ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ମହା ଲେଖାକାର ବା କଣ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଆଉ ଏକ ବଡ଼ ଦାୟିତ୍ୱ ମିଳିଛି। ତାହା ଏଠି ନୁହେଁ, ଆନ୍ତର୍ଜାତିକ ସ୍ତରରେ। ଜେନେଭାରେ ଥିବା ଇଣ୍ଟର ପାର୍ଲାମେଣ୍ଟାରି ୟୁନିଅନର ଏକ୍ସଟରନାଲ୍ ଅଡିଟର ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ସେ ତିନି ବର୍ଷ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ। ଖୁବଶୀଘ୍ର ସେ ଏହି ଦାୟିତ୍ୱ ସମ୍ଭାଳିବେ ବୋଲି ସୂଚନା ମିଳିଛି।

ଅବସରପ୍ରାପ୍ତ ଆଇଏଏସ ମୁର୍ମୁ ଜମ୍ମୁ ଓ କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଥମ ଉପ ରାଜ୍ୟପାଳ ଥିଲେ। ତା’ ପରେ ସେ ସିଏଜି ଭାବରେ ଅଗଷ୍ଟ ୮ରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ଦୁଇଟି ଯାକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହେବାରେ ସେ ପ୍ରଥମ ଓଡ଼ିଆ।

ମୁର୍ମୁଙ୍କ ଜନ୍ମ ମୟୂରଭଞ୍ଜ ଜିଲ୍ଲା ବେତନଟୀରେ। ୧୯୮୫ ବ୍ୟାଚ୍ ଆଇଏଏସ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରି ସାରିଛନ୍ତି। ସେହି ସମୟରେ ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲେ। ମୁର୍ମୁଙ୍କୁ ମୋଦୀଙ୍କର ଜଣେ ଅତି ବିଶ୍ଵସ୍ତ ଅଫିସର ଭାବେ ବିଚାର କରାଯାଏ।

Comment