ଓଡ଼ିଶାଲାଇଭ୍ ବ୍ୟୁରୋ

  • ଉଦ୍‌ବେଗ ପ୍ରକାଶ କଲେ ହାଇକୋର୍ଟ
  • ୩ ଲକ୍ଷ କ୍ଷତିପୂରଣ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ
  • ୨ ଅବସରପ୍ରାପ୍ତ ପୋଲିସ ଅଧିକାରୀ ପୁଣି ଜେଲ୍‌କୁ ଫେରିବେ

କଟକ: କଟକ ପୁରୀଘାଟ ଥାନାରେ ୩୨ ବର୍ଷ ତଳେ ଘଟିଥିବା ଏକ ହାଜତ ମୃତ୍ୟୁ ଘଟଣାରେ ସୋମବାର ହାଇକୋର୍ଟଙ୍କ ରାୟ ପ୍ରକାଶ ପାଇଛି। ୧୬୩ ପୃଷ୍ଠା ସମ୍ବଳିତ ରାୟରେ ହାଇକୋର୍ଟ ଏହି ମାମଲାରେ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଥିବା ଅବସରପ୍ରାପ୍ତ ଦୁଇ ପୋଲିସ ଅଧିକାରୀଙ୍କ ଦଣ୍ଡକୁ କୋହଳ କରି ଦେଇଛନ୍ତି। ବୟସାଧିକ୍ୟ ଯୋଗୁ ଏହି ଦୁଇ ଅଧିକାରୀ ୧ ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ଭୋଗିବେ ବୋଲି ହାଇକୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି।

ଅପରପକ୍ଷେ ହାଇକୋର୍ଟ ଥାନା ହାଜତରେ ମୃତ୍ୟୁବରଣ କରିଥିବା କାଶୀନାଥ ନାୟକଙ୍କ ଆଇନଗତ ଉତ୍ତରାଧିକାରୀ (ଲିଗାଲ ହାୟର୍‌)ଙ୍କୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରିବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ହାଇକୋର୍ଟ ନିଜ ରାୟରେ ହାଜତ ମୃତ୍ୟୁ ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି।

ନିଜକୁ ଯେଉଁ ପୋଲିସ ଅଧିକାରୀ ଆଇନରୁ ଊର୍ଦ୍ଧ୍ୱରେ ବୋଲି ଭାବୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି କୋର୍ଟ ମତ ଦେଇଛନ୍ତି। ପୁରୀଘାଟ ଥାନାର ତତ୍କାଳୀନ ଥାନା ଅଧିକାରୀ ପ୍ରଭାତ ମହାନ୍ତି ଏବଂ ସବ୍ ଇନ୍ସପେକ୍ଟର ପ୍ରତାପ ଚୌଧୁରୀଙ୍କ ପକ୍ଷରୁ ଆଗତ ଅପିଲ୍ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଙ୍ଗମ କୁମାର ସାହୁ ଏହି ନିର୍ଦ୍ଦେଶ ଦେଇଛନ୍ତି।

୧୯୮୫ ମସିହାରେ ପୁରୀଘାଟ ଥାନା ପକ୍ଷରୁ କାଶୀନାଥ ନାୟକ ଏବଂ କୁଶିଆ ନାୟକଙ୍କୁ ଥାନାକୁ ଡକାଯାଇଥିଲା। ଥାନାର ଉପରୋକ୍ତ ଦୁଇ ଅଧିକାରୀ କାଶୀନାଥଙ୍କୁ ନିର୍ଘାତ ପିଟିଥିଲେ। ଯେଉଁଥିରେ କାଶୀନାଥଙ୍କର ମୃତ୍ୟୁ ହୋଇଥିଲା। ନିମ୍ନ ଅଦାଲତ ମାମଲାର ଶୁଣାଣି କରି ପ୍ରତାପ ଚୌଧୁରୀଙ୍କୁ ୭ ବର୍ଷ ଏବଂ ପ୍ରଭାତ ମହାନ୍ତିଙ୍କୁ ୫ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଥିଲେ। ଏହି ଆଦେଶକୁ ଚାଲେଞ୍ଜ କରି ଉଭୟ ୧୯୮୮ ମସିହାରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

ଯେଉଁଦିନ ସେମାନେ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ସେହିଦିନ ଉଭୟଙ୍କୁ ହାଇକୋର୍ଟରୁ ଜାମିନ୍ ମିଳିଥିଲା। ୩୨ ବର୍ଷ ପରେ ହାଇକୋର୍ଟରେ ଗତକାଲି ଏହି ମାମଲାର ରାୟ ପ୍ରକାଶ ପାଇଛି। ନିମ୍ନ ଅଦାଲତ ଉଭୟଙ୍କୁ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୩୦୪ (ଆଇଆଇ) (କୌଣସି ଉଦ୍ଦେଶ୍ୟ ନରଖି ଜଣଙ୍କୁ ଜୀବନରୁ ମାରିଦେବା ବା ମାରୁ ମାରୁ ମରିଯିବା), ଧାରା ୩୨୩(ଆଘାତ ଦେବା), ଧାରା ୩୪୨(ବେଆଇନ ଭାବେ ଅଟକ ରଖିବା), ଧାରା ୩୪୭(ଦୋଷ ଘୋଡ଼ାଇବା ପାଇଁ ମିଥ୍ୟା କେସ୍ ଡାଏରୀ କରିବା) ରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡବିଧାନ କରିଥିଲେ।

ହାଇକୋର୍ଟ ଉଭୟଙ୍କ ଆବେଦନର ଶୁଣାଣି କରି କହିଛନ୍ତି ଯେ, ପ୍ରଭାତ ମହାନ୍ତିଙ୍କ ବୟସ ୭୬ ଏବଂ ପ୍ରତାପ ଚୌଧୁରୀଙ୍କ ବୟସ ୭୫ ବର୍ଷ। ଯେଉଁ ଘଟଣା ଘଟିଥିଲା ତାହା ୩୫ ବର୍ଷ ତଳର। ତେଣୁ ଉଭୟ ଆବେଦନକାରୀ ବହୁ ମାନସିକ ନିର୍ଯାତନା ଭିତରେ ଗତି କରିଥିବେ। ଏସବୁକୁ ଦୃଷ୍ଟିରେ ରଖି ଆଇପିସିର ୩୨୩ରେ କେବଳ ଏକ ମାସ ଲାଗି ଜେଲ୍‌, ଧାରା ୪୭୧ରେ ୩ ମାସ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଆଇପିସିର ଧାରା ୩୨୪ରେ ଏକ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି।ଏସବୁ ଦଣ୍ଡ ଏକତ୍ର ଲାଗୁ ହେବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ଫଳରେ ଆସାମୀ ୧ ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ଭୋଗିବେ। ଯେହେତୁ ଆବେଦନକାରୀମାନେ ଜାମିନ୍‌ରେ ଅଛନ୍ତି ତେଣୁ ସେମାନେ ଅଦାଲତଙ୍କ ଆଦେଶ ପାଇବାର ଦୁଇ ସପ୍ତାହ ମଧ୍ୟରେ ଟ୍ରାଏଲ୍ କୋର୍ଟରେ ଆତ୍ମସମର୍ପଣ କରି ବାକି ସମୟ ଜେଲ୍‌ରେ କଟାଇବେ।

ଗୋଟିଏପଟେ ଥାନା ହାଜତ ମୃତ୍ୟୁକୁ ନେଇ ହାଇକୋର୍ଟ ଉପରୋକ୍ତ ଦୁଇ ଅଧିକାରୀଙ୍କ ଦଣ୍ଡବିଧାନ କୋହଳ କରିଥିଲେ ମଧ୍ୟ ହାଜତ ମୃତ୍ୟୁକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। କୋର୍ଟ ଦର୍ଶାଇଛନ୍ତି, ଥାନା ହାଜତରେ ଜଣଙ୍କୁ ନିର୍ଯାତନା ଦିଆଯିବା ଓ ଏଥିରେ ତାଙ୍କର ମୃତ୍ୟୁ ହେବା ଏକ ଘୃଣ୍ୟ କାର୍ଯ୍ୟ। ଏକ ସଭ୍ୟ ସମାଜରେ ଏହା କେବେ ବି ଗ୍ରହଣୀୟ ନୁହେଁ।

ତେଣୁ ଯେଉଁ ପୋଲିସ ଅଧିକାରୀମାନେ ଏଭଳି ଘୃଣ୍ୟ କାର୍ଯ୍ୟ କରି ସେମାନଙ୍କ ବିଭାଗ ଲାଗି ଦୁର୍ନାମ ଆଣୁଛନ୍ତି ଏବଂ ନିଜକୁ ଆଇନରୁ ଊର୍ଦ୍ଧ୍ୱରେ ଭାବୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରିବାକୁ କୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି। ନଚେତ୍ ଫୌଜଦାରୀ ବିଚାର ବ୍ୟବସ୍ଥା ଦୋହଲିଯିବ ଏବଂ ସାଧାରଣ ଲୋକ ବିଚାର ବ୍ୟବସ୍ଥା ଉପରୁ ଭରସା ତୁଟାଇେଦେବେ। ହାଜତ ମୃତ୍ୟୁ ରାଜ୍ୟ ପାଇଁ ଏକ ବଡ଼ ଦୁଃଖଦ ଘଟଣା। ଏଭଳି ଘଟଣା ଦ୍ଵାରା ରାଜ୍ୟରେ ଜଣେ ନାଗରିକଙ୍କ ଜୀବନ କେତେ ଦୁର୍ବିସହ ତାହା ସ୍ପଷ୍ଟ କରିଥାଏ ବୋଲି କୋର୍ଟ କହିଛନ୍ତି।

ଆବେଦନକାରୀ ପ୍ରଭାତ ମହାନ୍ତିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଯଶୋବନ୍ତ ଦାସ ଏବଂ ପ୍ରତାପ ଚୌଧୁରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦେବାଶିଷ ପଣ୍ଡା ମାମଲା ପରିଚାଳନା କରୁଥିଲେ।

Comment