ଏତଦ୍‌ବ୍ୟତୀତ ଟ୍ୟାକ୍ସି କିମ୍ବା ଆମ୍ବୁଲାନ୍ସ ବୁକ୍ କରିବା, ସୋସିଆଲ୍ ମିଡିଆର ବ୍ୟବହାର କିମ୍ବା ଭର୍ଚୁଆଲ୍ ମିଟିଙ୍ଗ୍ ଆଦିରେ ଅଂଶଗ୍ରହଣ କରିବା, ଖାଦ୍ୟ ତଥା ଘରକରଣା ସାମଗ୍ରୀର ଅନ୍‌ଲାଇନ୍ କ୍ରୟ ଭଳି ଅନେକ କାର୍ଯ୍ୟରେ ବରିଷ୍ଠ ନାଗରିକମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ମାସିକ ମାତ୍ର ୪୯୯ ଟଙ୍କାରେ କମ୍ପାନି ସୁବିଧା ଯୋଗାଇଦେବ।

ଭୁବନେଶ୍ୱରରେ ବାସ କରୁଥିବା ୬୦ ବର୍ଷ ବୟସରୁ ଉର୍ଦ୍ଧ୍ଵ ବୟସ୍କ ବ୍ୟକ୍ତି କିମ୍ବା ବାହାରେ ରହୁଥିବା ବ୍ୟକ୍ତି ଯେଉଁମାନଙ୍କ ବୟସ୍କ ପିତାମାତା ଭୁବନେଶ୍ୱରରେ ବାସ କରୁଥିବେ, ସେମାନେ ଏହି ସେବାର ଲାଭ ନେଇପାରିବେ ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି।

ଷ୍ଟାର୍ଟ୍ଅପ୍‌ ବିଷୟରେ ସବିଶେଷ ଜାଣିବା ପାଇଁ ୮୮୯୫୦୭୭୭୪୬ / ୮୭୬୩୭୧୩୪୫୯ ନମ୍ବରରେ ଯୋଗାଯୋଗ କରାଯାଇପାରିବ।

Comment