ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରାଜାରାଣୀ, ମୁକ୍ତେଶ୍ଵର ଉତ୍ସବକୁ ଅନୁମତି
  • ଜାନୁଆରି ୧୪ ରୁ ୧୬ ମୁକ୍ତେଶ୍ଵର ନୃତ୍ୟ ମହୋତ୍ସବ
  • ଜାନୁଆରି ୧୮ ରୁ ୨୦ ଯାଏଁ ରାଜାରାଣୀ ସଙ୍ଗୀତ ଉତ୍ସବ

ଭୁବନେଶ୍ୱର ରାଜାରାଣୀ ଓ ମୁକ୍ତେଶ୍ଵର ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ସକାଶେ ଅନୁମତି ମିଳିଛି। କୋଭିଡ ନିୟମକୁ ମାନି ଏହି ଉତ୍ସବ ଅନୁଷ୍ଠିତ ହେବ। ଜାନୁଆରି ୧୪ ରୁ ୧୬ ମୁକ୍ତେଶ୍ଵର ନୃତ୍ୟ ମହୋତ୍ସବ ଓ ଜାନୁଆରି ୧୮ ରୁ ୨୦ ଯାଏଁ ରାଜାରାଣୀ ସଙ୍ଗୀତ ଉତ୍ସବ ଚାଲିବ।

ଏହି ଦୁଇ ସଂସ୍କୃତି ଉତ୍ସବ ପାଳନ କରିବା ପୂର୍ବରୁ ସରକାରଙ୍କ ପକ୍ଷରୁ କଡ଼ା ନିୟମାବଳୀ ଜାରି କରାଯାଇଛି। ଉଭୟ ଉତ୍ସବ ମନ୍ଦିର ପରିସରରେ ଖୋଲା ଆକାଶ ତଳେ ହେବ। ଦର୍ଶକ ମାନଙ୍କୁ ଦୁଇଟି ଗ୍ୟାଲେରିରେ ବସିବାକୁ ପଡ଼ିବ। ଜଣେ ଦର୍ଶକ  ଆଉ ଜଣକଠାରୁ ନିହାତି କମରେ ୩ ମିଟର ଦୂରତା ରକ୍ଷା କରିବେ। ଅନ୍ୟ ରାଜ୍ୟରୁ ଆସିଥିବା କଳାକାର ମାନେ କେବଳ ଷ୍ଟେଜ ଉପରେ କାର୍ଯ୍ୟକ୍ରମ ପରିବେଷଣ କରିବେ।

ଆୟୋଜକ ମାନଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ ଓ ସାନିଟାଇଜର ବ୍ୟବହାର କରିବା ପାଇଁ ପଡ଼ିବ। ପ୍ରତିଦିନ ଉତ୍ସବ ସ୍ଥାନକୁ ସାନିଟାଇଜ କରାଯିବ।

କରୋନା ଯୋଗୁଁ ପୂର୍ବ ବର୍ଷ ଭଳି ବିଦେଶୀ ଦର୍ଶକଙ୍କୁ ଏବର୍ଷ ଏହି ଉତ୍ସବରେ ଦେଖିବାକୁ ମିଳିବ ନାହିଁ। ଦୁଇଟି ଉତ୍ସବର ଲାଇଭ ଟେଲିକାଷ୍ଟ ମଧ୍ୟ କରାଯିବ।

ଓଡ଼ିଶା ପର୍ଯ୍ୟଟନ ନିଗମ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସହଯୋଗରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରତି ବର୍ଷ ଏହି ଦୁଇଟି ଉତ୍ସବ ଆୟୋଜିତ ହୋଇଥାଏ।

Comment