ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ପରୀ ମୃତ୍ୟୁକୁ ନେଇ ହାଇକୋର୍ଟରେ ରୁଜୁ ହେଲା ଜନସ୍ୱାର୍ଥ ମାମଲା।
ଗୋଟିଏ ସପ୍ତାହ ଭିତରେ ସାରା ରାଜ୍ୟରେ ବେଶ୍ ଚର୍ଚ୍ଚିତ ହୋଇପଡ଼ିଛି ନୟାଗଡ଼ର ପରୀ ମୃତ୍ୟୁ ଘଟଣା। ଦିନକୁ ଦିନକୁ ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ତୁମ୍ଵିତୁଫାନ ଜୋର୍ ଧରିଛି। ମଙ୍ଗଳବାର ଏହି ପ୍ରସଙ୍ଗକୁ ନେଇ ହୁଲସ୍ତୁଲ୍ ହୋଇଥିଲା ବିଧାନସଭା। ବିରୋଧୀମାନେ ଘଟଣାକୁ ନେଇ ସିଧା ସରକାରଙ୍କ ଉପରେ ବର୍ଷିଥିଲେ। ବାଚସ୍ପତିଙ୍କ ରୁଲିଂ, ଗୃହମନ୍ତ୍ରୀଙ୍କ ବିସ୍ତୃତ ବିବରଣୀ ଏବଂ ମନ୍ତ୍ରୀଙ୍କ ଇସ୍ତଫା ଦାବି ଭଳି ବିରୋଧୀଙ୍କ ଅନେକ ବର୍ଷଣ ପରେ ଏବେ ମାମଲା ଯାଇ ହୋଇକୋର୍ଟରେ ପହଞ୍ଚିଛି। ହାଇକୋର୍ଟରେ ପରୀ ମୃତ୍ୟୁ ମାମଲା
ଏହି ଘଟଣାକୁ ନେଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଗୁରୁବାର ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇଛି। ଏହି ଘଟଣାର ସିବିଆଇ ତଦନ୍ତ ସହ ପରୀର ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଅପିଲ କରିବା ସହ ମାମଲାରେ ସିବିଆଇ, ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ ପକ୍ଷଭୁକ୍ତ କରାଯାଇଛି।ବିଧାନସଭା ଆଗରେ ଦମ୍ପତିଙ୍କ ଆତ୍ମହୁତି ଉଦ୍ୟମ
ମଙ୍ଗଳବାର ଶୀତ ଅଧିବେଶନ ଚାଲିଥିବାବେଳେ ବିଧାନସଭା ଆଗରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ନୟାଗଡ଼ ସଦର ଥାନା ଯଦୁପୁର ଗାଁର ସୌଦାମିନୀ ସାହୁ ଓ ଅଶୋକ ସାହୁ ନାମକ ଏକ ଦମ୍ପତି ନିଜ ଦେହରେ କିରୋସିନି ଢାଳି ଆତ୍ମହୁତି ଉଦ୍ୟମ କରିଥିଲେ। ହେଲେ ଏହି ସମୟରେ ପୋଲିସ ତାଙ୍କୁ କାବୁ କରି ନେଇଥିଲା। ସେମାନେ ତାଙ୍କ ଝିଅ ପରୀ ପାଇଁ ନ୍ୟାୟ ଦାବି କରିବାକୁ ଆସିଛନ୍ତି ବୋଲି ଗଣମାଧ୍ୟମକୁ କହିଥିଲେ।
ଦମ୍ପତିଙ୍କ କହିବା ଅନୁସାରେ ଗତ ୩ ମାସ ତଳେ ତାଙ୍କର ୫ ବର୍ଷୀୟ ଝିଅ ପରୀ ହଠାତ କେଉଁଆଡ଼େ ନିଖୋଜ ହୋଇ ଯାଇଥିଲା। ଏହାର ୧୦ଦିନ ପରେ ବାରିପଟେ ଏକ ବସ୍ତାଭିତରୁ ଝିଅର ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଥିଲା। ତାଙ୍କ ଝିଅକୁ ହତ୍ୟା କରିଯାଇଥିବା ସୌଦାମିନୀ ଓ ଅଶୋକ ଅଭିଯୋଗ କରିଥିଲେ। ଅଭିଯୋଗ ସତ୍ତ୍ୱେ ପୋଲିସ କି ପ୍ରଶାସନ କେହି ବି ସେମାନଙ୍କ କଥା ଶୁଣିନଥିବାରୁ ନ୍ୟାୟ ମାଗିବାକୁ ଆସି ସେମାନେ ବିଧାନସଭା ଆଗରେ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିବା ପ୍ରତିକ୍ରିୟା ରଖିଥିଲେ।ବାଚସ୍ପତିଙ୍କ ରୁଲିଂ ପରେ ମନ୍ତ୍ରୀଙ୍କ ବିସ୍ତୃତ ବିବରଣୀ
ନୟାଗଡ଼ ପରୀ ମୃତ୍ୟୁ ମାମଲାକୁ ନେଇ ମଙ୍ଗଳବାର ବିଧାନସଭାରେ ବିରୋଧୀମାନେ ସରକାରଙ୍କୁ ଟାର୍ଗେଟ କରିବା ସହ ସରକାର ଏନେଇ ଉତ୍ତର ରଖନ୍ତୁ ବୋଲି ଦାବି କରିଥିଲେ। ଏହାପରେ ବାଚସ୍ପତି ଏକ ରୁଲିଂ ଜାରି କରି ୨୪ ଘଣ୍ଟା ମଧ୍ୟରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଏବାବଦରେ ବିସ୍ତୃତ ବିବରଣୀ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ବୁଧବାର ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଏନେଇ ଉତ୍ତର ରଖିଥିଲେ। ପରୀର ହତ୍ୟା ହୋଇଥିବା ମନ୍ତ୍ରୀ ସ୍ଵୀକାର କରିଥିଲେ। ଏଥିସହ ଘଟଣାର କ୍ରାଇମବ୍ରାଞ୍ଚ୍ ତଦନ୍ତ କରାଯିବା ନେଇ ମନ୍ତ୍ରୀ କହିଥିଲେ।ହତ୍ୟାକାରୀ ସହ ମନ୍ତ୍ରୀଙ୍କ ସଂପୃକ୍ତି ଥିବା ଅଭିଯୋଗ ପରେ ଇସ୍ତଫା ଦାବି
ନୟାଗଡ଼ର ବାବୁଲି ନାଏକ ନାମକ ଜଣେ ବ୍ୟକ୍ତି ପରୀକୁ ହତ୍ୟା କରିଥିବା ନେଇ ପରୀର ବାପା,ମା ଅଭିଯୋଗ କରିଥିଲେ। ହତ୍ୟାକାରୀ ବାବୁଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ପାଖଲୋକ ତେଣୁ ମନ୍ତ୍ରୀ ତାଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି। ଫଳରେ ପୋଲିସ ଆମକୁ ନାଲିଆଖି ଦେଖାଉଥିବା ପରୀର ବାପା,ମା ଅଭିଯୋଗ କରିଥିଲେ।
ଏହାପରେ ବିଧାନସଭାରେ ଏହି ମାମଲାକୁ ନେଇ ବିରୋଧୀମାନେ ହଟ୍ଟଗୋଳ କରିଥିଲେ। ଉଭୟ ବିଜେପି ଏବଂ କଂଗ୍ରେସ ପୃଥକ୍ ପୃଥକ୍ ସାମ୍ଵାଦିକ ସମ୍ମିଳନୀ କରି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଥିଲେ। କେବଳ ଯେ ବିଧାନସଭା ତାହା ନୁହେଁ ରାଜରାସ୍ତାରେ ମଧ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀମାନେ ବିକ୍ଷୋବ କରିଥିଲେ।
ମନ୍ତ୍ରୀ ଅରୁଣ ସାହୁଙ୍କ ଅଡିଓ ଭାଇରାଲ
ପରୀ ହତ୍ୟା ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଉପରେ ଅଭିଯୋଗ ଆସିବା ପରେ ବେଢ଼ି ଉପରେ ନଳିତା ବିଡ଼ା ପରି ଏକ ଭାଇରାଲ ଅଡିଓ କ୍ଲିପ୍ ମନ୍ତ୍ରୀଙ୍କୁ ଆହୁରି ଅଡୁଆକୁ ଟାଣିଆଣିଲା। ଏହି ଅଡିଓରେ ମନ୍ତ୍ରୀ ନୟାଗଡ଼ ଲକ୍ଷ୍ମୀପ୍ରସାଦର ସରପଞ୍ଚ ସୌମ୍ୟରଞ୍ଜନଙ୍କୁ ତାଗିଦ୍ କରୁଥିବା ଶୁଣିବାକୁ ମିଳିଥିଲା। ସୌମ୍ୟଙ୍କ ଇସାରାରେ ଏତେସବୁ ହେଉଥିବା କହି ମନ୍ତ୍ରୀ ସେହି ଅଡିଓରେ କହୁଥିବାର ଶୁଣିବାକୁ ମିଳିଥିଲା। ଏହି ଅଡିଓଟି ଭାଇରାଲ ହେବାପରେ ବିରୋଧୀମାନେ ସିଧାସଳଖ ମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ ଏବଂ ସରପଞ୍ଚ ସୌମ୍ୟଙ୍କୁ ସୁରକ୍ଷା ଦେବାକୁ ସରକାରଙ୍କ ପାଖରେ ଅପିଲ୍ କରିଥିଲେ।