ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମହମାରୀ ପାଇଁ ସ୍କୁଲ ବନ୍ଦ ରହିଥିଲା ବେଳେ ମାଟ୍ରିକ ପରୀକ୍ଷା କେବେ ହେବ, କେମିତି ହେବ ସେନେଇ କିଛି ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଜଣାପଡ଼ୁନାହିଁ।

ଚଳିତ ଶିକ୍ଷା ବର୍ଷର ଅଧା ସମୟ ଅତିକ୍ରାନ୍ତ ହୋଇସାରିଲାଣି। ୭ ମାସ ହେଲା ସ୍କୁଲ ଖୋଲିପାରୁନାହିଁ। ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ ଘୋଷଣା କରିଛନ୍ତି ସରକାର। କେବେ ଖୋଲିବ ତାହା ମଧ୍ୟ ସ୍ପଷ୍ଟ ହୋଇପାରୁନାହିଁ। ଏଭଳି ସ୍ଥିତିରେ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଚିନ୍ତାରେ ରହିଛନ୍ତି।

ଏ ବର୍ଷ ସ୍କୁଲ ମାଟି ମାଡ଼ି ନାହାନ୍ତି ଛାତ୍ରଛାତ୍ରୀ

ଯଦି ସ୍ଥିତି ସ୍ୱାଭାବିକ ଥାଆନ୍ତା ତେବେ ନଭେମ୍ବରକୁ ପ୍ରିଟେଷ୍ଟ, ଟେଷ୍ଟ ପରୀକ୍ଷା ସାରି ଡିସେମ୍ବରକୁ ଫାଇନାଲ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତ ହେଉଥାନ୍ତେ। ହେଲେ କରୋନା ପାଇଁ ସିଲାବସ୍‌ ବି ସରିନି। ମାତ୍ର କରୋନା ଯୋଗୁଁ ତାହା ମଧ୍ୟ ହୋଇନାହିଁ। ଛାତ୍ରଛାତ୍ରୀ ଏ ବର୍ଷ ସ୍କୁଲ ମାଟି ମାଡିନାହାନ୍ତି। ପାଠପଢ଼ା ପାଇଁ ଅନଲାଇନ ହିଁ ବିକଳ୍ପ ପାଲଟିଛି। କିନ୍ତୁ ଅଧିକାଂଶ ଛାତ୍ରଛାତ୍ରୀଙ୍କ ନିକଟରେ ସ୍ମାର୍ଟଫୋନ ନାହିଁ। ଏପରି ସ୍ଥିତିରେ ପରୀକ୍ଷାକୁ ନେଇ ଚିନ୍ତାରେ ରହିବା ସ୍ୱାଭାବିକ।

ସ୍ଥଗିତ ରହିଲା ଫର୍ମ ପୂରଣ ପ୍ରକ୍ରିୟା

ଅନ୍ୟପଟେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଫର୍ମ ପୂରଣ ନେଇ ପରେ ଆଉ ଥରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ମାଟ୍ରିକ ପରୀକ୍ଷା ପାଇଁ ପ୍ରକାଶ ପାଇଥିବା ଫର୍ମ ପୂରଣ ବିଜ୍ଞପ୍ତି ପ୍ରତ୍ୟାହାର କରିବାକୁ ଶନିବାର ବୋର୍ଡ ସଭାପତିଙ୍କୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପାଇବା ପରେ ଫର୍ମ ପୂରଣ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି। ନଭେମ୍ବର ୫ ତାରିଖରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଡିସେମ୍ବର ୯ରୁ ଫର୍ମ ପୂରଣ ଆରମ୍ଭ ହେବ ବୋଲି କୁହାଯାଇଥିଲା।

ଜାନୁଆରିରେ ଖୋଲିବ ତ ସ୍କୁଲ?

ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବନ୍ଦ ରହିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେବେ କ’ଣ ଜାନୁଆରିରୁ ସ୍କୁଲ ଖୋଲିବ, ନାଁ ପୁଣି ତାରିଖ ଘୁଞ୍ଚିବ? ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନ ରହିଛି। ଯଦି ବି ଜାନୁଆରିରେ ସ୍କୁଲ ଖୋଲିଲା ତେବେ ପିଲାଙ୍କ ପାଖରେ ପରୀକ୍ଷା ଲାଗି ପ୍ରସ୍ତୁତ ହେବାକୁ ସମୟ ରହିବିନି। କାରଣ ପ୍ରତିବର୍ଷ ଫେବ୍ରୁଆରିରୁ ମାର୍ଚ୍ଚ ମଧ୍ୟରେ ପରୀକ୍ଷା ହୋଇଥାଏ।

Comment