ଓଡ଼ିଶାଲାଇଭ୍ ବ୍ୟୁରୋ

  • ହାଇକୋର୍ଟଙ୍କ ସ୍ଥିତାବସ୍ଥା ବଳବତ୍ତର
  • ଆସନ୍ତା ସପ୍ତାହରେ ପରବର୍ତ୍ତୀ ଶୁଣାଣି

କଟକ: ପୁରୀ ବାସେଳି ସାହି ଥାନା ଅନ୍ତର୍ଗତ ମଙ୍ଗଳାଘାଟ ନିକଟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରୋଷଘର ନିର୍ମାଣ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ବୁଧବାର ଜବାବ ଦାଖଲ କରାଯାଇଛି। ଏହି ଜବାବ ଉପରେ ହାଇକୋର୍ଟ ଅନୁଧ୍ୟାନ କରିବା ସହ ଆସନ୍ତା ସପ୍ତାହକୁ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ଅନ୍ୟପଟେ ପୂର୍ବରୁ ଜାରି ହୋଇଥିବା ରହିତାଦେଶକୁ ହାଇକୋର୍ଟ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରଖିଛନ୍ତି।

ଯମୁନା ଗାଧୁଆ ବୁଡ଼ ଓ ନନ୍ଦ ଉତ୍ସବ ସୁରକ୍ଷା ସମିତିର ସମ୍ପାଦକ ମାଧବ ଦଳେଇ ଓ ଅନ୍ୟ ୮ଜଣଙ୍କ ଫକ୍ଷରୁ ରୁଜୁ ଏକ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ରୋଷେଇ ଘର ନିର୍ମାଣ ପାଇଁ ପୁରୀ ମଙ୍ଗଳାଘାଟଠାରେ ୪ ଏକର ୧୦୯ ଡିସିମିଲ ଜମିକୁ ପୁରୀ ଜିଲ୍ଲାପାଳ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପ୍ରଦାନ କରିଛନ୍ତି। ତେବେ ସେହି ସ୍ଥାନରେ ମଙ୍ଗଳା ମନ୍ଦିର ରହିଛି। ଜନ୍ମାଷ୍ଟମୀ ବେଳେ ଏଠାରେ ଶ୍ରୀଜଗନ୍ନାଥଙ୍କର ଯମୁନା ଗାଧୁଆ ଓ ନନ୍ଦ ଉତ୍ସବ ପାଳନ ହୋଇଥାଏ।

ବିଶେଷକରି ନବକଳେବର ସମୟରେ ଏହି ମଙ୍ଗଳାଘାଟ ନିକଟରେ ତିନି ଠାକୁରଙ୍କର ବହୁ ନୀତି ସମ୍ପନ୍ନ ହୋଇଥାଏ। ରାଜ୍ୟ ସରକାର ମନମୁଖି ଭାବେ ବହୁ ପୁରାତନ ପରମ୍ପରାକୁ ଜଳାଞ୍ଜଳି ଦେଇ ସର୍ବସାଧାରଣଙ୍କ ପାଇଁ ରହିଥିବା ଏହି ଜମିକୁ ଘରୋଇ ସଂସ୍ଥା ହାତରେ ଟେକି ଦେଇଛନ୍ତି ବୋଲି ଆବେଦନକାରୀମାନେ ଅଭିଯୋଗରେ ଦର୍ଶାଇଥିଲେ।

ଲୋକଙ୍କ ଭାବାବେଗରେ କୁଠାରାଘାତ କରି ପୁରୀ ଜିଲ୍ଲାପାଳ ମନ୍ଦ ଉଦ୍ଦେଶ୍ୟ ରଖି ଏଭଳି କାର୍ଯ୍ୟ କରୁଥିବାରୁ ଏହା ଉପରେ ରୋକ୍ ଲଗାଇବାକୁ ଆବେଦନକାରୀମାନେ ଅଦାଲତଙ୍କୁ ପ୍ରାର୍ଥନା କରିଥିଲେ। ଆବେଦନକାରୀଙ୍କୁ ପକ୍ଷରୁ ଆଇନଜୀବି ଦୟାନନ୍ଦ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

Comment