ଓଡ଼ିଶାଲାଇଭ୍‌ ବ୍ୟୁରୋ

  •  କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ‘କଲ୍ଲୋଳ-୨୦୨୦’ ଉଦଘାଟିତ
  • ଏବର୍ଷ  ପ୍ରତିଯୋଗିତାର ବିଷୟ ବସ୍ତୁ ‘ଶିଶୁ ଓ କୋଭିଡ ୧୯

ଶିଶୁ ଅଧିକାରକୁ ନେଇ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ‘କଲ୍ଲୋଳ-୨୦୨୦’ର ଷଷ୍ଠ ସଂସ୍କରଣର ଉଦଘାଟନୀ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ୟୁନିସେଫ୍ ଓଡ଼ିଶା ସହଭାଗୀତାରେ ସ୍ୱେଚ୍ଛାସେବୀ ସଙ୍ଗଠନ ଆଇନା ପକ୍ଷରୁ କରାଯାଉଛି। ଚଳିତ ବର୍ଷ ଏହି ପ୍ରତିଯୋଗିତାର ବିଷୟ ବସ୍ତୁ ରହିଛି ‘ଶିଶୁ ଓ କୋଭିଡ ୧୯’।

ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ମୋ ସ୍କୁଲ୍ ଅଭିଯାନ ପରିଚାଳନା ସଂଗଠନ, ମିଡିଆ ପାର୍ଟନର୍ ଇଷ୍ଟର୍ଣ୍ଣ ମିଡିଆ ଗ୍ରୁପ୍‌ର ମିଳିତ ସହଯୋଗରେ ଏ ବର୍ଷର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

କଲ୍ଲୋଳ ୨୦୨୦ ଶିଶୁ ସୃଜନଶୀଳତା ଉପରେ ଗୁରୁତ୍ୱ ଦେଇ ଏକ ପ୍ରର୍ଯ୍ୟାୟ କ୍ରମରେ ପିଲାମାନଙ୍କ ପାଇଁ ସ୍କ୍ରିପ୍ଟ ଲିଖନ କାର୍ଯ୍ୟଶାଳାର ଆୟୋଜନ ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଅନେକ ସ୍କ୍ରିପ୍ଟକୁ ଚଳଚ୍ଚିତ୍ରରେ ରୂପାନ୍ତରିତ କରି ‘ଶିଶୁ ଏବଂ କୋଭିଡ୍‌୧୯’ ବିଷୟବସ୍ତୁକୁ ଆଧାର କରି ୩୦, ୬୦ ଏବଂ ୯୦ ସେକେଣ୍ଡ ଅବଧି ବିଶିଷ୍ଟ କ୍ଷୁଦ୍ର ଚଳଚ୍ଚିତ୍ର, ରେଡିଓ ବିଜ୍ଞାପନ/ ଝଙ୍କାର ସ୍କ୍ରିପ୍ଟ ପାଇଁ ବିଭିନ୍ନ ସ୍ତରରେ ପିଲାମାନଙ୍କୁ ଉତ୍ସାହିତ କରାଯାଇଥିଲା।

କାର୍ଯ୍ୟଶାଳା ଶେଷରେ ପିଲାମାନଙ୍କ ଦ୍ୱାରା ୭୨ଟି କ୍ଷୁଦ୍ର ଚଳଚ୍ଚିତ୍ର ଓ ୬୦ଟି ରେଡିଓ ବିଜ୍ଞାପନ/ ଝଙ୍କାର ପାଇଁ ସ୍କ୍ରିପ୍ଟ ଦାଖଲ ହୋଇଥିଲା। ସେଥିମଧ୍ୟରୁ ବିଶେଷଜ୍ଞଙ୍କ ଦ୍ୱାରା ଚୟନ କରାଯାଇଥିବା ସ୍କ୍ରିପ୍ଟ୍ ଉପରେ କ୍ଷୁଦ୍ର ଚଳଚ୍ଚିତ୍ର ଓ ରେଡିଓ ବିଜ୍ଞାପନ/ ଝଙ୍କାର, ରେଡିଓ ଜିଙ୍ଗଲ୍ ପ୍ରସ୍ତୁତ କରାଯାଇ କାର୍ଯ୍ୟକ୍ରମରେ ଉନ୍ମୋଚନ କରାଯାଇଥିଲା।

ଏହି ବର୍ଷ ବିଭିନ୍ନ ସରକାରୀ, ବେସରକାରୀ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବାଳାଶ୍ରମ ଏବଂ କନ୍ୟାଶ୍ରମରୁ ୫୦୦ରୁ ଅଧିକ ପିଲାମାନେ ଆୟୋଜିତ ସ୍କ୍ରିପ୍ଟ ଲିଖନ କାର୍ଯ୍ୟଶାଳାରେ ଅଂଶଗ୍ରହଣ କରିଥିଲେ।

ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ କାର୍ଯ୍ୟକ୍ରମରେ ନିଜର ଖୁସି ବ୍ୟକ୍ତ କରି କହିଥିଲେ, “ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ସିନେମା ଓ ରେଡିଓ ବିଜ୍ଞାପନଗୁଡ଼ିକ ପ୍ରକୃତରେ ଉଚ୍ଚ କୋଟୀର। ଏହା ସେମାନଙ୍କର ପ୍ରଥମ ଅଭିଜ୍ଞତା ହୋଇଥିଲେ ବି ସେ ପ୍ରଥମ ଚେଷ୍ଟାରେ ଉତ୍ତମ ପ୍ରଦର୍ଶନ କରିଛନ୍ତି। ଏସବୁ ତିଆରି କରିବା ଦ୍ୱାରା ନିଶ୍ଚିତ ଭାବେ ପିଲାମାନେ କିଛି ନୁଆ ଶିକ୍ଷା ଗ୍ରହଣ କରିଥିବେ ଓ ନିଜର ବୁଦ୍ଧି ପ୍ରୟୋଗ କରି କିଛି ନୁଆ କରିବା ପାଇଁ ଅଧିକ ଚିନ୍ତା କରିଥିବେ। ପିଲାମାନଙ୍କ ଦ୍ୱାରା ବନାଯାଇଥିବା ଚଳଚ୍ଚିତ୍ରଗୁଡିକ କେବଳ ମନୋରଞ୍ଜନ ପାଇଁ ନୁହେଁ ବରଂ ସିନେମାରୁ ଅନେକ କିଛି ଶିିକ୍ଷା ଗ୍ରହଣ କରିହେବ ଓ ସମାଜକୁ ନୂତନ ଦିଶା ଦେଖାଇବାରେ ସାହାଯ୍ୟ କରିବା ସହିତ ଅନେକଙ୍କୁ ପ୍ରେରଣା ଯୋଗାଇ ପାରିବ। ମୁଁ ଅତ୍ୟନ୍ତ ଖୁସି ଯେ ଏହି କାର୍ଯ୍ୟକ୍ରମ ଦ୍ୱାରା ପିଲାମାନେ ସେମାନଙ୍କର ମହାମାରୀ ସମୟକୁ ଅଭିନବ ଭାବେ ଉପଯୋଗ କରିପାରିଛନ୍ତି।”

“ଆଜି ବିଶ୍ୱ ଶିଶୁ ଦିବସ ପାଳନ ଅବସରରେ ଏହି କଲ୍ଲୋଳ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବାସ୍ତବରେ ଆମେ ଏହି ମହାମାରୀରେ ଶିଶୁମାନଙ୍କ ଜୀବନଶୈଳୀ ଓ ତାଙ୍କର ଭାବନା ଏସବୁ ସେମାନଙ୍କର ଦୈନନ୍ଦିନ ଜୀବନରେ ମଧ୍ୟ ଗୁରୁତ୍ୱ ବହନ କରିଥାଏ। ପିଲାମାନଙ୍କଠାରେ ଅପାର ଶକ୍ତି, ପ୍ରତିଭା ଏବଂ ସୃଜନଶୀଳତା ରହିଛି । ତେଣୁ ପିଲାମାନଙ୍କ କଥାକୁ ଶୁଣିବା ପାଇଁ ଆମକୁ ଉପାୟ ଖୋଜିବାକୁ ହେବ। ପିଲାମାନଙ୍କ ପାଇଁ ଆମର ଦାୟିତ୍ୱ ରହିଛି ଓ ଏନେଇ ପରିବାର ସଦସ୍ୟଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ରହିଛି ”,  କହିଥିଲେ ୟୁନିସେଫ୍ ଓଡିଶାର ମୁଖ୍ୟ ଡକ୍ଟର ମୋନିକା ନେଲସନ୍।

‘‘ପିଲାମାନଙ୍କ ଦ୍ୱାରା ଲେଖାଯାଇଥିବା ସ୍କ୍ରିପ୍ଟଗୁଡିକ ଅତ୍ୟନ୍ତ ଉଚ୍ଚ କୋଟିର। ଏହି ବୟସରେ ପିଲାମାନଙ୍କ ପାଠପଢା ସହିତ ଏ ପ୍ରକାର ସିନେମା ବନାଇବାର କଳା ସତରେ ପ୍ରଶଂସନୀୟ। ମୋ ସ୍କୁଲ୍ ପରିଚାଳନା ସଂଗଠନ ଯଥା ସମ୍ଭବ ପିଲାମାନଙ୍କର ଏହି ସୃଜନଶୀଳତା କାର୍ଯ୍ୟଗୁଡିକୁ ମୋ ସ୍କୁଲ୍ ଅଭିଯାନର ନେଟ୍‌ୱର୍କରେ ତଥା ସରକାରୀ ସ୍ତରରେ କିପରି ପ୍ରୋତ୍ସାହନ ଯୋଗାଇଦିଆଯାଇପାରିବ ସେନେଇ ଚେଷ୍ଟା କରିବୁ”, କହିଥିଲେ ମୋ ସ୍କୁଲ୍ ଅଭିଯାନର ମୁଖ୍ୟ ପରିଚାଳନା ଅଧିକାରୀ ଅମରଜିତ୍ ଜେନା।

କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ନୀଳମାଧବ ପଣ୍ଡା ନିଜର ବକ୍ତବ୍ୟରେ କହିଥିଲେ, “ଆମର ନିତ୍ୟ ଆବଶ୍ୟକୀୟ ପଦାର୍ଥ ତଥା ଖାଦ୍ୟ, ପୋଷାକ ଭଳି ପିଲାମାନଙ୍କର ଶାରିରୀକ ଓ ମାନସିକ ବୃଦ୍ଧି ପାଇଁ ସୃଜନଶୀଳତାକୁ ଗୁରୁତ୍ୱ ଦେବା ସେତିକି ମହତ୍ୱପୂର୍ଣ୍ଣ ଅଟେ। ଯାହାକି ଭବିଷ୍ୟତ ନାଗରିକ ନିର୍ମାଣରେ ସହାୟକ ହୋଇଥାଏ। ୟୁନିସେଫ୍ ଓଡ଼ିଶାକୁ ଧନ୍ୟବାଦ ଦେବି ସେ ପିଲାମାନଙ୍କ ପାଇଁ ଏସବୁ ଦିଗରେ ତତ୍ପରତାର ସହିତ କାର୍ଯ୍ୟ କରିଆସୁଛି”।

ୟୁନିସେଫ୍ ଓଡିଶାର ଯୋଗାଯୋଗ ଓ ପାର୍ଟନର୍‌ସିପ୍ ବିଶେଷଜ୍ଞ ରାଧିକା ଶ୍ରୀବାସ୍ତବ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିବା ସହ ପିଲାଙ୍କୁ ଉତ୍ସାହିତ କରିଥିଲେ।

“ଛୋଟ ଛୋଟ ପିଲାମାନଙ୍କୁ ନେଇ କାର୍ଯ୍ୟକରିବା ମଜାଦାର୍ ଅଟେ। ଏହି ବର୍ଷ ମଧ୍ୟ ଆମେ ଚିନ୍ତା କରିଥିଲୁ କିପରି କୋଭିଡ୍ କଟକଣା ସହିତ ପିଲାମାନଙ୍କୁ ଅନ୍‌ଲାଇନ୍‌ରେ ଯୋଗାଯୋଗ କରିହେବ। ଚିନ୍ତାରେ ଥିଲୁ ପିଲାଙ୍କ ବିନା କିପରି ଏ ବର୍ଷ କାର୍ଯ୍ୟକ୍ରମ ସଫଳ ହୋଇପାରିବ କିନ୍ତୁ ଶେଷରେ ଆମେ ବିଭିନ୍ନ ସ୍ଥାନରୁ ପାଖାପାଖି ୫୦୦ ପିଲାମାନଙ୍କ ପାଖରେ ପହଞ୍ଚି ପାରିଥିଲୁ। ଯେଉଁମାନେ ନିଜ ନିଜର ସ୍କ୍ରିପ୍ଟ୍ ଲେଖି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏଥର ମୋ ସ୍କୁଲ୍ ଅଭିଯାନ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ରାଜ୍ୟ ଶିଶୁ କଲ୍ୟାଣ ସମାଜର ସହଯୋଗରେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ସହଜ ହୋଇପାରିଛି’’, କହିଥିଲେ ରାଧିକା ଶ୍ରୀବାସ୍ତବ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ମୁଖ୍ୟ ସଚିବ ଶ୍ରୀମତି ଅନୁ ଗର୍ଗ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ପ୍ରଯୋଜକ ପଦ୍ମଶ୍ରୀ ନୀଳ ମାଧବ ପଣ୍ଡା, ୟୁନିସେଫ୍ ଓଡିଶାର ମୁଖ୍ୟ ଡକ୍ଟର ମୋନିକା ନେଲସନ୍‌, ୟୁନିସେଫ୍ ଓଡିଶାର ଯୋଗାଯୋଗ ଓ ପାର୍ଟନର୍‌ସିପ୍ ବିଶେଷଜ୍ଞ ରାଧିକା ଶ୍ରୀବାସ୍ତବ, ଆଇନାର ସମ୍ପାଦିକା ସ୍ନେହ ମିଶ୍ର, ମୋ ସ୍କୁଲ୍ ଅଭିଯାନର ମୁଖ୍ୟ ପରିଚାଳନା ଅଧିକାରୀ ଅମରଜିତ୍ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ମୁଖ୍ୟ ଅତିଥିଙ୍କ ସମେତ ପୁର୍ବରୁ ଆଇନା ଦ୍ୱାରା ଆୟାଜିତ ଏକ କାର୍ଯ୍ୟଶାଳାରେ ଭାଗ ନେଇଥିବା ଶିଶୁ ପ୍ରତିଭା ଶୁଭମ୍ ସାହୁ ଓ ଚୁମ୍‌କି ଉପସ୍ଥିତ ରହି ନିଜର ଅନୁଭୂତି ପ୍ରକାଶ କରିଥିଲେ। ସେମାନଙ୍କ ମଧ୍ୟରୁ କାର୍ଯ୍ୟଶାଳାରେ କୋରାପୁଟର ଭାଗ ନେଇଥିବା ଛାତ୍ରୀ ପିଙ୍କି ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

୨୦୧୫ରୁ ଆରମ୍ଭ ହୋଇଛି କଲ୍ଲୋଳ କାର୍ଯ୍ୟକ୍ରମ

ପିଲାମାନଙ୍କ ଅଧିକାର ସମ୍ବନ୍ଧିତ ବିଷୟକୁ ଚଳଚ୍ଚିତ୍ର ମାଧ୍ୟମରେ ପିଲାମାନଙ୍କ ଚିନ୍ତନ ଶକ୍ତିର ବୃଦ୍ଧି ପାଇଁ କଲ୍ଳୋଳ ଏକ ପ୍ଲାଟ୍‌ଫର୍ମ। ଯାହାକି ବିଗତ ୬ ବର୍ଷ ଧରି ଏହି ପ୍ରୟାସ ଜାରି ରଖିଛି। ୟୁନିସେଫ୍ ଓଡ଼ିଶା ପକ୍ଷରୁ ରାଜ୍ୟରେ ଥିବା ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଇନାର ସହଭାଗୀତାରେ ୨୦୧୫ ମସିହାରେ ଶିଶୁ ଅଧିକାର ସମ୍ପର୍କିତ ଏକ ବାର୍ଷିକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା କଲ୍ଲୋଳର ଶୁଭାରମ୍ଭ କରାଯାଇଥିଲା। ବିଗତ ପାଞ୍ଚଟି ସଂସ୍କରଣରେ ଥିବା ବିଷୟବସ୍ତୁଗୁଡିକ ହେଲା- ଶିଶୁମାନଙ୍କ ଉପରେ ହେଉଥିବା ହିଂସା ପରିସମାପ୍ତି, ଝିଅମାନଙ୍କ କ୍ଷେତ୍ରରେ ଲିଙ୍ଗଗତ ଭେଦଭାବର ପରିସମାପ୍ତି, ଶିଶୁମାନଙ୍କ ଉପରେ ହେଉଥିବା ହିଂସା ପରିସମାପ୍ତି, ବିଚାରଧାରାରେ ପରିବର୍ତ୍ତନ, ଜଳ ଏବଂ ଶିଶୁ।

ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ସମସ୍ତ ଚଳଚ୍ଚିତ୍ର ୩୦, ୬୦ ଏବଂ ୯୦ ସେକେଣ୍ଡର ଅବଧି ବିଶିଷ୍ଟ ଲୋକ ସେବା ବିଜ୍ଞାପନ ଶ୍ରେଣୀର ଅଟେ ଏବଂ ଚଳଚ୍ଚିତ୍ର ନିର୍ମାତାଙ୍କ ଦ୍ୱାରା ନିଶୁଳ୍କ ଭାବରେ ନିର୍ମାଣ କରାଯାଇଥାଏ। ବାର୍ଷିକ ୫ଟି ଶ୍ରେଷ୍ଠ ଚଳଚ୍ଚିତ୍ରକୁ ପୁରସ୍କୃତ କରାଯାଇଥାଏ।

Comment