ଦୋଳଗୋବିନ୍ଦ ପଣ୍ଡା

ପ୍ରାୟ ୧୩ ବର୍ଷ ପରେ ବୃହସ୍ପତି ନଭେମ୍ଵର ୨୦ ତାରିଖ ଶୁକ୍ରବାର ଦିବା ଘ୦୧:୨୨ରେ ଧନୁରାଶିରୁ ତାଙ୍କର ନୀଚକ୍ଷେତ୍ର ମକରରାଶିକୁ ଚଳିଛନ୍ତି। ଏଠାରେ ସେ ଉକ୍ତ ରାଶିର ମାଲିକ ଶନିଙ୍କ ସହ ଅବସ୍ଥାନ କରିଛନ୍ତି। ମକରରେ ବୃହସ୍ପତିଙ୍କ ବଳ କମ୍ ହେବା ଯୋଗୁ ଫଳ ମଧ୍ୟ କମ୍ ହୋଇଥାଏ। କିନ୍ତୁ ଏଥର ସେମିତି ହେଉନାହିଁ। କାରଣ ରାଶିର ଅଧିପତି ଶନିଙ୍କ ସହ ଅବସ୍ଥାନ କରୁଥିବା ଯୋଗୁ ତାଙ୍କର ନୀଚଭଙ୍ଗ ହେଉଛି। ତଥାପି ଶନି ଏକ ନୈସର୍ଗିକ ପାପଗ୍ରହ ହୋଇଥିବାରୁ ବୃହସ୍ପତିଙ୍କ ନୈସର୍ଗିକ ଶୁଭତ୍ଵ ହ୍ରାସ ପାଇବ। ବର୍ତ୍ତମାନ ମକରସ୍ଥ ଗୁରୁ ଆପଣଙ୍କ ରାଶି ଉପରେ କ’ଣ ପ୍ରଭାବ ପକାଇବେ ତାହା ଦେଖିବାର ସମୟ ଆସିଛି। ତେବେ ଏ ଆଲୋଚନା ଆପଣଙ୍କ ଜନ୍ମଲଗ୍ନ ବା ଜନ୍ମରାଶିକୁ ଳଗ୍ନ ଧରି ଚଳନ-କାଳୀନ ଗ୍ରହସ୍ଥିତି, ବିଶେଷତଃ ବୃହସ୍ପତିଙ୍କ ଅନୁସାରେ କରାଯାଉଛି।rasifalaମେଷ: ମକର-ବୃହସ୍ପତି ଆପଣଙ୍କ କ୍ୟାରିୟରରେ ସ୍ଥିରତା ଆଣିବାର ସମ୍ଭାବନା ରହିଛି। ଉପରିସ୍ଥ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟରେ ଖୁସି ଥିବା ପରି ମନେହୁଏ। ସେମାନେ କାର୍ଯ୍ୟସ୍ଥଳରେ ଆପଣଙ୍କର କଠିନ ପରିଶ୍ରମ ଏବଂ ସମର୍ପଣ ପାଇଁ ପୁରସ୍କାର ଦେଇପାରନ୍ତି। ଯଦି ଆପଣ ନିଜର ଚାକିରି ପରିବର୍ତ୍ତନ କରିବାକୁ ଚିନ୍ତା କରୁଛନ୍ତି, ତେବେ କିଛି ଅନୁକୂଳ ଅଫର୍ ପାଇବାର ସମ୍ଭାବନା ଅଛି। ତଥାପି, ଯଦି ଆପଣ ବର୍ତ୍ତମାନର ଚାକିରି ବଳବତ୍ତର ରଖିବାକୁ ଚାହୁଁଛନ୍ତି, ତେବେ ମଧ୍ୟ ଏଇଠି ରହି ଉନ୍ନତି କରିବାର ସମ୍ଭାବନା ଅଛି। ପଦୋନ୍ନତି ପାଇବାର ଥିଲେ, ତାହା ଆପଣ ଚଳିତବର୍ଷ ପାଇପାରନ୍ତି। ନୂତନ ପ୍ରକଳ୍ପ ଏବଂ ନୂତନ ଦାୟିତ୍ୱ ପାଇଁ ଆପଣଙ୍କୁ ଦୁଇଗୁଣ ଉତ୍ସାହ ସହିତ କାମ କରିବାକୁ ପଡ଼ିବ।rasifalaବୃଷ: କର୍ମକ୍ଷେତ୍ରରେ କିଛି ପରିବର୍ତ୍ତନ ଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯେଉଁମାନଙ୍କ ସହ ଆପଣଙ୍କର ପୁରୁଣା ବୃତ୍ତିଗତ ସମ୍ପର୍କ ଥିଲା, ସେମାନଙ୍କ ସହିତ ସମ୍ପର୍କ ପୁନଃସ୍ଥାପନ କରନ୍ତୁ। ହ୍ବାଟ୍‌ସଆପ୍, ଫେସ୍‌ବୁକ୍ ଓ ଇମେଲ୍ ମାଧ୍ୟମରେ ସମ୍ପର୍କ ବଜାୟ ରଖନ୍ତୁ ବା ଗଢ଼ନ୍ତୁ। ଇଣ୍ଟରନେଟ୍ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ନୂତନ ପେସାଦାରଙ୍କ ସହ ଯୋଗାଯୋଗ କରି ନିଜର ସମ୍ପର୍କ ବୃଦ୍ଧି କରନ୍ତୁ। ଆପଣ ବୁଦ୍ଧିମାନ ଏବଂ ଅଭିଜ୍ଞ ଲୋକଙ୍କୁ ଭେଟିବା ସମ୍ଭାବନା ରହିଛି ଏବଂ ସେମାନଙ୍କ ସହିତ ଆଲୋଚନା ସମୟରେ ଆପଣ ନୂତନ ଜିନିଷ ଶିଖିପାରନ୍ତି। ଆପଣଙ୍କ ପାଇଁ ସୁଯୋଗର ଦ୍ବାର ମଧ୍ୟ ଖୋଲିପାରେ। ଘରେ ବସିରହିଲେ କିଛି ସୁଫଳ ମିଳିବ ନାହିଁ। ଚାକିରି କ୍ଷେତ୍ରରେ କିଛି ସମସ୍ୟା ହେଲେ ପରିଚାଳନା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ସମାଧାନ କରିବା ବିଧେୟ।rasifalaମିଥୁନ: ସମ୍ବଳ ଓ ଅର୍ଥ ସମ୍ବନ୍ଧୀୟ ବିଷୟଗୁଡ଼ିକ ଆପଣଙ୍କ ମୁଖ୍ୟ ଚିନ୍ତାର ବିଷୟ ହେବ କାରଣ ବୃହସ୍ପତି ଅଷ୍ଟମ ସ୍ଥାନକୁ ଚଳୁଛନ୍ତି। ଯେତିକି ଅର୍ଥ ରୋଜଗାର ହେବ ସେଥିରେ ଆପଣ ସନ୍ତୁଷ୍ଟ ନ ହୋଇପାରନ୍ତି। ଯେତିକି ଚୂନାକୁ ସେତିକି ପିଠା ନୀତି ଅବଲମ୍ବନ କରିବା ଉଚିତ। ଏହି ସମୟରେ କୌଣସି ଆର୍ଥିକ ସଂସ୍ଥାରୁ ବିଶେଷତଃ କୌଣସି ଘରୋଇ ସଂସ୍ଥାରୁ ଋଣ ନ କରିବା ଉଚିତ, କାରଣ ଆପଣ ପରିଶୋଧ ସର୍ତ୍ତାବଳୀ ପୂରଣ କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆପଣ ଯଦି ବ୍ୟବସାୟ କରୁଥାନ୍ତି, ତେବେ ସରକାରୀ ନିୟମ ଅନୁସାରେ ଟିକସ ଭରନ୍ତୁ ଏବଂ ଟିକସ ବିଭାଗ ସହିତ କୌଣସି ପ୍ରକାର ବିବାଦରୁ ଦୂରେଇ ରହନ୍ତୁ, କାରଣ ମକର-ଗୁରୁ ଏ ବାବଦରେ ଆପଣଙ୍କ ପ୍ରତିକୂଳରେ ଯିବା ପରି ଲାଗୁଛି।rasifalaକର୍କଟ: ସେ ଆପଣଙ୍କର ସ୍ବାମୀ ହୁଅନ୍ତୁ, ସ୍ତ୍ରୀ ହୁଅନ୍ତୁ, ବ୍ୟବସାୟିକ ଅଂଶୀଦାର ହୁଅନ୍ତୁ ବା ଅନ୍ୟ କେହି, ସେମାନଙ୍କ ସହିତ କାରବାର କରିବା ସମୟରେ ସତର୍କ ରହିବା ଆବଶ୍ୟକ। ଯଦି ଆପଣ ସମସ୍ୟାଗୁଡିକୁ ଅଣଦେଖା କରନ୍ତି, ତେବେ ସମ୍ପର୍କ ଖରାପ ହୋଇପାରେ। ଆଗାମୀ ଅବଧି ବ୍ୟକ୍ତିଗତ ଏବଂ ବୃତ୍ତିଗତ ସମ୍ପର୍କ ପାଇଁ ଏକ ପରୀକ୍ଷାର ସମୟ ହୋଇପାରେ। ତେଣୁ ସମସ୍ତଙ୍କ ସହିତ ଅଧିକ ସତର୍କତାର ସହ କାରବାର କରିବା ଭଲ ହେବ। ଆପଣ ନିଜର ବୈବାହିକ ଜୀବନରେ ଆକର୍ଷଣର ଅଭାବ ଅନୁଭବ କରିପାରନ୍ତି। କିନ୍ତୁ ଯଦି ଆପଣ କୌଣସି ବୈବାହିକ ବା ଭଲପାଇବାର ସମ୍ପର୍କରେ ବାନ୍ଧିହୋଇ ନାହାନ୍ତି ଏବଂ ସେପରି କିଛି ସମ୍ପର୍କ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ହେବ। ଅର୍ଥାତ୍ ଅବିବାହିତମାନଙ୍କର ବିବାହ ଏବଂ ପ୍ରେମ ସମ୍ପର୍କ ସଫଳ ହେବାର ସମ୍ଭାବନା ଅଛି।rasifalaସିଂହ: ଚାକିରି କ୍ଷେତ୍ରରେ ଆପଣଙ୍କୁ ଏହି ପର୍ଯ୍ୟାୟରେ ଅଧିକ ଦକ୍ଷତାର ସହିତ କାମ କରିବାକୁ ପରାମର୍ଶ ଦିଆଯାଉଛି। ଅଷ୍ଟମାଧିପତି ବୃହସ୍ପତି ଷଷ୍ଠରେ ଥାଇ ନୀଚଭଙ୍ଗ ଓ ବିପରୀତ ରାଜଯୋଗର ଫଳ ଦେଇପାରନ୍ତି। କିନ୍ତୁ ନିଷ୍ଠା ଓ ବୁଦ୍ଧିର ସହ ଆପଣଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ। କର୍ମ ଓ ଧନ ସ୍ଥାନକୁ ବୃହସ୍ପତିଙ୍କ ଦୃଷ୍ଟି ଆପଣଙ୍କ ପଦୋନ୍ନତି ତଥା ଆୟବୃଦ୍ଧିରେ ବି ସାହାଯ୍ୟ କରିପାରେ। ତେବେ ଦାମ୍ପତ୍ୟ ଜୀବନରେ କିଛିଟା ସମସ୍ୟା ଦେଖାଦେଇପାରେ। ବ୍ୟବସାୟିକ ଅଂଶୀଦାରମାନଙ୍କ ସହିତ ସୁସମ୍ପର୍କ ରଖିବା ସହ ତାଙ୍କ ପ୍ରତି ସତର୍କ ଦୃଷ୍ଟି ରଖିବା ଆବଶ୍ୟକ। ଏହି ଗ୍ରହସ୍ଥିତି ଅନୁସାରେ ଆପଣଙ୍କୁ ଦୁଇଟି କାମ କରିବାକୁ ପଡ଼ିବ: ୧) ଋଣ ନ କରିବା ଏବଂ ୨) ସ୍ବାସ୍ଥ୍ୟର ଯତ୍ନ ନେବା। ସାମଗ୍ରିକ ଭାବେ ଏହି ଅବଧି ଆପଣଙ୍କ ପାଇଁ ଶୁଭ ହେବାର ସମ୍ଭାବନା ରହିଛି।rasifalaକନ୍ୟା: ପଞ୍ଚମରେ ପଞ୍ଚମାଧିପତି ଶନି ଓ ସପ୍ତମାଧିପତି ବୃହସ୍ପତି ଆପଣଙ୍କୁ ପ୍ରେମରେ ପକାଇପାରନ୍ତି। ଆପଣଙ୍କର ପ୍ରେମ-ଜୀବନ ସ୍ଥିର ତଥା ଆକର୍ଷଣୀୟ ହେବାର ସମ୍ଭାବନା ଅଛି। ପ୍ରେମ ସମ୍ପର୍କରେ ଆପଣ ଯେତେ ବି ବର୍ଷ ବିତାଇଥାନ୍ତୁ ନା କାହିଁକି ଏହି ବର୍ଷଟି ସେଗୁଡ଼ିକ ମଧ୍ୟରେ ସ୍ମରଣୀୟ ହୋଇରହିବ। ବୃହସ୍ପତିଙ୍କ ଜ୍ଞାନ ଆପଣଙ୍କୁ ସାଥୀ ସହିତ ଥିବା ପୁରୁଣା ମତପାର୍ଥକ୍ୟ ଦୂର କରିବାରେ ସାହାଯ୍ୟ କରିବାର ସମ୍ଭାବନା ଅଛି। ଯଦି ଆପଣ ଏକ ସନ୍ତାନ ପାଇଁ ଯୋଜନା କରୁଛନ୍ତି, ତେବେ ଏହି ସମୟ ସେଥିପାଇଁ ବେଶ୍ ଅନୁକୂଳ ହେବ। ମୋଟାମୋଟି ଭାବେ କହିଲେ, ବୃହସ୍ପତିଙ୍କ ହେତୁ ବର୍ଷଟି ଆପଣଙ୍କ ପାଇଁ ଅନେକ ଦୃଷ୍ଟିରୁ ଭଲ ଫଳ ଦେବ। ମାତ୍ର ଅନ୍ୟ ଗ୍ରହ-ହେତୁକ ପୀଡ଼ା ଭୋଗିପାରନ୍ତି, ଯାହା ଏଠାରେ ଆଲୋଚନା କରାଯାଇ ନାହିଁ।rasifalaତୁଳା: ଗୃହ ଓ ପରିବାର ସହ ଜଡ଼ିତ ବିଷୟଗୁଡ଼ିକ ଆପଣଙ୍କ ଧ୍ୟାନର କେନ୍ଦ୍ରବିନ୍ଦୁ ହେବ କାରଣ ବୃହସ୍ପତି ଚତୁର୍ଥ (ଗୃହ, ମାତା, ଭୂମି, ସୁଖ, ବନ୍ଧୁ) ଘର ଦେଇ ଗତି କରୁଛନ୍ତି। ପରିବାର ସଦସ୍ୟଙ୍କ ପାଇଁ ଆପଣଙ୍କୁ ଅତିରିକ୍ତ ଦାୟିତ୍ୱ ମୁଣ୍ଡାଇବା ଆବଶ୍ୟକ ହୋଇପାରେ। ଏକ ଅସାଧାରଣ କ୍ଷେତ୍ରରେ ଆପଣଙ୍କ ପରିବାର କିଛି ଅସୁବିଧାର ସମ୍ମୁଖୀନ ହୋଇପାରେ, ଯାହା ସମ୍ପର୍କରେ ଫାଟ କିମ୍ବା ମତଭେଦ ସୃଷ୍ଟି କରିବାର ସମ୍ଭାବନା ରହିଛି। ବାହାରେ ଆପଣଙ୍କର ସାମାଜିକ ପ୍ରତିଷ୍ଠା ଏବଂ ସମ୍ମାନ ପ୍ରତି ଆଞ୍ଚ ଆସିପାରେ। ଚତୁର୍ଥ ଭାବ ଆପଣଙ୍କ ଅତୀତକୁ ସୂଚିତ କରୁଛି। ତେଣୁ ପୁରୁଣା କ୍ଷତକୁ ମନେପକାଇ କଷ୍ଟ ପାଇପାରନ୍ତି। ତଥାପି ଏହି ପର୍ଯ୍ୟାୟ ଆପଣଙ୍କୁ ଏଥିରୁ ପୁନରୁଦ୍ଧାର କରିବାର ସୁଯୋଗ ଦେଇପାରେ।rasifalaବିଛା: ତୃତୀୟ ହେଲା ଭ୍ରାତୃ ଓ ପରାକ୍ରମର ସ୍ଥାନ। ଆପଣଙ୍କ ଜନ୍ମରାଶି ବା ଲଗ୍ନରୁ ତୃତୀୟରେ ବୃହସ୍ପତିଙ୍କ ଚଳନ ଆପଣଙ୍କ ମଧ୍ୟରେ ନିର୍ଭୀକତା ଏବଂ ସାହସର ଧାରା ସୃଷ୍ଟି କରିପାରେ। ଆପଣ ଅଧିକ ଆତ୍ମବିଶ୍ୱାସୀ ଅନୁଭବ କରିବେ ଏବଂ ଆପଣଙ୍କ ଚିନ୍ତାଧାରାକୁ ଏକ ନୂତନ ରୂପ ଦେବାରେ ସକ୍ଷମ ହୋଇପାରନ୍ତି। ଆପଣ ହଠାତ୍ ଅଳ୍ପ ଦୂରଯାତ୍ରା କିମ୍ବା ଦୀର୍ଘଯାତ୍ରାରେ ଯିବାର ସୁଯୋଗ ପାଇପାରନ୍ତି l ଦୁଃସାହସିକ ଯାତ୍ରା ପ୍ରତି ଯେଉଁମାନେ ଆଗ୍ରହୀ ସେମାନେ ଏହି ଅବଧିକୁ ଏଥିପାଇଁ ଏକ ଉଚିତ ଅବସର ବୋଲି ମନେକରି ପାରନ୍ତି। କିଛି ଅସୁବିଧା ଉପୁଜିଲେ ଆପଣ ଭାଇଭଉଣୀ ଏବଂ ସମ୍ପର୍କୀୟଙ୍କ ସମର୍ଥନ ପାଇବେ। ଯଦି କେହି ଚାଲାକି କରିବାକୁ ଚେଷ୍ଟା କରୁଛି କିମ୍ବା କେହି ଆପଣଙ୍କୁ ପ୍ରତାରଣା କରିବାକୁ ଚେଷ୍ଟା କରୁଛି, ତେବେ ଆପଣ ତୁରନ୍ତ ଏହା ଜାଣିପାରିବେ ଓ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ।rasifalaଧନୁ: ବୃହସ୍ପତି ସମସ୍ତ ଧନୁରାଶିବାଲାଙ୍କ ପାଇଁ ନିରପେକ୍ଷ ଭାବରେ ଉଦାର। କାରଣ ବୃହସ୍ପତି ଏହି ରାଶିର ମାଲିକ। ଏହି ଅବଧି ମଧ୍ୟରେ ଆପଣ ନିଜ ଆୟରେ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ଆଶା କରିପାରିବେ। ଏହି ସମୟ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଦେବାର ସମ୍ଭାବନା ଅଛି। ଆପଣ ଜଣେ କର୍ମଚାରୀ ହୁଅନ୍ତୁ କିମ୍ବା ନିଯୁକ୍ତିଦାତା ହୁଅନ୍ତୁ, ଏହି ପର୍ଯ୍ୟାୟରେ ଆର୍ଥିକ ଲାଭ ଆଶା କରିପାରିବେ। ଅର୍ଜିତ ଆୟରୁ କିଛି ଅଂଶ ସତ୍‌କାର୍ଯ୍ୟରେ ଦାନ କରିବା ଏବଂ ଅବଶିଷ୍ଟ ବୃଦ୍ଧିମାନ ଭଳି ବ୍ୟୟ କରିବାକୁ ପରାମର୍ଶ ଦିଆଯାଉଛି।rasifalaମକର: ଆପଣ ଏକ ଭିନ୍ନ ଦୃଷ୍ଟିକୋଣ ସହିତ ଜୀବନକୁ ଦେଖିବାକୁ ଆରମ୍ଭ କରିପାରନ୍ତି ଏବଂ ଆପଣଙ୍କ ଦୃଷ୍ଟିକୋଣରେ ଅଧିକ ବିଦ୍ରୋହ ଥାଇପାରେ। ଏହି ପର୍ଯ୍ୟାୟରେ ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ। କାରଣ ତୃତୀୟ-ଦ୍ବାଦଶ ଅଧିପତି ବୃହସ୍ପତି ଆପଣଙ୍କ ଜନ୍ମରାଶି ବା ଲଗ୍ନରେ ଅଷ୍ଟମାଧିପତି ରବିଙ୍କ ନକ୍ଷତ୍ରରେ ଅଛନ୍ତି। ତେଣୁ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାବେଳେ ବିଶେଷ ସତର୍କତା ଅବଲମ୍ବନୀୟ। ଆପଣ ବାରମ୍ବାର ମିଜାଜରେ ପରିବର୍ତ୍ତନ ଅନୁଭବ କରିପାରନ୍ତି। ମକର-ବୃହସ୍ପତି ଆପଣଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରିପାରନ୍ତି। ତେଣୁ ସବୁ ବିଷୟରେ ସତର୍କ ହେବାକୁ ପରାମର୍ଶ ଦିଆଯାଉଛି। ନିଜର ପତି, ପତ୍ନୀ କିମ୍ବା ଯେକୌଣସି ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ ଏଡ଼ାଇଚାଲିବା ଆବଶ୍ୟକ। ଧୂମିଳ କିମ୍ବା ସନ୍ଦେହଜନକ ଜିନିଷରୁ ଦୂରେଇ ରହିବା ଆପଣଙ୍କ ପାଇଁ ଭଲ ହେବ।rasifalaକୁମ୍ଭ: ଦ୍ଵିତୀୟ (ଧନ) ଓ ଏକାଦଶ (ଆୟ) ଭାବର ଅଧିପତି ବୃହସ୍ପତି ଦ୍ଵାଦଶ (ବ୍ୟୟ)ରେ ଅଛନ୍ତି। ତେଣୁ ଧନରେ କମି ହେବ କିମ୍ବା ସତ୍‌କାର୍ଯ୍ୟରେ ଦାନ କରି ଆପଣ କିଛି ଧନ କମାଇବେ। ଏହି ପର୍ଯ୍ୟାୟରେ କିଛି ଆଧ୍ୟାତ୍ମିକ ଉନ୍ନତି ହୋଇପାରେ। ଈଶ୍ଵର ବା ଈଶ୍ଵରଙ୍କ ସାକାର-ମୂର୍ତ୍ତି ସଦ୍‌ଗୁରୁଙ୍କ ସାନ୍ନିଧ୍ୟ ଲାଭ କରିବାକୁ ମନ ବ୍ୟାକୁଳ ହୋଇପାରେ। ଆଧ୍ୟାତ୍ମିକତାର ଜଟିଳତାକୁ ବୁଝିବା ପାଇଁ ଦୃଢ଼ ଇଚ୍ଛା ଜାଗିପାରେ। ଜଟିଳ ସମସ୍ୟାର ସମାଧାନ ପାଇଁ ଆପଣ କେତେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଆପୋଷ ବୁଝାମଣା କରିବାକୁ ବାଧ୍ୟ ହୋଇପାରନ୍ତି। ଆପଣ ଇନ୍ଦ୍ରିୟ-ସୁଖ ପ୍ରତି କମ୍ ଆଗ୍ରହୀ ହେବାର ସମ୍ଭାବନା ଅଛି l ଏହି ପର୍ଯ୍ୟାୟରେ ଚାକିରି ଉଦ୍ଦେଶ୍ୟରେ ବିଦେଶଯାତ୍ରା ଆପଣଙ୍କର ସଫଳ ହୋଇପାରେ। ଏପରିକି ଆପଣ ତୀର୍ଥ କିମ୍ବା କିଛି ଆଧ୍ୟାତ୍ମିକ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିପାରନ୍ତି lrasifalaମୀନ: ଲଗ୍ନ ଓ ଦଶମାଧିପତି ବୃହସ୍ପତି ଏକାଦଶରେ ଏକାଦଶ ଅଧିପତି ଶନିଯୁକ୍ତ। କର୍ମାଧିପତି ଆୟସ୍ଥ। ତେଣୁ ଏହି ପର୍ଯ୍ୟାୟରେ ଆପଣ ଦ୍ରୁତ ଉନ୍ନତି ଲାଭ କରିପାରନ୍ତି। ଆପଣ ବେଶ୍ ଖୁସ୍‌ ମିଜାଜରେ ସମୟ ବିତାଇବେ। ଆଖପାଖର ଲୋକମାନେ ଅଧିକ ସହଯୋଗୀ ହେବେ ଏବଂ ଦରକାରବେଳେ ସାହାଯ୍ୟର ହାତ ବଢ଼ାଇପାରନ୍ତି l ଏହି ଅବଧି ନୂତନ ସମ୍ପର୍କ ସୃଷ୍ଟି କରିବା ଏବଂ ଆପଣଙ୍କର ବୃତ୍ତିଗତ ନେଟୱାର୍କକୁ ବିସ୍ତାର କରିବା ପାଇଁ ଏକ ଉତ୍କୃଷ୍ଟ ସମୟ ହେବାର ସମ୍ଭାବନା ଅଛି। ହଠାତ୍ ରୋଜଗାର କରିବାର କିଛି ସୁଯୋଗ ମିଳିଯାଇପାରେ। ତେଣୁ ସର୍ବଦା ନିଜର ଆଖି ଖୋଲା ରଖନ୍ତୁ ଏବଂ ଏହି ସୁଯୋଗକୁ ଠିକ୍ ସମୟରେ ଉପଯୋଗ କରନ୍ତୁ।

Comment