ଓଡ଼ିଶାଲାଇଭ୍ ବ୍ୟୁରୋ

  • ପୂର୍ବରୁ ଜବାବ ଦାଖଲ କରିସାରିଛନ୍ତି ରାଜ୍ୟ ସରକାର
  • ନାଗାର୍ଜୁନ ବେଶ ଦର୍ଶନ ସୁଯୋଗ ପାଇଁ ଅଦାଲତଙ୍କୁ ପ୍ରାର୍ଥନା

କଟକ: ଧର୍ମାନୁଷ୍ଠାନ ଖୋଲିବା ନେଇ ଆବେଦନକାରୀଙ୍କୁ ପ୍ରତିଜବାବ ଦାଖଲ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସମାଜସେବୀ ଜୟନ୍ତ କୁମାର ବଳଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ବୁଧବାର ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଏବଂ ବିଚାରପତି ଜଷ୍ଟିସ୍ ବି.ଆର୍‌. ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ, ଗତକାଲି ଆବେଦନକାରୀଙ୍କ ପକ୍ଷରୁ ମହାପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଦର୍ଶନ ପାଇଁ ଅନୁମତି ପ୍ରଦାନ ଲାଗି ଅଦାଲତଙ୍କୁ ପ୍ରାର୍ଥନା କରାଯାଇଥିଲା। ଏହା ଉପରେ ମଧ୍ୟ ଆବେଦନକାରୀ ଜବାବ ରଖିବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି।

କରୋନା ସଂକ୍ରମଣ ପରଠାରୁ ସବୁ ମନ୍ଦିର ଓ ଧର୍ମାନୁଷ୍ଠାନ ବନ୍ଦ ହୋଇ ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍‌ଲକ୍ ପ୍ରକ୍ରିୟା ଆରମ୍ଭ ହେବା ପରେ ଧର୍ମାନୁଷ୍ଠାନ ଖୋଲାଯାଇ ପାରିବ ବୋଲି କୁହାଯାଇଥିଲା। ଦେଶର ବିଭିନ୍ନ ଅଞ୍ଚଳରେ ଧର୍ମାନୁଷ୍ଠାନ ଖୋଲା ଯାଉଥିବାବେଳେ ଓଡ଼ିଶାରେ କିନ୍ତୁ ଏ ଦିଗରେ କୌଣସି ପଦକ୍ଷେପ ନିଆନଯିବାରୁ ଆବେଦନକାରୀ ଶ୍ରୀ ବଳ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

ହାଇକୋର୍ଟ ଏହି ମାମଲାରେ ରାଜ୍ୟ ସରକାରଙ୍କୁ ଜବାବ ରଖିବାକୁ ଆଦେଶ ଦେଇଥିଲେ। ରାଜ୍ୟ ସରକାର ମନ୍ଦିର ଖୋଲିବା ସପକ୍ଷରେ ନଥିବା ସରକାରଙ୍କ ଜବାବରୁ ଜଣାପଡ଼ିଥିଲା। ସୁପ୍ରିମ୍‌କୋର୍ଟରେ ବିଚାରାଧୀନ ମାମଲାର ଆଳ ଦେଖାଇ ମନ୍ଦିର ନଖୋଲିବା ସପକ୍ଷରେ ରାଜ୍ୟ ସରକାର ଯୁକ୍ତି ରଖିଥିଲେ। ସୁପ୍ରିମ୍‌କୋର୍ଟରେ ମନ୍ଦିର ଖୋଲିବା ନେଇ ଏକ ମାମଲା ବିଚାରାଧୀନ ଥିବାରୁ ହାଇକୋର୍ଟ ଏଥିପାଇଁ କିଛି ସମୟ ଦେବାକୁ ରାଜ୍ୟ ସରକାର ଜବାବ ରଖିଥିଲେ।

ଏସବୁକୁ ଗ୍ରହଣ କରି ହାଇକୋର୍ଟ ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେଇଥିଲେ। ଇତିମଧ୍ୟରେ ପ୍ରାୟ ଦୁଇ ମାସ ବିତିଯାଇଥିଲା ବେଳେ ହାଇକୋର୍ଟ ଆବେଦନକାରୀଙ୍କୁ ପ୍ରତିଜବାବ ରଖିବାକୁ ଆଦେଶ ଦେଇଛନ୍ତି।ଗତକାଲି ଏହି ମାମଲାର ଶୁଣାଣି ଅବସରରେ ଆବେଦନକାରୀଙ୍କ ପକ୍ଷରୁ ମହାପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଦର୍ଶନ ପାଇଁ ଅଦାଲତ ଅନୁମତି ଦେବାକୁ ପ୍ରାର୍ଥନା କରାଯାଇଥିଲା। ମହାପ୍ରଭୁଙ୍କ ଏହି ବେଶ ଏକ ବିରଳ ବେଶ। ପ୍ରତି ୨୫ ବର୍ଷରେ ଥରେ ଏହି ବେଶ ହୁଏ। ଏହି ବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ଫଳ ମିଳେ ବୋଲି ପ୍ରତ୍ୟେକ ହିନ୍ଦୁଙ୍କର ବିଶ୍ୱାସ ରହିଛି। କିନ୍ତୁ କରୋନା ଆଳରେ ରାଜ୍ୟ ସରକାର ଏହି ବେଶ ଦର୍ଶନରୁ ଭକ୍ତମାନଙ୍କୁ ବଞ୍ଚିତ କରିବା ଲାଗି କଟକଣା ଲଗାଇଛନ୍ତି।

କରୋନା କଟକଣା ଭିତରେ ଭକ୍ତମାନଙ୍କୁ ଏହି ଦୁର୍ଲଭ ବେଶ ଦର୍ଶନ ଲାଗି ରାଜ୍ୟ ସରକାର ଅନୁମତି ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ଏପରିକି ଯଦି ସମସ୍ତଙ୍କ ପାଇଁ ନହୁଏ ତାହେଲେ ବରିଷ୍ଠ ନାଗରିକଙ୍କୁ ଏହି ଦର୍ଶନ ପାଇଁ ଅନୁମତି ମିଳୁ ବୋଲି ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଭୁତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି।

Comment