ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଙ୍କଟ ମଧ୍ୟରେ ରାଜ୍ୟରେ ପିଲାମାନଙ୍କ ପାଠପଢ଼ା ପ୍ରଭାବିତ ହୋଇଛି। ଏପରି ସ୍ଥିତିରେ କିପରି ମାଟ୍ରିକ ପରୀକ୍ଷା ହେବ ତାକୁ ନେଇ ଦ୍ଵନ୍ଦ ଦେଖାଦେଲାଣି।

କରୋନା ପାଇଁ ଦୀର୍ଘ ୮ମାସ ହେଲା ରାଜ୍ୟରେ ସମସ୍ତ ସ୍କୁଲ ବନ୍ଦ ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି। କିନ୍ତୁ କେବେ ଖୋଲିବ ସେନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି ସରକାର। ପିଲାଙ୍କ ଉପରୁ ଭାର କମାଇବା ପାଇଁ ସିଲାବସ୍‌ରୁ ୩୦ ପ୍ରତିଶତ ହ୍ରାସ କରାଯାଇଥିଲେ ମଧ୍ୟ ବାକି ୭୦ ପ୍ରତିଶତ ପାଠରୁ ଏଯାଏଁ ମାତ୍ର ୨୫ରୁ ୩୦ ପ୍ରତିଶତ ଶେଷ ହୋଇପାରିଛି। ଯଦି ଏପରି ଲାଗିରହେ ତେବେ ଚଳିତ ବର୍ଷ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇପାରିବେ ତ? ଏହାକୁ ନେଇ ଛାତ୍ରଛାତ୍ରୀଙ୍କଠୁ ଆରମ୍ଭ କରି ଅଭିଭାବକ, ଶିକ୍ଷକ ଓ ବୁଦ୍ଧିଜୀବୀ ସମସ୍ତେ ଦ୍ୱନ୍ଦ୍ୱରେ ରହିଛନ୍ତି।ମହାମାରୀ କରୋନା ଯୋଗୁ ସ୍କୁଲ ଶିକ୍ଷା ସବୁଠାରୁ ଅଧିକ ସଙ୍କଟର ସମ୍ମୁଖୀନ ହୋଇଛି। ଏଥିରେ ବିଦ୍ୟାର୍ଥୀମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ ସ୍କୁଲ ଦ୍ୱାର ମାଡ଼ି ନଥିବା ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌, ମଧୁ ଆପ୍‌ କିମ୍ଵା ଅନ୍ୟାନ୍ୟ ବ୍ୟବସ୍ଥାରେ ପାଠ ପଢୁଛନ୍ତି। କିନ୍ତୁ ଏହି ମାଧ୍ୟମରେ ୨୦ ରୁ ୨୫ ଭାଗ ପିଲାଙ୍କ ପାଖରେ ଶିକ୍ଷା ପହଞ୍ଚୁଥିବା ମଧ୍ୟ ସନ୍ଦେହ।୩ ମାସ ପଢ଼ା ପରେ ହେବ ମାଟ୍ରିକ ପରୀକ୍ଷା

ଶୀତରେ କରୋନାର ଦ୍ଵିତୀୟ ପର୍ଯ୍ୟାୟ ସଂକ୍ରମଣର ଆଶଙ୍କା ରହୁଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସରକାର ଗୁରୁତ୍ଵ ଦେଇଛନ୍ତି। ଏଥିପାଇଁ ଡିସେମ୍ଵର ୩୧ ପର୍ଯ୍ୟନ୍ତ ରାଜ୍ୟରେ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଯଦି ଜାନୁଆରିରେ ସ୍କୁଲ ଖୋଲେ ତେବେ ପ୍ରଥମେ ୩ ମାସ ପାଠପଢ଼ା ହେଲା ପରେ ମାଟ୍ରିକ ପରୀକ୍ଷା ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସ୍ପଷ୍ଟ କରିଛନ୍ତି।

“ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ହେବ। ବିଳମ୍ବିତ ହୋଇପାରେ କିନ୍ତୁ ପରୀକ୍ଷା ହେବ। ସ୍କୁଲ ଖୋଲିଲା ପରେ ସର୍ବନିମ୍ନ ୩ ମାସ ପାଠପଢ଼ା ହେବ,  ତାପରେ ପରୀକ୍ଷା ବ୍ୟବସ୍ଥା କରାଯିବ। ଯଦି ସର୍ବ ଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ପାଇଁ ନିଷ୍ପତି ହୁଏ, ତାହାଲେ ହୁଏତ ରାଜ୍ୟରେ ପରୀକ୍ଷା ବନ୍ଦ ହୋଇପାରେ। ରାଜ୍ୟ ସରକାର ନିଜଆଡୁ ପରୀକ୍ଷା ବନ୍ଦ କରିବେ ନାହିଁ, ଯଦି ପରୀକ୍ଷା ବନ୍ଦ କରାଯାଏ ତେବେ ରାଜ୍ୟର ଛାତ୍ରଛାତ୍ରୀ ଗୋଟେ ବର୍ଷ ପଛୁଆ ହୋଇଯିବେ”, କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ।ସିଲାବସ୍‌ରେ ହ୍ରାସ

ପିଲାଙ୍କ ଉପରେ ଭାର ବଢ଼ିବାରୁ ସରକାର ଏ ବର୍ଷ ସିଲାବସ୍‌ରୁ ୩୦ ଭାଗ କମାଇ ଦେଇଛନ୍ତି। ଅବଶିଷ୍ଟ ୭୦ ଭାଗ ସିଲାବସ୍‌ ଅନୁସାରେ ଶିକ୍ଷାଦାନ କରାଯିବାକୁ ସ୍ଥିର ହୋଇଥିବା ବେଳେ ଏପର୍ଯ୍ୟନ୍ତ ଠିକ୍‌ ଭାବେ ପାଠପଢ଼ା ମଧ୍ୟ ଆରମ୍ଭ ହୋଇପାରିନାହିଁ। ସବୁ ପିଲାଙ୍କ ପାଖରେ ସ୍ମାର୍ଟଫୋନ ନଥିବାରୁ ଅନଲାଇନ ମାଧ୍ୟମ ବି ପଢ଼ା ପାଇଁ ସାହା ହୋଇପାରୁନାହିଁ।

ନଭେମ୍ଵର ସରିବାକୁ ହେଲାଣି, ସରିନି ୩୦ ପ୍ରତିଶତ ପାଠପଢ଼ା

ନଭେମ୍ଵର ଶେଷ ହେବାକୁ ଆସିଲାଣି। ସାଧାରଣ ଶିକ୍ଷାବର୍ଷରେ ଏତେବେଳକୁ ପ୍ରିଟେଷ୍ଟ ପରୀକ୍ଷା ଶେଷ ହୋଇ ଟେଷ୍ଟ ପରୀକ୍ଷା ପାଇଁ ପିଲା ପ୍ରସ୍ତୁତ ହୁଅନ୍ତି। କିନ୍ତୁ ଚଳିତ ବର୍ଷ ସିଲାବସ୍‌ର ୩୦ ପ୍ରତିଶତ ମଧ୍ୟ ପାଠପଢ଼ା ସରିନାହିଁ। ରିଭିଜନ୍ ତ ଦୂରର କଥା ପିଲାମାନେ ଅଧା ବିଷୟକୁ ବି ଭଲଭାବେ ପଢ଼ିନାହାନ୍ତି। ତେଣୁ କେମିତି ମାଟ୍ରିକ ପରୀକ୍ଷା ହେବ ତାହାକୁ ନେଇ ଦ୍ଵନ୍ଦ ଦେଖାଗଲାଣି।online classes problem for studentsଫଳପ୍ରଦ ହେଉନି ଅନଲାଇନ୍ ଶିକ୍ଷା

ଅନଲାଇନ ପାଠପଢ଼ାରୁ କିଛି ସୁଫଳ ମିଳୁନାହିଁ। ଶ୍ରେଣୀଗୃହର ପାଠପଢ଼ା ମୋବାଇଲ ଫୋନରୁ ମିଳୁନାହିଁ। ଏମିତି କି ସବୁ ପିଲାଙ୍କ ପାଖରେ ମୋବାଇଲ କିମ୍ଵା ସ୍ମାର୍ଟଫୋନ୍ ନାହିଁ। ତେଣୁ ଅନଲାଇନ୍ ପାଠପଢ଼ିବାରୁ ଅନେକ ଛାତ୍ରଛାତ୍ରୀ ବଞ୍ଚିତ ହେଉଛନ୍ତି। ଏପରି ସମସ୍ୟା ଦେଖାଯିବାରୁ ସରକାର ବିକଳ୍ପ ପନ୍ଥା ଆପଣାଇଛନ୍ତି। ଟିଭି ମାଧ୍ୟମରେ କ୍ଲାସ କରାଇ ପିଲାଙ୍କ ପାଇଁ ପଢ଼ିବାର ବ୍ୟବସ୍ଥା କରିଥିବା ବେଳେ କେତେକ ସ୍ଥାନରେ ତାହା ମଧ୍ୟ ବିଶେଷ ଭାବରେ ସଫଳ ହୋଇ ନଥିବା ଦେଖିବାକୁ ମିଳିଛି।

“ଅଧାରୁ ଅଧିକ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ ନାହିଁ। ତେଣୁ ଅନଲାଇନ୍ କ୍ଲାସ କରିବାରୁ ଅନେକ ଛାତ୍ରଛାତ୍ରୀ ବଞ୍ଚିତ ହେଉଛନ୍ତି। କେତେକ ଜାଗାରେ ପିଲାଙ୍କ ବାପା କିମ୍ଵା ଭାଇ ଫୋନ ନେଇ ଅଫିସ ଚାଲିଯାଉଥିବାରୁ ସେମାନଙ୍କ ଆସିବା ପରେ ହିଁ ପିଲାମାନେ ପାଠ ପଢ଼ୁଛନ୍ତି। କିଛି କ୍ଷେତ୍ରରେ ପିଲାମାନେ ଫୋନ୍‌ରେ ପାଠପଢ଼ିବା ନାଁରେ ଗେମ୍ ମଧ୍ୟ ଖେଳୁଛନ୍ତି। ଅନଲାଇନରେ ପାଠ ପଢ଼ିବାରେ ଶ୍ରେଣୀକକ୍ଷର ଫାଇଦା ମିଳିପାରୁନାହିଁ। ତେଣୁ ଏହି ଅନଲାଇନ ପାଠପଢ଼ା କେବଳ କାମ ଚଳାଇବା ପାଇଁ ହୋଇ ରହିଯାଇଛି”, କହିଛନ୍ତି ବେଣ୍ଟକାର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମନୋରଞ୍ଜନ ଆଚାର୍ଯ୍ୟ।ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ସ୍ଥଗିତ

ନଭେମ୍ବର ୫ ତାରିଖରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଡିସେମ୍ବର ୯ରୁ ଫର୍ମ ପୂରଣ ଆରମ୍ଭ ହେବ ବୋଲି କୁହାଯାଇଥିଲା। କିନ୍ତୁ କରୋନା କାଳର ଏପରି ସ୍ଥିତିରେ ପିଲା ପରୀକ୍ଷା କେମିତି ଦେବେ ଏନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଏପରିକି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ମଧ୍ୟ ଏହାର ବିରୋଧ କରିଥିଲା। ଏହାକୁ ଦୃଷ୍ଟିରେ ରଖି ବିଜ୍ଞପ୍ତି ପ୍ରତ୍ୟାହାର କରିବାକୁ ବୋର୍ଡକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ଏହାପରେ ମାଟ୍ରିକ ଫର୍ମ ପୂରଣକୁ ସ୍ଥଗିତ ରଖାଯାଇଛି।school-2ବନ୍ଦ ରହିଛି କୋଚିଂ କ୍ଲାସ

କରୋନା ପାଇଁ ରାଜ୍ୟରେ ଟ୍ୟୁସନ୍ ଏବଂ କୋଚିଂ ସେଣ୍ଟରଗୁଡ଼ିକ ବନ୍ଦ ରହିଛି। ସ୍କୁଲ ଶିକ୍ଷା ପରେ କୋଚିଂ କ୍ଲାସ ହିଁ ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟ ବିକଳ୍ପ। କିନ୍ତୁ କରୋନା ଲକଡାଉନ୍, ସଟ୍‌ଡାଉନ ମଧ୍ୟରେ ଟ୍ୟୁସନ୍, କୋଚିଂ ବନ୍ଦ ରହିଥିବାରୁ ସିଲାବସ୍ ଶେଷ ହୋଇପାରୁନାହିଁ। ତେଣୁ ମାଟ୍ରିକ ପରୀକ୍ଷା ପାଇଁ ପିଲାମାନେ ଅସୁବିଧାର ସାମ୍ନା କରିପାରନ୍ତି ବୋଲି ମତ ପ୍ରକାଶ ପାଇଛି।ଜାନୁଆରିରେ ଖୋଲିବ କି ସ୍କୁଲ?

ଶୀତଦିନେ କରୋନାର ଦ୍ଵିତୀୟ ଲହର ବ୍ୟାପିବାର ଆଶଙ୍କା ଥିବା ନେଇ ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ ଆଗରୁ ସତର୍କ କରାଇଦେଇଛନ୍ତି। ତେଣୁ ଓଡ଼ିଶାରେ ଡିସେମ୍ଵର ୩୧ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଡିସେମ୍ଵର ୩୧ ପରେ ସ୍କୁଲ ଖୋଲିବ କି ନାହିଁ ସେ ବାବଦରେ ସରକାର କିଛି ସ୍ପଷ୍ଟ କରିନାହାନ୍ତି। କିନ୍ତୁ ସ୍କୁଲ ଖୋଲିବା ପରେ ଅତିକମ୍‌ରେ ୩ମାସ ପାଠ ପଢ଼ା ହୋଇ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ମାଟ୍ରିକ ପରୀକ୍ଷା ଦେବେ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ତେବେ ଏତେସବୁ ନିଷ୍ପତ୍ତି ଆଉ ଘୋଷଣା ପରେ ଜାନୁଆରିରେ ସ୍କୁଲ ଖୋଲିବ କି ନାହିଁ ତାହା ଜଣାପଡୁନାହିଁ।

“ଯଦି ସରକାର ଜାନୁଆରି ମାସରେ ସ୍କୁଲ ଖୋଲନ୍ତି ଆଉ ତିନି ମାସ ପଢ଼ା ପରେ ମାଟ୍ରିକ ପରୀକ୍ଷା କରାନ୍ତି ତଥାପି ସେତେବେଳକୁ କେତେକ ପିଲାଏ ପରୀକ୍ଷା ଦେବାକୁ ପ୍ରସ୍ତୁତ ହୋଇନଥିବେ। କାରଣ ଏତେଦିନ ପିଲାମାନେ ଶ୍ରେଣୀ ପଢ଼ାରୁ ଅଭ୍ୟାସ ଛଡ଼ାଇ କେବଳ ଡିଜିଟାଲ ମାଧ୍ୟମ ସ୍ମାର୍ଟଫୋନ ଜରିଆରେ ପାଠ ପଢୁଛନ୍ତି। ମୋବାଇଲ ଫୋନରେ ପାଠପଢ଼ି ଅଧିକାଂଶ ଛାତ୍ରଛାତ୍ରୀ ଖଇଚା ହୋଇଗଲେଣି। ତେଣୁ ତିନି ମାସର ପାଠପଢ଼ା ପରେ ମାଟ୍ରିକ ପରୀକ୍ଷା କରାଗଲେ ମଧ୍ୟ କେତେକଙ୍କ ପକ୍ଷରେ ପରୀକ୍ଷା ଦେବା ସହଜ ହେବନାହିଁ”, କହିଛନ୍ତି ବେଣ୍ଟକାର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମନୋରଞ୍ଜନ ଆଚାର୍ଯ୍ୟ।

Comment