ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଅନଲାଇନ ଶିକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ଟାଟା କନ୍‌ସଲଟାନ୍ସି ସର୍ଭିସ (ଟିସିଏସ୍‌)ର ସାହାଯ୍ୟ ନେବେ। ରାଜ୍ୟର ୨୧୪ଟି ମଡେଲ ସ୍କୁଲ ଓ ୧୦୧ଟି ଆଦର୍ଶ ସ୍କୁଲରେ ଏହି ବ୍ୟବସ୍ଥା ଗ୍ରହଣ କରାଯିବ। ଅନଲାଇନ ଜରିଆରେ କିଭଳି ଭଲ ଶିକ୍ଷାଦାନ କରାଯାଇପାରିବ ଓ ଛାତ୍ରଛାତ୍ରୀମାନଙ୍କୁ କିଭଳି ଡିଜିଟାଲ କଣ୍ଟେଣ୍ଟ ସୂଚାରୁ ରୂପେ ଦିଆଯାଇ ପାରିବ ସେ ସମ୍ପର୍କରେ ସ୍କୁଲ ଶିକ୍ଷକମାନଙ୍କୁ ଟିସିଏସ ତାଲିମ ପ୍ରଦାନ କରିବ।

କରୋନା ଯୋଗୁଁ ରାଜ୍ୟରେ ସ୍କୁଲଗୁଡ଼ିକ ବନ୍ଦ ଥିବା ହେତୁ ସମଗ୍ର ରାଜ୍ୟରେ ଅନଲାଇନ ଶିକ୍ଷା ପ୍ରଦାନ ଉପରେ ଏବେ ସରକାର ଗୁରୁତ୍ୱ ଆରୋପ କରୁଛନ୍ତି। ଏବାବଦରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, “ଟାଟା କନ୍‌ସଲଟାନ୍ସି ସର୍ଭିସ ସହିତ ଏଥିପାଇଁ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଶୁକ୍ରବାର ଦିନ ଏନେଇ ଏକ ଭରଚୁଆଲ ମିଟିଂ ଅନୁଷ୍ଠିତ ହୋଇଥିଲା। ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଅନଲାଇନ ଶିକ୍ଷା ଉନ୍ନତିକରଣ ଚାଲିବ।”

ବୁଝାମଣା ପତ୍ର ଅନୁସାରେ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ବିଷୟରେ ଡିଜିଟାଲ କଣ୍ଟେଣ୍ଟକୁ ସଂସ୍ଥା ପକ୍ଷରୁ ଅନଲାଇନ ପ୍ଲାଟଫର୍ମରେ ପକାଯିବ। ଶିକ୍ଷକମାନେ କିପରି ଡିଜିଟାଲ ମାଧ୍ୟମରେ ପାଠ ପଢ଼ାଇବେ ସେହି ସମ୍ପର୍କିତ ତାଲିମ ବି ଟିସିଏସ ଦେବ। ନିଜ ସୁବିଧା ଅନୁଯାୟୀ ଶିକ୍ଷକମାନେ ଦିନକୁ ଘଣ୍ଟାଏ କି ଦୁଇ ଘଣ୍ଟା ଏଥିପାଇଁ ସମୟ ଦେବେ। ଅନଲାଇନ ଜରିଆରେ ଶିକ୍ଷକ ମାନେ ଛାତ୍ରଛାତ୍ରୀମାନଙ୍କୁ ହୋମୱାର୍କ ବି ଦେଇପାରିବେ। ଛାତ୍ରମାନେ ତାହାକୁ ସେହି ଅନଲାଇନ ପ୍ଲାଟଫର୍ମରେ ଦାଖଲ କରିପାରିବେ।

Comment