ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଢ଼ୀ ମା’ କିମ୍ବା ଆଈ ଉଲ୍‌ରେ ବିଭିନ୍ନ ପ୍ରକାର ସ୍ଵେଟର, ମଫଲର୍, ସ୍କାର୍ପ ଆଦି ବନେଇବା ଆପଣ ଦେଖିଥିବେ। ଖାଲି ସମୟରେ ସେମାନେ ଏସବୁ କେବଳ ନିଜ ସଉକ ପାଇଁ କରୁଥିବେ। କିନ୍ତୁ ନିଜ ଆଈଙ୍କ ଏହି ସଉକକୁ ଷ୍ଟାର୍ଟଅପ୍‌ର ରୂପ ଦେଇଛନ୍ତି ଦିଲ୍ଲୀର କୃତିକା ସୌନ୍ଧୀ। ନିଜ ୭୫ ବର୍ଷୀୟା ଆଈଙ୍କଠାରୁ ସିଲାଇ ଶିଖିବା ସହ ତାଙ୍କ ଉତ୍ପାଦଗୁଡ଼ିକୁ ‘ଓ୍ଵିଥ୍ ଲଭ୍, ଫ୍ରମ୍ ଗ୍ରାନି’ ବ୍ରାଣ୍ଡ ନାମରେ ନାମିତ କରି ବିକ୍ରି କରୁଛନ୍ତି।

ତିନି ବର୍ଷ ତଳେ କୃତିକା କୌଣସି କର୍ମସଂସ୍ଥାନ ନ ପାଇ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ। ଚାକିରି ପାଇଁ ବିଭିନ୍ନ ସ୍ଥାନରେ ଆବେଦନ କରୁଥିଲେ ମଧ୍ୟ କାମ ମିଳୁନଥିଲା। ତେଣୁ ସେ ତାଙ୍କ ଆଈ ଆଶା ପୁରୀଙ୍କ ପାଖକୁ ଚାଲିଆସିଲେ। ସେଠାରେ ସେ ପ୍ରତିଦିନ ନିଜ ଆଈଙ୍କୁ ଶୀତ ବସ୍ତ୍ର ବୁଣୁଥିବାର ଦେଖୁଥିଲେ। ତେଣୁ କୃତିକାଙ୍କୁ ମଧ୍ୟ ସିଲାଇ ଶିଖିବାକୁ ଇଚ୍ଛା ହେଲା, ଆଉ ସେ ଶିଖିଲେ ମଧ୍ୟ। ଏହାରି ମାଧ୍ୟମରେ କୃତିକା ନିଜ ମାନସିକ ଦୁଶ୍ଚିନ୍ତାକୁ ଦୂର କରିପାରିଥିଲେ।ଖାଲି ସେତିକି ନୁହେଁ, ଆଈଙ୍କର ଏହି କଳାକୁ ଏକ ପରିଚୟ ଦେବା ପାଇଁ ସେ ଚିନ୍ତା କଲେ। ଏନେଇ କୃତିକା କହିଛନ୍ତି, “ମୋ ଆଈ ସମସ୍ତଙ୍କ ପାଇଁ କିଛି ନା କିଛି ତିଆରି କରନ୍ତି। କିନ୍ତୁ ଏତେ ପରିଶ୍ରମ ପରେ ଏବଂ ଏତେ ସୁନ୍ଦର ପୋଷାକ ତିଆରି କଲେ ମଧ୍ୟ ତାଙ୍କୁ କୌଣସି ସ୍ଵୀକୃତି ମିଳିନଥିଲା। ତେଣୁ ମୁଁ ମୋ ଆଈଙ୍କ ଏହି କଳାକୁ ଏକ ସ୍ଵତନ୍ତ୍ର ପରିଚୟ ଦେବାକୁ ଚିନ୍ତା କଲି।”

ଏସବୁ ବିଷୟରେ କୃତିକା ଯେତେବେଳେ ନିଜ ଆଈଙ୍କୁ କହିଲେ ସେତେବେଳେ ସେ ରାଜି ହେଉନଥିଲେ। କିନ୍ତୁ ବାରମ୍ବାର ଅନୁରୋଧ କରିବା ପରେ ଆଶା ରାଜି ହୋଇଯାଇଥିଲେ। ଏହାପରେ କୃତିକା ନିଜ ଆଈଙ୍କ ଦ୍ଵାରା ତିଆରି ହୋଇଥିବା ଶୀତବସ୍ତ୍ରଗୁଡ଼ିକୁ ‘ଓ୍ଵିଥ୍ ଲଭ୍, ଫ୍ରମ୍ ଗ୍ରାନି’ ନାମରେ ନାମିତ କରି ଷ୍ଟାର୍ଟଅପ୍ ଆରମ୍ଭ କଲେ।

କିନ୍ତୁ ଏହାର କିଛି ଦିନ ପରେ ତାଙ୍କୁ ଏକ ଭଲ ଚାକିରି ମିଳିଗଲା ଏବଂ ଆଶା ଆମେରିକାରେ ରହୁଥିବା ନିଜ ପୁଅଙ୍କ ପାଖକୁ ଚାଲିଗଲେ। ସେତେବେଳେ ତାଙ୍କର ଏହି ବ୍ୟବସାୟ ବନ୍ଦ ହୋଇଗଲା ବୋଲି ଉଭୟ ଧରି ନେଇଥିଲେ। କିନ୍ତୁ ଚଳିତବର୍ଷ ଲକ୍‌ଡାଉନ୍ ଜାରି ହେବା ପରେ ପୁଣି ଥରେ ନିଜ ବ୍ୟବସାୟ ଆଗକୁ ବଢ଼ାଇବାକୁ ସେମାନଙ୍କୁ ସୁଯୋଗ ମିଳିଗଲା।କମ୍ପାନି ସହିତ ଚୁକ୍ତି ଶେଷ ହେବା ପରେ କୃତିକା ଅନ୍ୟ କମ୍ପାନିରେ ଆବେଦନ କରିଥିଲେ। କିନ୍ତୁ କରୋନା ମହାମାରୀ ଓ ଲକ୍‌ଡାଉନ୍ କାରଣରୁ ସବୁଠାରୁ ତାଙ୍କୁ ନିରାଶ ହେବାକୁ ପଡ଼ିଲା। ଏହି ସମୟରେ ଆଶା ମଧ୍ୟ ଦିଲ୍ଲୀ ଚାଲି ଆସିଥିଲେ। ଏଭଳି ସ୍ଥିତିରେ ପୁଣି ଥରେ ନିଜ ପୁରୁଣା ବ୍ୟବସାୟ ଆରମ୍ଭ କରିବାକୁ କୃତିକା ଚିନ୍ତା କଲେ। ଦିଲ୍ଲୀ ଆସି ଆଶାଙ୍କ ସହଯୋଗରେ ସେ ପୁଣି ‘ଓ୍ଵିଥ୍ ଲଭ୍, ଫ୍ରମ୍ ଗ୍ରାନି’ ଲଞ୍ଚ୍ କଲେ।

ତେବେ ଏଥର କୃତିକାଙ୍କ ମା’ ତଥା ଆଶାଙ୍କ ଝିଅ ନୀରୁ ମଧ୍ୟ ସେମାନଙ୍କୁ ସହଯୋଗ କଲେ। ଏହି ବ୍ୟବସାୟକୁ ଫୁଲ୍ ଟାଇମ୍ କରିବା ପାଇଁ ସେମାନେ ନିଷ୍ପତ୍ତି ନେଲେ। ପ୍ରଥମେ ଗୋଟିଏ ଦୁଇଟି ଅର୍ଡରରେ ସୀମିତ ଥିବା ତାଙ୍କ ବ୍ୟବସାୟ ଏବେ ମାସକୁ ୧୦୦ରୁ ଅଧିକ ଅର୍ଡର ପର୍ଯ୍ୟନ୍ତ ପହଞ୍ଚିଲାଣି। ସବୁଠୁ ଖାସ୍ କଥା ହେଉଛି ଏହି ଷ୍ଟାର୍ଟଅପ୍ ସହିତ ଆଉ ୧୪ ଜଣ ଲୋକ ଯୋଡ଼ି ହୋଇସାରିଲେଣି। ସେମାନଙ୍କ ମଧ୍ୟରୁ ୭ ଜଣ ବୟସ୍କ ମହିଳା ଥିବା ବେଳେ ୬ ଜଣ ଗୃହିଣୀ ଓ ଜଣେ ପୁରୁଷ ଅଛନ୍ତି। କିଏ ରୋଜଗାର ପାଇଁ ତ ଆଉ କିଏ ନିଜ ସଉକ ପୂରା କରିବାକୁ ଏହି ଷ୍ଟାର୍ଟଅପ୍ ସହ ଯୋଡ଼ି ହୋଇଛନ୍ତି।ନିଜର ଏହି ବ୍ୟବସାୟ ସମ୍ପର୍କରେ ଆଶା କହିଛନ୍ତି, “ମୁଁ ଏଭଳି କିଛି କରିବି ବୋଲି କେବେ ଭାବି ନଥିଲି। କିନ୍ତୁ ଏବେ ଲାଗୁଛି ଏ କାମ ମୋତେ ବହୁତ ଆଗରୁ ଆରମ୍ଭ କରିବାର ଥିଲା। ଆଗରୁ କୌଣସି ପୋଷାକ ତିଆରି କଲାବେଳେ ମୋ ସୁବିଧା ଅନୁସାରେ ସମୟ ଦେଉଥିଲି। କିନ୍ତୁ ଏବେ ଏହା ବ୍ୟବସାୟରେ ପରିଣତ ହୋଇଛି। ତେଣୁ ଏକ ନିର୍ଦ୍ଧାରିତ ସମୟ ମଧ୍ୟରେ ଆମକୁ କାମ କରିବାକୁ ପଡ଼ୁଛି।”

ସମସ୍ତ ସଦସ୍ୟଙ୍କୁ ଆଶା ଦେବୀ ପ୍ରଥମେ ତାଲିମ ଦେଇଛନ୍ତି। ଆଗକୁ ଗରିବ ଲୋକଙ୍କୁ ନିଜ ସହ ଯୋଡ଼ିବାକୁ କୃତିକା ଓ ଆଶା ଲକ୍ଷ୍ୟ ରଖିଛନ୍ତି। ଏହାଦ୍ଵାରା ଗରିବ ଲୋକମାନେ କିଛି ଆୟ କରିବା ସହ ସ୍ଵାବଲମ୍ବୀ ହୋଇପାରିବେ। ଏଥିପାଇଁ ସେମାନେ କିଛି ସାମାଜିକ ସଂଗଠନ ସହିତ ମଧ୍ୟ କଥାବାର୍ତ୍ତା କରୁଥିବା ପ୍ରକାଶ କରିଛନ୍ତି।

ତେବେ ନିଜ ଆଈଙ୍କ କଳାକୁ ପରିଚୟ ଦେବା ପାଇଁ କୃତିକାଙ୍କୁ ଅନେକ କଷ୍ଟ ସ୍ଵୀକାର କରିବାକୁ ପଡ଼ିଛି। ତଥାପି ସେ ହାର୍ ମାନିନାହାନ୍ତି, ଯେଉଁଥିପାଇଁ ଆଜି ତାଙ୍କ ଆଈଙ୍କୁ ସ୍ଵତନ୍ତ୍ର ପରିଚୟ ସହ ଅନ୍ୟ ମହିଳାମାନଙ୍କୁ ରୋଜଗାର ମିଳିପାରିଛି।

Comment