ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାରରେ ପୁଣିଥରେ ସରକାର ଗଢ଼ିବାକୁ ଯାଉଛନ୍ତି ଜେଡିୟୁ ନେତା ନୀତିଶ କୁମାର। ଅପରାହ୍ଣ ସାଢ଼େ ୪ଟାରେ ସେ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ। ତାଙ୍କ ସହ ଆଉ ୧୪ ଜଣ ନେତା ମଧ୍ୟ ମନ୍ତ୍ରୀ ପଦର ଶପଥ ନେବେ। ଏଥିପାଇଁ ରାଜଭବନରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ଜଣାପଡ଼ିଛି।

ତେବେ ନୀତିଶଙ୍କ ଏହି ଶପଥ ଗ୍ରହଣ ସମାରୋହରେ କିନ୍ତୁ ମହାମେଣ୍ଟର କୌଣସି ନେତା ଯୋଗଦେବେନି। ତେଜସ୍ୱୀ ଯାଦବଙ୍କ ଆରଜେଡି ସହିତ କଂଗ୍ରେସ ଓ ବାମଦଳ ଏହି ଶପଥ ଗ୍ରହଣ ଉତ୍ସବକୁ ବର୍ଜନ କରିଛନ୍ତି। ଅନ୍ୟପଟେ ନୀତିଶଙ୍କ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିହାର ଯାଉଛନ୍ତି। ସେମାନେ ନୀତିଶଙ୍କ ଏହି ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ରହିବେ।

ବିହାର ନିର୍ବାଚନରେ ଏଥର ଏନଡିଏକୁ ବହୁମତ ମିଳିଛି। ଯାହାଫଳରେ ଜେଡିୟୁ ନେତା ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହେବାକୁ ସ୍ଥିର ହୋଇଛି। ତାଙ୍କ ସହ ବିଜେପିର ଅନ୍ୟ ଦୁଇ ନେତା ତାରକିଶୋର ପ୍ରସାଦ ଓ ରେଣୁ ଦେବୀ ଉପ ମୁଖ୍ୟମନ୍ତ୍ରୀ ଆସନରେ ବସିବେ। ଏଥିସହ ବିଧାନସଭା ବାଚସ୍ପତି ବିଜେପି ନେତା ନନ୍ଦକିଶୋର ଯାଦବ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।ସପ୍ତମ ଥର ନେବେ ଶପଥ

ନୀତିଶ କୁମାର ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହାପୂର୍ବରୁ ସେ ୬ ଥର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇସାରିଛନ୍ତି।

ନଭେମ୍ବର ୩, ୨୦୨୦ରେ ନୀତିଶ କୁମାର ପ୍ରଥମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ସେ ମାତ୍ର ସପ୍ତାହକ ପାଇଁ ମୁଖ୍ୟମନ୍ତ୍ରୀ ରହି ଇସ୍ତଫା ଦେଇଥିଲେ। ଏହାପରେ ୨୦୦୫ ମସିହା ନଭେମ୍ବର ୨୪ ତାରିଖରେ ସେ ବିଜେପି ସମର୍ଥନରେ ଦ୍ୱିତୀୟ ଥର ଏବଂ ୨୦୧୦ରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୪ରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଜୀତନ ରାମ ମାଞ୍ଝୀ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ୯ ମାସ ପରେ ନୀତିଶ ପୁଣି କ୍ଷମତାକୁ ଫେରିଥିଲେ ଏବଂ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଶପଥ ନେଇଥିଲେ।

୨୦୧୫ ସାଧାରଣ ନିର୍ବାଚନରେ ମହାମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିବା ସହ ନୀତିଶ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ। ଏଥିରେ ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଆରଜେଡି ନେତା ତେଜସ୍ୱୀ ଯାଦବ। ୨୦୧୭ରେ ମହାମେଣ୍ଟ ସହ ବିବାଦ ପରେ ନୀତିଶ ସରକାରରୁ ଇସ୍ତଫା ଦେଇ ଦେଇଥିଲେ। ଏହାର ଠିକ୍ ପରଦିନ ନୀତିଶ ବିଜେପି ସହ ମିଶି ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ଆଜି ସେ ସପ୍ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

Comment