ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ରାଜ୍ୟର ବହୁ ଜିଲ୍ଲାର ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଥିବା ଜିଲ୍ଲା ପରିଷଦ, ସମିତି ସଭ୍ୟ, ଓ୍ଵାର୍ଡମେମ୍ବର ଆଦି ଅନେକ ପଦବୀ ଖାଲି ପଡ଼ିଛି। କିନ୍ତୁ କରୋନା ଆଳରେ ପଦବୀ ପୂରଣ ଲାଗି ଉପନିର୍ବାଚନ କରାଯାଉନାହିଁ। ଏହାକୁ ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। କଟକ କିଶନନଗର ଅଞ୍ଚଳର ଅଜୟ କୁମାର ମହାନ୍ତି ଏବଂ ଅନ୍ୟ ୬ ଜଣ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇ ପଞ୍ଚାୟତସ୍ତରୀୟ ଉପନିର୍ବାଚନ ଲାଗି ଅଦାଲତ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରିଛନ୍ତି।

ଆବେଦନକାରୀମାନେ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟ ନିର୍ବାଚନ କମିସନ ପଞ୍ଚାୟତସ୍ତରରେ ଖାଲି ପଡ଼ିଥିବା ବିଭିନ୍ନ ପଦପଦବୀ ଲାଗି ଉପନିର୍ବାଚନ ପାଇଁ ଗତ ଫେବ୍ରୁଆରିରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହି ବିଜ୍ଞପ୍ତି ଅନୁଯାୟୀ, ମାର୍ଚ୍ଚ ୨୪ ତାରିଖରେ ଉପନିର୍ବାଚନ ହୋଇଥାନ୍ତା। କିନ୍ତୁ କରୋନା ସଂକ୍ରମଣ ପାଇଁ ଆଉ ଏକ ବିଜ୍ଞପ୍ତି ଜରିଆରେ ହେବାକୁ ଥିବା ଉପନିର୍ବାଚନକୁ ବନ୍ଦ କରି ଦିଆଯାଇଛି। କିନ୍ତୁ କାରୋନା ସଂକ୍ରମଣ ସତ୍ତ୍ଵେ ରାଜ୍ୟରେ ବାଲେଶ୍ୱର ଏବଂ ତିର୍ତ୍ତୋଲ ବିଧାନସଭା ଲାଗି ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଉପନିର୍ବାଚନ କରାଯାଇଛି।

ଏହି ଦୁଇଟି ବିଧାନସଭା ଉପନିର୍ବାଚନ ପ୍ରଚାରରେ ହଜାରହଜାର ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ମଧ୍ୟ ଜୋର୍‌ସୋର୍‌ରେ କରାଯାଇଥିଲା। ଭୋଟ୍ ମଧ୍ୟ ବେଶ୍ ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଥିଲା। କରୋନା ସଂକ୍ରମିତଙ୍କ ଲାଗି ସ୍ୱତନ୍ତ୍ର ବୁଥ୍ କରାଯାଇଥିଲା। ପ୍ରତ୍ୟେକ ଭୋଟ୍ ଗ୍ରହଣ କେନ୍ଦ୍ରରେ କୋଭିଡ୍‌-୧୯ର ଗାଇଡ୍‌ଲାଇନ୍ ଅନୁଯାୟୀ ସମସ୍ତ ନିୟମକୁ ଅନୁସରଣ କରାଯାଇଥିଲା। ଆବଶ୍ୟକ ପ୍ରତିଷେଧକମୂଳକ ବ୍ୟବସ୍ଥା ମଧ୍ୟରେ ଭୋଟ୍ ଗ୍ରହଣ କରାଯାଇଥିଲା। ଅନୁରୂପ ଉପାୟରେ ପଞ୍ଚାୟତ ସ୍ତରରେ ଖାଲି ପଡ଼ିଥିବା ବିଭିନ୍ନ ପଦପଦବୀ ଲାଗି ଉପ ନିର୍ବାଚନ ମଧ୍ୟ କରାଯାଇପାରିବ।

କିନ୍ତୁ ବର୍ଷାଧିକ କାଳ ପଞ୍ଚାୟତସ୍ତରରେ ଅନେକ ପଦପଦବୀ ଖାଲି ପଡ଼ିଥିବା ବେଳେ ଏହାକୁ ପୂରଣ କରିବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ତେଣୁ ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରି ରାଜ୍ୟ ନିର୍ବାଚନ କମିସନଙ୍କୁ କୋଭିଡ୍ ଗାଇଡ୍‌ଲାଇନ୍‌ ପାଳନ ପୂର୍ବକ ଉପରୋକ୍ତ ପଦପଦବୀ ଲାଗି ଉପନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀମାନେ ପ୍ରାର୍ଥନା କରିଛନ୍ତି। ଏହି ମାମଲାରେ ପଞ୍ଚାୟତରାଜ ବିଭାଗ ପ୍ରମୁଖ ଶାସନସଚିବ, ରାଜ୍ୟ ନିର୍ବାଚନ କମିସନ, ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ଶାସନସଚିବ ପକ୍ଷଭୁକ୍ତ ହୋଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ରଗଡ଼ ଏହି ମାମଲା ରୁଜୁ କରିଛନ୍ତି।

Comment