ସୁସ୍ମିତା ବାଗ୍‌ଚୀ

ଛୋଟ ଗାଁର ଛୋଟିଆ ସ୍କୁଲଟିଏ। ବଗିଚାଟି କିନ୍ତୁ ଛୋଟ ନୁହଁ। ସୀମିତ ସମ୍ବଳ ଓ କାର୍ଯ୍ୟବ୍ୟସ୍ତତା ଭିତରେ ବଗିଚାର ଯତ୍ନ ନେବା ସ୍କୁଲ ପକ୍ଷରେ ଥିଲା କଷ୍ଟସାଧ୍ୟ। କିନ୍ତୁ ବଗିଚାର ଦାୟିତ୍ୱ ନେଇଗଲେ ଜଣେ। ସେ ସେଇ ଗ୍ରାମର ଜଣେ ବୟସ୍କ ଗ୍ରାମବାସୀ – ଧୋବା ନାୟକ। ଅବସର ନେବା ପରେ ଧୋବା ନାୟକ ତାଙ୍କ ଗାଁ ସ୍କୁଲ ପାଇଁ କିଛି କରିବାକୁ ଚାହିଁଲେ। ନିଜର ସ୍ୱଳ୍ପ ପେନ୍‌ସନ୍ ଅର୍ଥ ଦାନ କରିବା ତାଙ୍କ ପାଇଁ ସମ୍ଭବପର ନ ଥିଲା। ସେଥିପାଇଁ ସେ ସ୍ଥିର କଲେ ଯେ ସେ ଶ୍ରମଦାନ କରିବେ। ଏବେ ତାଙ୍କରି ହାତଛୁଆଁରେ ଆଖି ନ ଫେରାଇ ପାରିବା ଭଳି ସ୍କୁଲର ବଗିଚାଟି।

ଧୋବା ନାୟକଙ୍କ ଭଳି ଅନେକଙ୍କର ଚିନ୍ତାଧାରାକୁ ରୂପ ଦେବା ପାଇଁ ୨୦୧୭ ମସିହା ନଭେମ୍ବର ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସ୍କୁଲ ଅଭିଯାନ’ର ଶୁଭାରମ୍ଭ କରିଥିଲେ। ତାଙ୍କର ସ୍ୱପ୍ନର ପ୍ରକଳ୍ପଟି ଆଜି ଚତୁର୍ଥ ବର୍ଷରେ ପାଦ ଦେଇଛି।Susmita Bagchi ଏଇ ଅବସରରେ ମୋ’ ମନ ଚାଲିଯାଉଛି ପଛକୁ। ଗତ ଆଠ ମାସର ଅଭାବନୀୟ ଘଟଣା କେବଳ ଆମମାନଙ୍କୁ ନୁହଁ, ସମଗ୍ର ବିଶ୍ୱକୁ ସ୍ତବ୍ଧ କରି ଦେଇଛି। ସ୍କୁଲ, କଲେଜ, ଅଫିସ୍ ବନ୍ଦ। ମୁକ୍ତ ଭାବରେ ଘୂରି ବୁଲିବା ବନ୍ଦ। ବନ୍ଧୁବାନ୍ଧବ, ଆତ୍ମୀୟ ସ୍ୱଜନଙ୍କ ଘରକୁ ଯିବା କିମ୍ବା ସେମାନଙ୍କୁ ନିଜ ଘରକୁ ନିମନ୍ତ୍ରଣ କରିବା ବନ୍ଦ। କାନ୍ଧରେ କାନ୍ଧ ମିଳେଇ ଚାଲିବାରେ ଅନେକ ବାଧା। କିନ୍ତୁ ଏଭଳି ପରିସ୍ଥିତିରେ ମଧ୍ୟ ସବୁ କିଛି ଅଟକି ଯାଇନାହିଁ। ‘ମୋ ସ୍କୁଲ’ର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ଅତ୍ୟନ୍ତ ଆନନ୍ଦ ଓ ଗୌରବର ବିଷୟ ଏହି ଯେ ପୁରାତନ ଛାତ୍ରଛାତ୍ରୀମାନଙ୍କର ଆଗ୍ରହ ଓ ସଦିଚ୍ଛା ହ୍ରାସ ପାଇନାହିଁ। ବର୍ତ୍ତମାନର ଉଦ୍‌ବେଗଜନିତ ଅବସ୍ଥାରେ ମଧ୍ୟ ସେମାନଙ୍କର ଓଡ଼ିଶାର ସ୍କୁଲମାନଙ୍କ ସହିତ ଭାବାତ୍ମକ ସମ୍ପର୍କ ପ୍ରାୟ ପୂର୍ବ ଭଳି ରହିଛି।

ସେମାନଙ୍କର ଆଗ୍ରହ, ସ୍ନେହ ଆମକୁ ଆଗେଇ ଯିବା ପାଇଁ ପ୍ରେରଣା ଦେଉଛି। ଏବେ ମଧ୍ୟ ଜିଲ୍ଲା, ବ୍ଲକ୍ ଓ ସ୍କୁଲ କର୍ମକର୍ତ୍ତାମାନଙ୍କ ସହିତ ଆମମାନଙ୍କର ସମ୍ପର୍କ ରହିଛି। ତେବେ ତଫାତ୍ ଏତିକି – ଆମମାନଙ୍କର ଯୋଗାଯୋଗ ଭର୍ଚୁଆଲି ହେଉଛି। ଏହାଛଡ଼ା ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତିକ ଅନୁଷ୍ଠାନ ସହିତ ହାତ ମିଳେଇ ଆମେ ଶିକ୍ଷକମାନଙ୍କ ପାଇଁ ଅନେକ ରକମର ପ୍ରଶିକ୍ଷଣର ବ୍ୟବସ୍ଥା କରିପାରିଛୁ। ଘରର ଚାରି କାନ୍ଥ ଭିତରେ ଆବଦ୍ଧ ରହିଯାଇଥିବା ଛାତ୍ରଛାତ୍ରୀମାନଙ୍କର ବୌଦ୍ଧିକ ବିକାଶ ପାଇଁ ବିଭିନ୍ନ ଶିକ୍ଷଣୀୟ ତଥା ମନୋରଞ୍ଜନମୂଳକ କାର୍ଯ୍ୟକ୍ରମ କରିପାରିଛୁ।ବର୍ତ୍ତମାନର ଅନିଶ୍ଚିତତା ଦିନେ ନା ଦିନେ ଚାଲିଯିବ, ଏଥିରେ ସନ୍ଦେହ ନାହିଁ। କିନ୍ତୁ ଆମ ସମସ୍ତଙ୍କୁ ମନ ଦୃଢ଼ କରି ସେ ପର୍ଯ୍ୟନ୍ତ ରହିବାକୁ ହେବ। ଆମ ରାଜ୍ୟ, ଦେଶ ଓ ବିଶ୍ୱର ଭବିଷ୍ୟତ – ଆମରି ପିଲାମାନଙ୍କ ପାଇଁ ଆମକୁ ଏକ ମନ, ଏକ ପ୍ରାଣ ହୋଇ କାର୍ଯ୍ୟ କରିଯିବାକୁ ହେବ। ଆମ ପିଲାଙ୍କ ଭିତରେ ଲୁଚି ରହିଛନ୍ତି ବୈଜ୍ଞାନିକ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ। ମୋର ଦୃଢ଼ ବିଶ୍ୱାସ, ଭବିଷ୍ୟତରେ ଯଦି ବର୍ତ୍ତମାନ ଭଳି ମହାମାରୀ କେବେହେଲେ ଦେଖାଦିଏ, ତେବେ ଏଇମାନେ ହିଁ ଅଗ୍ରଣୀ ହୋଇ ପୃଥିବୀର ଦାୟିତ୍ୱ ନେବେ।

(ସୌଜନ୍ୟ: ‘ମୋ ସ୍କୁଲ୍ ଅଭିଯାନ’ ସୂଚନାପତ୍ର, ନଭେମ୍ବର ୨୦୨୦)

ଲେଖିକା ମୋ ସ୍କୁଲ୍ ଅଭିଯାନର ଅଧ୍ୟକ୍ଷା

Comment