ସତ୍ୟବ୍ରତ ସାହୁ

ମୋ ସ୍କୁଲ ଅଭିଯାନରେ ଏଯାବତ ୪୩ କୋଟି ଟଙ୍କା ସହଯୋଗ ରାଶି ଦେଲେଣି ପୁରାତନ ଛାତ୍ରଛାତ୍ରୀ।

‘ମୋ ସ୍କୁଲ’ ନାଁ ଶୁଣିଲେ ଦେହରେ ରୋମାଞ୍ଚ ଭରିଯାଏ। ମୁହୂର୍ତ୍ତକ ମଧ୍ୟରେ ଭାବନା ରାଜ୍ୟରେ ଟାଣିନିଏ ସ୍କୁଲ ଦିନକୁ, ଯେଉଁଠି ଆମେ ସମସ୍ତେ ହସିଖେଳି ସାଙ୍ଗସାଥି ମେଳରେ ଆମର ପିଲାଦିନ କଟାଇଥିଲେ। ଯିଏ ଆମ ପାଟିରେ ଭାଷା, ଆମ ହାତରେ କଲମ ଧରାଇ ଥିଲା, ଯିଏ ଆମ ଜୀବନର ମୂଳଦୁଆ ପକାଇଥିଲା। ଆଜି ଆମେ ସମାଜରେ ଯିଏ ଯେଉଁ ସ୍ତରରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି, ତା’ର ପ୍ରଥମ ଶ୍ରେୟ ଯାଏ ସ୍କୁଲକୁ।

ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନସଚିବ ଭାବରେ ଦାୟିତ୍ୱ ନେବାପରେ ମୋତେ ସବୁଠୁ ବେଶି ପ୍ରଭାବିତ କରିଛି ସରକାରଙ୍କ ‘ମୋ ସ୍କୁଲ’ ଯୋଜନା। ପୁରାତନ ଛାତ୍ରଛାତ୍ରୀଙ୍କୁ ପୁଣିଥରେ ସ୍କୁଲ ସହ ଯୋଡ଼ିବା, ସ୍କୁଲ ସାଥିଙ୍କ ମେଳରେ ପୁଣିଥରେ ପିଲାଦିନକୁ ଫେରିଯିବା, ତାଙ୍କ ସାହାଯ୍ୟ, ସହଯୋଗ ଓ ପରାମର୍ଶରେ ସ୍କୁଲର ବିକାଶ କରିବା, ଆଗାମୀ ଭବିଷ୍ୟତ ମାନଙ୍କ ପାଇଁ ଏକ ସୁନ୍ଦର ପରିବେଶ ସୃଷ୍ଟି କରିବା, ବାସ୍ତବରେ ଏକ ଅଭିନବ ପ୍ରୟାସ।୨୦୧୭ ମସିହା ଶିଶୁ ଦିବସ ଅବସରରେ ଶୁଭାରମ୍ଭ ହୋଇଥିବା ଏହି ଯୋଜନା ମାଧ୍ୟମରେ ଦେଶ ବିଦେଶରେ ଥିବା ପୁରାତନ ଛାତ୍ରଛାତ୍ରୀ, ତାଙ୍କ ପିଲାଦିନର ସ୍କୁଲ ସହ ଯୋଡ଼ିହୋଇ ଶ୍ରମଦାନ, ଶିକ୍ଷାଦାନ, ଅର୍ଥଦାନ ଓ ଉପକରଣ ଦାନ ମାଧ୍ୟମରେ ସ୍କୁଲ ବାତାବରଣ ସମୃଦ୍ଧ କରିପାରିଛନ୍ତି। ବିଦ୍ୟାଳୟ କୋଠାଘରଠାରୁ ଆରମ୍ଭ କରି ଶ୍ରେଣୀଗୃହ, ପାଠାଗାର, ସ୍ମାର୍ଟ କ୍ଳାସ୍‌, ବିଜ୍ଞାନାଗାର, ପାଇଖାନା, ପାଚେରି, ଆସବାବପତ୍ର, ବଗିଚା, ଖେଳକୁଦ ଆଦି ବିଭିନ୍ନ କ୍ଷେତ୍ରରେ ଉନ୍ନତି ହୋଇ ପାରିଛି। ଅଦ୍ୟାବଧି ରାଜ୍ୟର ୧୧,୮୫୮ଟି ବିଦ୍ୟାଳୟର ୧,୮୩,୪୬୪ ଜଣ ପୁରାତନ ଛାତ୍ରଛାତ୍ରୀ ମୋ’ ସ୍କୁଲ ଯୋଜନାରେ ସାମିଲ ହୋଇ ୪୩,୫୧,୫୫,୩୬୦ ଟଙ୍କା ଅର୍ଥ ରାଶି ପ୍ରଦାନ କରିଛନ୍ତି। ଏହି ଯୋଜନାର ସବୁଠୁ ଉତ୍ସାହଜନକ ଦିଗଟି ହେଲା ବିଦ୍ୟାଳୟର ବିକାଶ ପାଇଁ ପୁରାତନ ଛାତ୍ର ଟଙ୍କାଏ ଦେଲେ, ସରକାର ତାର ଦୁଇଗୁଣ ଅର୍ଥାତ ଦୁଇଟଙ୍କା ମିଶାଇ ସ୍କୁଲକୁ ଦେଉଛନ୍ତି। ଏହି ଦାନ ରାଶିର ମଧ୍ୟ ଆୟକର ରିହାତି ସୁବିଧା ରହିଛି।

ସମ୍ପ୍ରତି ଶିକ୍ଷାର ବ୍ୟାପକ ପ୍ରସାର ଫଳରେ ସମଗ୍ର ବିଶ୍ୱ ସଙ୍କୁଚିତ ହୋଇ ଏକ ଗାଁରେ ପରିଣତ ହୋଇଛି। ଆମ ରାଜ୍ୟର ଏପରିକି ଉପାନ୍ତ ଅଂଚଳର ସରକାରୀ ସ୍କୁଲରୁ ପାଠ ପଢ଼ି ଆସିଥିବା ପିଲାଙ୍କ ପ୍ରତିଭା ଆଜି ବିଶ୍ୱବ୍ୟାପୀ ହୋଇଛି। ମୁଁ ମଧ୍ୟ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଯଥା- ସୁନ୍ଦରଗଡ଼, ବରଗଡ଼, ଗଞ୍ଜାମ, କଳାହାଣ୍ଡି ଓ କୋରାପୁଟ ଆଦି ଜିଲ୍ଲାରେ ପାଠ ପଢ଼ିଥିଲି। ଆଜି ମଧ୍ୟ ମୁଁ ପଢ଼ିଥିବା ସ୍କୁଲକୁ ନେଇ ମୁଁ ଗର୍ବ କରୁଛି। ମୋ’ ସମୟର ଶିକ୍ଷକମାନଙ୍କ ସହ ଏବେବି ମୁଁ ସମ୍ପର୍କରେ ଅଛି। ସେମାନଙ୍କ ଆଶୀର୍ବାଦ ଓ ପରାମର୍ଶ ନେଉଛି।ଗତ ମାର୍ଚ୍ଚ ମାସଠାରୁ କରୋନା ଯୋଗୁ ବିଦ୍ୟାଳୟ ବନ୍ଦ ରହିଛି। ଜନଜୀବନ ପ୍ରଭାବିତ ହୋଇଛି। ମାତ୍ର ଏହି ସମୟରେ ମଧ୍ୟ ସ୍କୁଲର ଆହ୍ୱାନକୁ ଭୁଲି ନାହାନ୍ତି ପୁରାତନ ଛାତ୍ରଛାତ୍ରୀ। ବିଗତ ତିନି ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାର ପୁରାତନ ଛାତ୍ରଛାତ୍ରୀମାନେ ୩,୯୬,୮୫,୭୩୧ ଟଙ୍କାର ଅର୍ଥରାଶି ଦେଇଛନ୍ତି। ଆନନ୍ଦର କଥା ମୁଁ ସବୁଠାରୁ ଅଧିକ ସମୟ ପାଠ ପଢ଼ିଥିବା ମାଣିକେଶ୍ୱରୀ ଉଚ୍ଚ ବିଦ୍ୟାଳୟ, ଭବାନୀପାଟଣାର ଛାତ୍ରଛାତ୍ରୀମାନେ ଏକାଠି ହୋଇ ୧୨,୨୫,୪୬୪ ଟଙ୍କାର ଅର୍ଥରାଶି ଦେବାକୁ ଆଗେଇ ଆସିଛନ୍ତି।

ଏହି ଅଭିଯାନକୁ ବ୍ୟାପକ କରିବା ପାଇଁ ମୁଁ ମୋ’ ବିଭାଗରେ କାର୍ଯ୍ୟରତ ସମସ୍ତ ଅଧିକାରୀଙ୍କ ସମେତ ରାଜ୍ୟ ପ୍ରଶାସନରେ କାର୍ଯ୍ୟରତ ସମସ୍ତ ଭାରତୀୟ ପ୍ରଶାସନିକ ସେବା ଓ ଓଡ଼ିଶା ପ୍ରଶାସନିକ ସେବାର ଅଧିକାରୀମାନଙ୍କୁ ମୋ’ ସ୍କୁଲ ଯୋଜନାରେ ସାମିଲ ହୋଇ ନିଜେ ପାଠ ପଢ଼ିଥିବା ବିଦ୍ୟାଳୟକୁ ସମୃଦ୍ଧ କରିବା ପାଇଁ ନିବେଦନ କରିଛି। ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷ ଓ ଜନପ୍ରତିନିଧିଙ୍କୁ ଏହି ମହାନ କାର୍ଯ୍ୟରେ ଯୋଡ଼ି ହେବା ପାଇଁ ମୋର ଅନୁରୋଧ ରହିବ। ମୋର ଦୃଢ ବିଶ୍ୱାସ ପୁରାତନ ଛାତ୍ରଛାତ୍ରୀ ଅଣ୍ଟା ଭିଡ଼ିଲେ ଆଗାମୀ ପିଢ଼ିର ପିଲାଙ୍କ ପାଇଁ ଆମେ ଏକ ସୁନ୍ଦର ଶୈକ୍ଷିକ ବାତାବରଣ ସୃଷ୍ଟି କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହି ଅଭିନବ ପରିକଳ୍ପନାକୁ ବାସ୍ତବ ରୂପ ଦେବା ସଙ୍ଗେସଙ୍ଗେ ମୋ’ ସ୍କୁଲ ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିପାରିବା।

(ସୌଜନ୍ୟ: ‘ମୋ ସ୍କୁଲ୍ ଅଭିଯାନ’ ସୂଚନାପତ୍ର, ନଭେମ୍ବର ୨୦୨୦)

ଲେଖକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ

Comment