ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ଯୋଗୁ ଏବେ ସାରା ବିଶ୍ଵ ପ୍ରଭାବିତ ହୋଇଛି। ବିଶେଷକରି କରୋନା ଆକ୍ରାନ୍ତ ଏବଂ ସେମାନଙ୍କ ପରିବାର ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ କରୋନା ସଂକ୍ରମିତଙ୍କ ପରିବାରକୁ ନିୟମିତ ଖାଦ୍ୟ ଯୋଗାଇ ମାନବିକତାର ଉଦାହରଣ ସାଜିଛନ୍ତି ଦିଲ୍ଲୀ ନିବାସୀ ନିଶା ଚୋପ୍ରା। ଦିନେ କି ଦୁଇ ଦିନ ନୁହେଁ ଗତ ତିନି ମାସ ହେଲା ନିଶା ଏଭଳି ମହତ୍ କାମ କରି ଆସୁଛନ୍ତି।

ଏହି କାମରେ ନିଶାଙ୍କୁ ୯ ଜଣ ମହିଳା ସାହାଯ୍ୟ କରୁଛନ୍ତି। ସେମାନେ ନିଜେ ରୋଷେଇ କରି ଦୈନିକ ୧୦୦ ପରିବାରକୁ ଖାଦ୍ୟ ଯୋଗାଉଛନ୍ତି।

ଗତ ଏପ୍ରିଲ ମାସରେ ନିଶାଙ୍କ ସ୍ଵାମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେଣୁ ତାଙ୍କ ପରିବାରକୁ ୧୪ ଦିନ ଯାଏଁ ଆଇସୋଲେସନରେ ରହିବାକୁ ପଡ଼ିଲା। ସେତେବେଳେ ସେମାନେ କେବଳ ଫଳ ଖାଇ ରହିଥିଲେ। ଏହି ଅସହାୟତା ହିଁ ତାଙ୍କୁ ଏଭଳି କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥିଲା।

ଏନେଇ ନିଶା କହିଛନ୍ତି, “ଆମେ ଆଇସୋଲେସନରେ ଥିବା ସମୟରେ ମୋ ପିଲାମାନେ ଖାଦ୍ୟ ପାଇଁ ଡହଳ ବିକଳ ହେଉଥିଲେ। ଏହା ମୋତେ ମର୍ମାହତ କରିଥିଲା। ଆମ ଭଳି ଆହୁରି ଅନେକ ପରିବାର ଏମିତି ସମସ୍ୟା ଭୋଗୁଥିବେ ବୋଲି ମୁଁ ଅନୁଭବ କଲି। ତେଣୁ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ମାଗଣାରେ ଖାଦ୍ୟ ଯୋଗାଇବାକୁ ନିଷ୍ପତ୍ତି ନେଲି।”ତେବେ ନିଜ ଇଚ୍ଛାକୁ ବାସ୍ତବ ରୂପ ଦେବା ପାଇଁ ନିଶା ନିଜ ଘର ପାଖର କିଛି ମହିଳାଙ୍କ ସାହାଯ୍ୟ ନେଲେ। କୋଭିଡ୍ ସଂକ୍ରମିତଙ୍କ ପରିବାରକୁ ଖାଦ୍ୟ ଯୋଗାଇବା ଲାଗି ସେମାନଙ୍କୁ ପ୍ରବର୍ତ୍ତାଇଲେ। ଏହିପରି ଭାବେ ନିଶାଙ୍କ ସହ ୯ ଜଣ ମହିଳା ଯୋଡ଼ିହେଲେ। ଏମାନେ ସମସ୍ତେ ନିଜ ନିଜ ଘରେ ଖାଦ୍ୟ ପ୍ରସ୍ତୁତ କରି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ପରିବାରକୁ ଖାଦ୍ୟ ଯୋଗାଇଲେ।

ଧିରେ ଧିରେ ଲୋକମାନେ ସେମାନଙ୍କର ଏହି ମହତ୍ କାମ ବିଷୟରେ ଜାଣିଲେ ଏବଂ ସେମାନଙ୍କ ସହ ସମ୍ପର୍କ କଲେ। ଏହା ପରେ ସେମାନଙ୍କ ସହ କିଛି ସ୍ଵେଚ୍ଛାସେବୀ ମଧ୍ୟ ଯୋଡ଼ି ହେଲେ। କିନ୍ତୁ ସେମାନେ ଜଣକ ପରେ ଜଣେ ଅସୁସ୍ଥ ହୋଇପଡ଼ିବାରୁ ବର୍ତ୍ତମାନ ନିଶା ନିଜେ ସବୁ ଦାୟିତ୍ଵ ସମ୍ଭାଳୁଛନ୍ତି। ସେ ନିଜ ସହଯୋଗୀମାନଙ୍କ ଘରୁ ଖାଦ୍ୟ ସଂଗ୍ରହ କରୁଛନ୍ତି ଏବଂ ଅଳ୍ପ କିଛି ସ୍ଵେଚ୍ଛାସେବୀଙ୍କ ସହ ମିଶି ଖାଦ୍ୟ ଆବଶ୍ୟକ କରୁଥିବା ଲୋକଙ୍କ ଘରେ ପହଞ୍ଚାଉଛନ୍ତି।

ପ୍ରଥମେ ନିଶାଙ୍କ ସହାୟକ ଟିମ୍ ଦିଲ୍ଲୀ-ଏନ୍‌ସିଆର୍‌ର ବିଭିନ୍ନ ଅଞ୍ଚଳରେ ଖାଦ୍ୟ ଯୋଗାଉଥିଲେ। କିନ୍ତୁ ସ୍ଵେଚ୍ଛାସେବୀଙ୍କ ସଂଖ୍ୟା କମୁଥିବାରୁ ସେମାନେ ଏବେ ଦକ୍ଷିଣ ଦିଲ୍ଲୀର ସରିତା ବିହାର, ଚିତ୍ତରଞ୍ଜନ ପାର୍କ, ନୋଇଡ଼ା ଓ ଫରିଦାବାଦରେ ଖାଦ୍ୟ ଯୋଗାଉଛନ୍ତି। ଦିଲ୍ଲୀ-ଏନ୍‌ସିଆର୍‌ର ଅନ୍ୟ ଅଞ୍ଚଳରେ ଯଦି କାହାର ନିହାତି ଆବଶ୍ୟକ ଥାଏ ତେବେ ତାଙ୍କ ପାଇଁ ଦିନକୁ ଥରେ ଖାଦ୍ୟ ପଠାଇବାର ବ୍ୟବସ୍ଥା ରହିଥିବା ନିଶା କହିଛନ୍ତି।

୪୨ ବର୍ଷୀୟା ନିଶା ଫରିଦାବାଦରେ ଏକ ଏନ୍‌ଜିଓ ଚଲାଉଛନ୍ତି। ସେ ସମ୍ପୂର୍ଣ୍ଣ ମାଗଣାରେ କୋଭିଡ୍ ସଂକ୍ରମିତଙ୍କ ପରିବାରକୁ ଖାଦ୍ୟ ଯୋଗାଉଛନ୍ତି। ତେବେ ସେମାନେ ଯେଉଁମାନଙ୍କୁ ସାହାଯ୍ୟ କରୁଛନ୍ତି ସେମାନଙ୍କୁ ସମାନ ସମସ୍ୟାରେ ପଡ଼ିଥିବା ଅନ୍ୟ ଏକ ପରିବାରର ସହାୟତା କରିବାକୁ ପ୍ରବର୍ତ୍ତାଉଛନ୍ତି। ଅସହାୟ କୋଭିଡ୍ ସଂକ୍ରମିତଙ୍କ ପରିବାରକୁ ଖାଦ୍ୟ ଯୋଗାଇ ଆତ୍ମସନ୍ତୋଷ ଓ ଖୁସି ମିଳୁଥିବା ନିଶା କହିଛନ୍ତି।

Comment