ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଏବେ ବିକ୍ଷୋଭ ପ୍ରଦର୍ଶନ ଚରମ ସୀମାରେ ପହଞ୍ଚିଛି। ପଞ୍ଜାବ ଓ ହରିୟାଣାର ଚାଷୀମାନେ ଏହାକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିବାବେଳେ ‘ଦିଲ୍ଲୀ ଚଲୋ’ର ଡାକରା ଦେଇଛନ୍ତି। ଅନ୍ୟପଟେ ଶୁକ୍ରବାର ଦିଲ୍ଲୀ ଯାଉଥିବା ଚାଷୀମାନଙ୍କୁ ରାସ୍ତା ମଝି ଅଟକାଇଛି ପୋଲିସ। ଯାହାକୁ ନେଇ ପୋଲିସ ଓ ଜନତା ମୁହାଁମୁହିଁ ହୋଇଛନ୍ତି।

ଶୁକ୍ରବାର ଦିଲ୍ଲୀ ଯାଉଥିବା ଚାଷୀମାନଙ୍କୁ ସିନ୍ଧୁ ବର୍ଡର ପାଖରେ ପୋଲିସ ଅଟକାଇଥିଲା। ଲୋକମାନେ କିନ୍ତୁ ପୋଲିସ କଥା ନଶୁଣି ଆଗକୁ ବଢ଼ିବାକୁ ଚେଷ୍ଟା କରିଥିଲେ। ଏହାପରେ ପୋଲିସ ଚାଷୀମାନଙ୍କ ଉପରେ ଲୁହ ବୁହା ଗ୍ୟାସ ମାଡ଼ କରିଥିଲା। ଏହାପରେ ଚାଷୀମାନେ ଯେପରି ଦିଲ୍ଲୀ ପହଞ୍ଚିପାରିବେନି ସେଥିପାଇଁ ରାଜରାସ୍ତାକୁ ବନ୍ଦ କରାଯାଇ ଚେକିଂ କଡ଼ାକଡ଼ି କରାଯାଇଛି। ଯାହା ଫଳରେ, ରାସ୍ତା ଉପରେ ଶହ ଶହ ଗାଡ଼ି ଅଟକି ରହିଥିବା ଦେଖିବାକୁ ମିଳିଛି।ଦିଲ୍ଲୀରେ ମଧ୍ୟ ଏହି କାରଣରୁ ବିଭିନ୍ନ ଅଞ୍ଚଳରେ ମେଟ୍ରୋ ଷ୍ଟେସନକୁ ବନ୍ଦ କରିଦିଆଯାଇଛି। ତା’ସହିତ ଦିଲ୍ଲୀର ବିଭିନ୍ନ ଷ୍ଟାଡ଼ିୟମରେ ଅସ୍ଥାୟୀ ଜେଲ ନିର୍ମାଣ କରିବାକୁ ମଧ୍ୟ ପୋଲିସ ପ୍ରଶାସନକୁ ଅନୁମତି ମାଗିଛି।

କରୋନା ସଙ୍କଟ ମଧ୍ୟରେ ଦିଲ୍ଲୀରେ ଏବେ ଭିଡ଼ ଏଡ଼ାଇବାକୁ ପ୍ରଶାସନ ଗୁରୁତ୍ୱ ଦେଉଛି। ଯେଉଁ କାରଣରୁ ପଞ୍ଜାବ ଓ ହରିୟାଣାରୁ ଆସୁଥିବା ଏହି ଚାଷୀମାନଙ୍କୁ ପୋଲିସ ଅଟକାଉଛି। ଦିଲ୍ଲୀର ବର୍ଡରରେ ପୋଲିସ ଚେକିଂ ବ୍ୟବସ୍ଥା କଡ଼ାକଡ଼ି କରିବା ସହିତ ପାଣିମାଡ଼ ମଧ୍ୟ କରିଛି।

ପୋଲିସ ସନ୍ଦେହ କରୁଛି ଯେ, ଚାଷୀମାନେ ଛୋଟ ଛୋଟ ଦଳ ହୋଇ ଦିଲ୍ଲୀରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ବର୍ଡର ଅଞ୍ଚଳରେ ଚେକିଂ କଡ଼ାକଡ଼ି କରାଯାଇଛି। ଗୁରୁବାର ଭଳି ଶୁକ୍ରବାର ମଧ୍ୟ ଦିଲ୍ଲୀ-ଗୁରୁଗ୍ରାମ, ଦିଲ୍ଲୀ-ନୋଏଡା, ଦିଲ୍ଲୀ-ହରିୟାଣା ବର୍ଡର ଉପରେ ପୋଲିସ ନଜର ରଖିବା ସହ ଚେକିଂ ଜୋରଦାର କରିଛି।

Comment