ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥବା ଅବପାତ ଘୂର୍ଣ୍ଣିଝଡ଼ର ରୂପ ନେଇ କେନ୍ଦ୍ରୀଭୂତ ହୋଇସାରିଛି। ବୁଧବାର ରାତିରେ ଏହା ତାମିଲନାଡୁ-ପୁଡୁଚେରୀ ଉପକୂଳ ଅତିକ୍ରମ କରିବ ବୋଲି ଆକଳନ କରିଛନ୍ତି ସୋଆ ବିଶ୍ୱବିଦ୍ୟାଳୟର ପରିବେଶ ଓ ଜଳବାୟୁ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ।

ତାଙ୍କ କହିବା ମୁତାବକ, ଚେନ୍ନାଇଠାରୁ ୪୩୦ କିମି ଦକ୍ଷିଣ ପୂର୍ବରେ ମଙ୍ଗଳବାର ସକାଳ ୧୧.୩୦ ସମୟରେ ଏହି ଘୂର୍ଣ୍ଣିଝଡ଼ କେନ୍ଦ୍ରୀଭୂତ ହୋଇଛି। ‘ନିଭାର’ ନାମକ ଏହି ଘୂର୍ଣ୍ଣିଝଡ଼ ଉତ୍ତର-ପଶ୍ଚିମ ଦିଗରେ ଗତିକରି ଅଧିକ ଘନୀଭୂତ ହୋଇ ପରବର୍ତୀ ୨୪ ଘଣ୍ଟାରେ ଏକ ଭୟଙ୍କର ଓ ପରେ ଅତି ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି।

ଏହି ଘୂର୍ଣ୍ଣିଝଡ଼ ବୁଧବାର ରାତିରେ ଚେନ୍ନାଇର ଦକ୍ଷିଣରେ ତାମିଲନାଡୁ-ପୁଡୁଚେରୀ ଉପକୂଳ ଅତିକ୍ରମ କରିବ। ଉପକୂଳ ଅତିକ୍ରମ କରିବା ପରେ ଏହା କ୍ରମଶଃ ଦୁର୍ବଳ ହୋଇ ଗୁରୁବାର ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଉପରେ ରହିବ।

ଏହାର ପ୍ରଭାବରେ ନଭେମ୍ବର ୨୫ ରୁ ୨୭ ମଧ୍ୟରେ ଓଡ଼ିଶାର ଦକ୍ଷିଣ ଓ ଉପକୂଳ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହାଛଡ଼ା କେତେକ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। କୋରାପୁଟ,ମାଲକାନଗିରି, ଗଜପତି, ଗଞ୍ଜାମ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଏହି ବର୍ଷା ଅନୁଭୂତ ହୋଇପାରେ ବୋଲି କୁହାଯାଇଛି।

Comment