ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀକୁ ପୁଣି ଫେରିପାରେ ଲକଡାଉନ୍। କରୋନା ସଂକ୍ରମଣ ବଢୁଥିବା ଦେଖି ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କେନ୍ଦ୍ର ସରକାରଙ୍କୁ ଚିଠି ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି।

ଦିଲ୍ଲୀରେ ଶୀତ ବଢ଼ିବା ସହିତ ଗତ କିଛି ଦିନ ହେଲା ସଂକ୍ରମଣର ମାତ୍ରା ଖୁବ ବଢ଼ିଯାଇଛି। ଯାହାକୁ ନେଇ ଏବେ ଦିଲ୍ଲୀ ସରକାର ପୁଣି ଚିନ୍ତାରେ ପଡ଼ିଯାଇଛି। ତେଣୁ ଦିଲ୍ଲୀରେ ଛୋଟ ଧରଣର ଲକଡାଉନ୍ ନିୟମ ପୁଣି ଜାରି ହୋଇପାରେ ବୋଲି କେଜରିୱାଲ କହିଛନ୍ତି।ଦିଲ୍ଲୀର କିଛି ବଜାରରେ ଲୋକମାନେ କୋଭିଡ୍ ନିୟମ ପାଳନ କରୁନାହାନ୍ତି। ଏପରିକି ଲୋକମାନେ ମାସ୍କ ଓ ସାନିଟାଇଜର ମଧ୍ୟ ବ୍ୟବହାର କରୁନାହନ୍ତି। ତେଣୁ ସଂକ୍ରମଣକୁ ଦେଖି ରାଜ୍ୟ ସରକାର ଏହି ଅଞ୍ଚଳକୁ ଲକଡାଉନ୍ ଘୋଷଣା କରିବାକୁ ଯୋଜନା କରୁଛନ୍ତି। ଅନ୍ୟପଟେ କୋବିଡ୍ କଟକଣାକୁ ମଧ୍ୟ ଦିଲ୍ଲୀରେ ପୁଣି କଡ଼ା କରାଯାଇଛି।

ପୂର୍ବରୁ ଦିଲ୍ଲୀରେ ବିବାହ କାର୍ଯ୍ୟକ୍ରମରେ ୨୦୦ ଅତିଥିଙ୍କୁ ଯୋଗଦେବାକୁ ଅନୁମତି ମିଳୁଥିଲା। ହେଲେ ଏବେ ଏହାକୁ ୫୦କୁ କମାଇ ଦିଆଯାଇଛି। ଏଥିସହ ପ୍ରତ୍ୟେକ ବିବାହ,ବ୍ରତ କାର୍ଯ୍ୟକ୍ରମରେ ଯେଭଳି କୋଭିଡ୍ ନିୟମ ପାଳନ ହେବ ସେନେଇ ମଧ୍ୟ ଲକ୍ଷ୍ୟ ରଖିବାକୁ କୁହାଯାଇଛି।

ଦିଲ୍ଲୀରୁ ଏବେ ସୁଦ୍ଧା ମୋଟ ୪ ଲକ୍ଷ ୮୯ ହଜାର ୨୦୨ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଲେଣି। ଏବେ ବି ସେଠାରେ ୪୦ ହଜାରରୁ ଅଧିକ ସକ୍ରିୟ ସଂକ୍ରମିତ ଅଛନ୍ତି। ତେବେ ଗତ କିଛି ଦିନ ହେଲା ସଂକ୍ରମଣ ଗ୍ରାଫ୍ ତଳକୁ ଖସିଥିଲା। ହେଲେ ଶୀତ ବଢ଼ିବା ସହିତ ଏବେ ସଂକ୍ରମଣ ବଢ଼ିବା ସହିତ ଦିନକୁ ୭ରୁ ୮ ହଜାର ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି।

Comment