ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ରେ ୫ ବର୍ଷର ଝିଅ ପରୀର ମୃତ୍ୟୁ ଘଟଣାକୁ ନେଇ ବିଧାନସଭାରେ ହଟ୍ଟଗୋଳ।

ନୟାଗଡ଼ରେ ୫ ବର୍ଷ ଝିଅ ପରୀର ମୃତ୍ୟୁ ପ୍ରସଙ୍ଗକୁ ନେଇ ମଙ୍ଗଳବାର ହୁଲସ୍ତୁଲ୍ ହୋଇଛି ବିଧାନସଭା। ବିରୋଧୀମାନେ ଏହି ଘଟଣାକୁ ନେଇ ସରକାରଙ୍କ ଉପରେ ବର୍ଷିଥିବାବେଳେ, ଏନେଇ ରୁଲିଂ ଜାରି କରିଛନ୍ତି ବାଚସ୍ପତି। ବୁଧବାର ଏନେଇ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ବିସ୍ତୃତ ବିବରଣୀ ରଖିବେ ବୋଲି ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି।

ବିଧାନସଭାରେ ପ୍ରଥମେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଏହି ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ, ଜଣେ ମନ୍ତ୍ରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ଏନେଇ ତାଙ୍କର ପରିବାର ଲୋକେ ଅଭିଯୋଗ ମଧ୍ୟ କରିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଏନେଇ ଜବାବ ରଖନ୍ତୁ ବୋଲି ବିରୋଧୀ ଦଳର ନେତା ଦାବି କରିଥିଲେ।ସେହିପରି କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗକୁ କେନ୍ଦ୍ର କରି ସରକାରଙ୍କୁ ଟାର୍ଗେଟ କରିଥିଲା। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି ଏହି ଘଟଣାକୁ ନିନ୍ଦା କରିବା ସହିତ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତର ପାଇଁ ଦାବି କରିଥିଲେ। ଏହାପରେ ବାଚସ୍ପତି ରୁଲିଂ ଜାରି କରି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବୁଧବାର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଧାନସଭା ଆଗରେ ହାଇଡ୍ରାମା

ମଙ୍ଗଳବାର ଶୀତ ଅଧିବେଶନ ଚାଲିଥିବାବେଳେ ବିଧାନସଭା ଆଗରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁର ଗାଁର ସୌଦାମିନୀ ସାହୁ ଓ ଅଶୋକ ସାହୁ ଦେହରେ କିରୋସିନି ଢାଳି ଆତ୍ମହୁତି ଉଦ୍ୟମ କରିଥିଲେ। ହେଲେ ଏହି ସମୟରେ ପୋଲିସ ତାଙ୍କୁ କାବୁ କରି ନେଇଥିଲା। ଏହି ସମୟରେ ସେମାନେ ତାଙ୍କ ଝିଅ ପାଇଁ ନ୍ୟାୟ ଦାବି କରିବାକୁ ଆସିଛନ୍ତି ବୋଲି ଗଣମାଧ୍ୟମକୁ କହିଥିଲେ।ଡିସିପିଙ୍କ ବିସ୍ତୃତ ବିବରଣୀ

ଏହି ଘଟଣା ପରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି। ସେ କହିଛନ୍ତ ଯେ, ଏହି ଦମ୍ପତି ପ୍ରଥମେ ଏଜି ଛକ ଆଡୁ ଅଟୋରେ ଆସିଥିଲେ। ସେମାନେ ବିଧାନସଭା ଆଗରେ ଅଟୋରୁ ଓହ୍ଲାଇଥିଲେ।

ଏହି ସମୟରେ ତାଙ୍କ ହାତରେ କିରୋସିନି ଡବା ଦେଖି ପୋଲିସ ତାଙ୍କ ପାଖକୁ ଯାଇଥିଲା। ହେଲେ ସେତେବେଳକୁ ସେମାନେ ନିଜ ଦେହରେ କିରୋସିନି ଢାଳି ଦେଇଥିଲେ। ଠିକଣା ସମୟରେ ପୋଲିସ ସେମାନଙ୍କୁ କାବୁ କରିନେଇଥିଲା। ଏହାପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ତା ସହିତ ପୋଲିସ ସେମାନଙ୍କ ଅଭିଯୋଗ ଶୁଣିବା ପରେ ନୟାଗଡ଼ ଏସପିଙ୍କ ସହ କଥାବାର୍ତ୍ତା କରିଥିବା ଡିସିପି ସୂଚନା ଦେଇଛନ୍ତି।ସୂଚନା ଅନୁସାରେ, ଗତ ୩ ମାସ ତଳେ ଅଶୋକ ସାହୁ ଓ ସୌଦାମିନୀ ସାହୁଙ୍କ ୫ ବର୍ଷୀୟ ଝିଅ ହଠାତ ଦିନେ ନିଖୋଜ ହୋଇ ଯାଇଥିଲା। ଏହାପରେ ଝିଅର ମୃତଦେହ ମିଳିଥିଲା। ତାଙ୍କ ଝିଅକୁ ହତ୍ୟା କରିଯାଇଥିବା ସୌଦାମିନୀ ଓ ଅଶୋକ ଅଭିଯୋଗ କରିଥିଲେ। ଅଭିଯୋଗ ସତ୍ତ୍ୱେ ପୋଲିସ, ପ୍ରଶାସନ କେହି ବି ସେମାନଙ୍କ କଥା ଶୁଣିନଥିବାରୁ ସେମାନେ ଆଜି ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରି ନ୍ୟାୟ ମାଗିଥିଲେ।

Comment