ଓଡ଼ିଶାଲାଇଭ୍ ବ୍ୟୁରୋ

ଶୀତଦିନେ ରାଜ୍ୟର କୌଣସି ଶିଶୁ ଖୋଲା ଆକାଶ ତଳେ ଶୋଇବେନି। ଯେଉଁ ଶିଶୁ ତାଙ୍କ ପରିବାର ସହ ବାସହୀନ ହୋଇ ଖୋଲା ଆକାଶ ତଳେ ଶୋଉଛନ୍ତି, ସେମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ରହଣିର ବ୍ୟବସ୍ଥା କରିବ। ଏନେଇ ବୁଧବାର ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ।

ରାଜ୍ୟରେ ଶୀତଦିନେ ଅନେକ ଶିଶୁ ସେମାନଙ୍କ ପରିବାର ସହ ବାସହୀନ ହୋଇ ଖୋଲା ଆକାଶ ତଳେ ରାତି କଟାଉଥିବା ଦେଖିବାକୁ ମିଳିଥାଏ। ବିଶେଷକରି ସହରାଞ୍ଚଳରେ ଏହି ସଂଖ୍ୟା ଅଧିକ। ଆଗକୁ ଶୀତ ଏବଂ କରୋନା ସଂକ୍ରମଣ ବଢ଼ିବା ନେଇ ଆଶଙ୍କା କରାଯାଉଥିବା ବେଳେ, ଶିଶୁମାନଙ୍କର ସୁରକ୍ଷା ପାଇଁ ଏହି ବ୍ୟବସ୍ଥା ଆପଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ଜିଲ୍ଲା ପ୍ରଶାସନ ଆସନ୍ତା ୧୫ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି।   ପ୍ରଥମେ ସମସ୍ତ ଜିଲ୍ଲାରେ ଏକ ସ୍ଵତନ୍ତ୍ର ସଚେତନତା କାର୍ଯ୍ୟକ୍ରମ କରି ଖୋଲା ଆକାଶ ତଳେ ଶୋଉଥିବା ଶିଶୁ ଏବଂ ସେମାନଙ୍କ ପରିବାରକୁ ଚିହ୍ନଟ କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଖୋଲା ଆକାଶ ତଳେ ଶୋଇବେନି କେହି ଶିଶୁ’ ନାମରେ ଏକ ଅଭିଯାନ ଆରମ୍ଭ କରାଯିବା ସହ ଯୋଗାଯୋଗ ପାଇଁ ଟେଲିଫୋନ କିମ୍ଵା ହ୍ଵାଟ୍‌ସଆପ୍ ନମ୍ଵର ଜାରି କରାଯିବ।

ଏଥିସହିତ ଯୋଗାଯୋଗର ଅଧ ଘଣ୍ଟା ମଧ୍ୟରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଛି। ବାସହୀନଙ୍କ ପାଇଁ ସହରାଞ୍ଚଳରେ ଥିବା କୁଟୀର ଯୋଜନାରେ ସେମାନଙ୍କ ପାଇଁ ରହିବା ବନ୍ଦୋବସ୍ତ କରାଯିବ। ଯଦି କୌଣସି ସ୍ଥାନରେ ଏହି ସୁବିଧା ଉପଲବ୍ଧ ନାହିଁ ସେ କ୍ଷେତ୍ରରେ ରାଜ୍ୟ ସହରାଞ୍ଚଳ ଉନ୍ନୟନ ଏଜେନ୍ସି ସହଯୋଗିତାରେ ଅସ୍ଥାୟୀ ରହଣିସ୍ଥାନର ବ୍ୟବସ୍ଥା କରାଯିବ।

ସମସ୍ତ ଶିଶୁଙ୍କ ନାମକୁ ପଞ୍ଜୀକରଣ କରାଯାଇ ସେମାନଙ୍କ ସୁରକ୍ଷା ପ୍ରତି ବିଶେଷ ଭାବେ ଧ୍ୟାନ ଦିଆଯିବ। ସେହିପରି କୋଭିଡ ସଂକ୍ରମିତ ଶିଶୁଙ୍କ ପାଇଁ ଉପଯୋଗୀ ପରିବେଶ ସୃଷ୍ଟି କରାଯାଇ ସେମାନଙ୍କୁ ଚିକିତ୍ସା କରାଇବାକୁ କୁହାଯାଇଛି। ଏଥିସହିତ ପ୍ରତି ମାସରେ ଜିଲ୍ଲାଓ୍ଵାରୀ ଭାବେ କମିସନଙ୍କୁ ଏହି କାର୍ଯ୍ୟକ୍ରମର ସମୀକ୍ଷା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here