ଓଡ଼ିଶାଲାଇଭ୍ ବ୍ୟୁରୋ

“ଭଲ ଗୀତ ଖରାପ ଗୀତ ବୋଲି କିଛି ନ ଥାଏ। ମଣିଷ ମନକୁ ଛୁଇଁଥିବା ପ୍ରତ୍ୟେକ ସଂଗୀତ ଗ୍ରହଣୀୟ। ମଣିଷ ଯେତେ ଦୁଃଖ ବା ଖୁସିରେ ଥାଉ, ଏମିତି ଜଣେ ନ ଥିବ ଯେ ଗୀତ ଶୁଣିବାକୁ ବା ଏକାନ୍ତରେ ଗୁଣୁ ଗୁଣେଇବାକୁ ଭଲ ପାଉ ନଥିବ। ଗୀତିକାର ସୁବ୍ରତ ସ୍ୱାଇଁ ଶ୍ରୋତା ମହଲରେ ଯେମିତି ପ୍ରସିଦ୍ଧି ପାଇଛନ୍ତି ତାଙ୍କର ନିର୍ବାଚିତ ଗୀତିଗୁଚ୍ଛକୁ ଅନୁରୂପ ପାଠକୀୟ ସ୍ୱୀକୃତି ମିଳିବ”, କହିଛନ୍ତି ‘ସମ୍ବାଦ’ର ସମ୍ପାଦକ ତଥା ବରିଷ୍ଠ ରାଜନୀତିଜ୍ଞ ସୌମ୍ୟରଂଜନ ପଟ୍ଟନାୟକ।

ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଗୀତିକାର ସୁବ୍ରତ ସ୍ୱାଇଁଙ୍କ ପ୍ରଥମ ଗୀତ ସଂକଳନ “କେବେ ଶହେ କେବେ ଶୂନ” ଶୁକ୍ରବାର ଦିନ ସମ୍ବାଦ ଭବନ ପରିସରରେ ଉନ୍ମୋଚିତ ହୋଇଛି। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ମଣିଷ ଜୀବନରେ ସୂଚନା ଓ ଖବର ଭଳି ଗୀତର ମଧ୍ୟ ଆବଶ୍ୟକତା ରହିଛି। ସମ୍ଭାବନାର କୌଣସି ସୀମା ନାହିଁ ଓ ସୁବ୍ରତ ସବୁ ସମ୍ଭାବନାର ଶିଖରକୁ ଯାଆନ୍ତୁ ବୋଲି ସେ କହିଥିଲେ।

ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ସଂଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦ ସୁବ୍ରତଙ୍କ ଗୀତରେ ଥିବା ସାଙ୍ଗୀତିକତା ଓ ଶ୍ରୋତା-ଆକର୍ଷଣକାରୀ ମାଧୁର୍ଯ୍ୟ ବାବଦରେ ବଖାଣିଥିଲେ।

ବିଶିଷ୍ଟ କଥାଶିଳ୍ପୀ ଗୌରହରି ଦାସ କହିଥିଲେ ଯେ, ଅକ୍ଷୟ ମହାନ୍ତିଙ୍କଠାରୁ ଆରମ୍ଭ କରି ସାରଦା ପ୍ରସନ୍ନ ନାୟକଙ୍କ ପର୍ଯ୍ୟନ୍ତ ଲେଖାଯାଇଥିବା ଗୀତର ସମୟ ସୁବର୍ଣ୍ଣ ଯୁଗ ଥିଲା। ତେବେ ସବୁ ଲୋକପ୍ରିୟ ଗୀତ କ୍ଲାସିକ୍‌ ହୋଇ ନପାରେ। ଲୋକପ୍ରିୟ ହେବା ସହ କ୍ଲାସିକ୍‌ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିବା ଗୀତ କମ ଅଛି। ସାହିତ୍ୟରେ ଯେତେ କୃତି ଅଛି ଗୀତ ସବୁଠୁ ବେଶି ଦିନ ତିଷ୍ଠିରହେ ବୋଲି ସେ କହିଥିଲେ।

ବିଶିଷ୍ଟ ଲେଖକ ଓ ଗବେଷକ ଅସିତ ମହାନ୍ତି ସୁବ୍ରତଙ୍କ ସଫଳତା ଓ କୃତିର ପ୍ରଶଂସା କରିଥିବା ବେଳେ ନିଜକୁ ଶୂନରେ ଅଛ ବୋଲି ମନେକରି ଶହେରେ ପହଞ୍ଚିବାର ଚେଷ୍ଟା କର ବୋଲି ପରାମର୍ଶ ଦେଇଥିଲେ।

‘ଆମ ଓଡ଼ିଶା’ର ସଂପାଦକ ସ୍ୱରାଜ ମିଶ୍ର କହିଥିଲେ ଯେ,ସମ୍ବେଦନଶୀଳତା ଗୀତକୁ ଜୀବନ୍ତ କରେ, ଯାହା ସୁବ୍ରତଙ୍କ ବହିରେ ରହିଛି। କେବଳ ଗୀତ ବହି ପଢ଼ିଲେ ଗୀତର ସମ୍ବେଦନା ସହଜରେ ବୋଧ ହେବନାହିଁ। ଗୀତ ବହିରେ ସାଧାରଣ ବା ନ୍ୟୁନ ଲାଗୁଥିବା ଗୀତଟିଏ ବି ସଂଗୀତର ରୂପ ନେବା ପରେ ଶ୍ରୋତାଙ୍କ ହୃଦୟକୁ ଛୁଇଁପାରେ।

ସମ୍ବାଦର ବାର୍ତ୍ତା ମୁଖ୍ୟ ମହାପ୍ରବନ୍ଧକ ତଥା ସ୍ତମ୍ଭକାର ଅରବିନ୍ଦ ଦାସ, ଉପ ମହାପ୍ରବନ୍ଧକ ଓ ସ୍ତମ୍ଭକାର ଭବାନୀ ଶଙ୍କର ତ୍ରିପାଠୀ, ଉପ ମହାପ୍ରବନ୍ଧକ ଓ କଥାକାର ଗୌତମବୁଦ୍ଧ ଦାସ, ଉପ ମହାପ୍ରବନ୍ଧକ ଧୃତିକାମ ମହାନ୍ତି ପ୍ରମୁଖ ସୁବ୍ରତଙ୍କ ଗୀତ ବହି ଉପରେ ନିଜର ମତ ରଖିଥିଲେ।

ମୂଳରୁ ଗୀତିକାର ହେବାର ଲକ୍ଷ୍ୟ ଥିଲା, ତେବେ ଗୀତ ଲେଖି ଅର୍ଥ ରୋଜଗାର କରିହେବନି ଜାଣିବା ପରେ ସମ୍ବାଦିକତାକୁ ବୃତ୍ତି ଭାବେ ଗ୍ରହଣ କଲି ବୋଲି ନିଜର ଲେଖକୀୟ ବକ୍ତବ୍ୟରେ କହିଛନ୍ତି ସୁବ୍ରତ ସ୍ୱାଇଁ। ଏବେ ସେ ଗୀତ ଲେଖି ବେଶ୍‌ ରୋଜଗାର କରିପାରୁଛନ୍ତି ବୋଲି କହିଛନ୍ତି। ତେବେ ସାମ୍ବାଦିକତା ତାଙ୍କୁ ଅଧିକ ସମ୍ବେଦନଶୀଳ କରିଛି, ନୂଆ ଅନୁଭବ ଦେବା ସହ ନୂଆ ସୃଜନ ପାଇଁ ସହାୟକ ହୋଇଛି ବୋଲି ସେ କହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ସମ୍ବାଦର ପ୍ରକାଶକ କମଳାକାନ୍ତ ମହାପାତ୍ର, ମାନବ ସମ୍ବଳ ବିଭାଗ ଉପ ମହାପ୍ରବନ୍ଧକ ବୈଜୟନ୍ତୀ କର, ବରିଷ୍ଠ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ ଓ ବହୁ ଶୁଭେଚ୍ଛୁ ତଥା ସାହିତ୍ୟପ୍ରେମୀ ଉତ୍ସବରେ ଉପସ୍ଥିତ ଥିଲେ। ପେନ୍‌ ଇନ୍‌ ବୁକ୍ସର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସଭା ପରିଚାଳନା କରିଥିଲେ। ଉତ୍ସବ ଶେଷରେ ଧନ୍ୟବାଦ ବକ୍ତବ୍ୟ ଦେଇଥିଲେ ‘କଥା’ର ସହ ସଂପାଦକ କ୍ଷେତ୍ରବାସୀ ନାଏକ।

Comment