ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ ପରୀ ହତ୍ୟା ଘଟଣାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ବିଧାନସଭାରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇ ଶୁକ୍ରବାର ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ବିରୋଧୀ ଏଥିରେ ସହଯୋଗ କରନ୍ତୁ ବୋଲି ସେ କହିଛନ୍ତି।

ଗତ ୪ ଦିନ ହେଲା ପରୀ ହତ୍ୟା ଘଟଣାକୁ ନେଇ ବିଧାନସଭା ହୁଲସ୍ତୁଲ ହେଉଛି। ବିରୋଧୀ ଦଳ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିବା ସହ ପରୀ ହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ୍‌ ଓ ଏସ୍‌ଆଇଟି ତଦନ୍ତ କରାଯାଉ ବୋଲି ଦାବି କରିଥିଲେ। ବୁଧବାର ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ପରୀ ହତ୍ୟା ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି ବୋଲି କହିଥିଲେ। ଏହାପରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଏହି ମାମଲାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ନୟାଗଡ଼ ପରୀ ହତ୍ୟା ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଶୁକ୍ରବାର ଏଡିଜି ଯଶୋବନ୍ତ ଜେଠଓ୍ୱାଙ୍କ ନେତୃତ୍ୱରେ ନୟାଗଡ଼ରେ କ୍ରାଇମବ୍ରାଞ୍ଚ ଟିମ୍‌ ପହଞ୍ଚିଛି। ୭ ଜଣିଆ କ୍ରାଇମବ୍ରାଞ୍ଚ୍‌ ଟିମ ନୟାଗଡ଼ ସଦର ଥାନାରୁ ତଦନ୍ତ ଆରମ୍ଭ କରିଛି। ଏହାପରେ ଟିମ୍‌ ପରୀର ଗାଁ ଯଦୁପୁର ଯାଇ ତଦନ୍ତ କରିବ।

ପରୀର ହତ୍ୟା ଘଟଣାରେ ଯିଏବି ସାମିଲ ଥିବା ତା ବିରୋଧରେ ବୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଯଶୋବନ୍ତ ଜେଠଓ୍ୱା।

Comment